ନୂଆଦିଲ୍ଲୀ: ଆଇଆଇଟି ଦିଲ୍ଲୀରେ ୩୧ ବର୍ଷୀୟ ଏମ୍‌ଏସ୍‌ସି ଫିଜିକ୍ସ ଛାତ୍ର ଋଷିକେଶ କୁମାରଙ୍କ ମୃତ୍ୟୁକୁ ନେଇ ଛାତ୍ର ଆନ୍ଦୋଳନ ତୀବ୍ର ହୋଇଛି। ଲଗାତାର ତୃତୀୟ ଦିନରେ ଛାତ୍ରମାନେ ପ୍ରତିବାଦ କରିବା ସହ କ୍ୟାମ୍ପସ୍‌ରେ ରାଲି କରିଛନ୍ତି। ଘଟଣାର ସ୍ୱାଧୀନ ଓ ନିରପେକ୍ଷ ତଦନ୍ତ, ତଦନ୍ତ ପ୍ରକ୍ରିୟାରେ ଅଧିକ ଛାତ୍ର ପ୍ରତିନିଧିତ୍ୱ ଏବଂ ପ୍ରଶାସନିକ ଅବହେଳା ପାଇଁ ଦାୟୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ମୃତ୍ୟୁ ଘଟଣାକୁ ନେଇ ଦିଲ୍ଲୀ ପୁଲିସ ଅଜଣା ବ୍ୟକ୍ତିଙ୍କ ବିରୋଧରେ ଆତ୍ମହତ୍ୟା ପାଇଁ ଉସୁକାଇବା ଅଭିଯୋଗରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଘଟଣା ସମ୍ପର୍କିତ ତଥ୍ୟ ଯାଞ୍ଚ ସହ ଛାତ୍ରଙ୍କ ମୋବାଇଲ ଫୋନ୍‌ ଏବଂ ଅନୁଷ୍ଠାନରୁ ମିଳୁଥିବା ବିଭିନ୍ନ ରେକର୍ଡ ଯାଞ୍ଚ କରାଯାଉଛି। ଅଗଷ୍ଟ ୨୨ରେ କ୍ୟାମ୍ପସ୍‌ରେ ଏହି ଘଟଣା ଘଟିଥିଲା। ଋଷିକେଶ ଜୁଲାଇ ୨୦୨୫ରେ ଆଇଆଇଟି ଦିଲ୍ଲୀର ଏମ୍‌ଏସ୍‌ସି ଫିଜିକ୍ସ ପାଠ୍ୟକ୍ରମରେ ନାମ ଲେଖାଇଥିଲେ।

ଛାତ୍ରମାନଙ୍କ ଦାବି ପରେ ଆଇଆଇଟି ଦିଲ୍ଲୀ ଘଟଣାର ତଦନ୍ତ ପାଇଁ ପାଞ୍ଚଜଣିଆ ବାହ୍ୟ ତଦନ୍ତ କମିଟି ଗଠନ କରିଥିଲା। କମିଟିକୁ ଦୁଇ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ କୁହାଯାଇଥିଲା। ଘଟଣା ସମ୍ପର୍କିତ ରେକର୍ଡ ଯାଞ୍ଚ, ଛାତ୍ର, ଅଧ୍ୟାପକ ଓ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା, ବର୍ତ୍ତମାନର ପ୍ରୋଟୋକଲ୍‌ ଯାଞ୍ଚ ଏବଂ ଛାତ୍ର ସହାୟତା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ନେଇ ସୁପାରିସ କରିବା କମିଟିର ଦାୟିତ୍ୱ ଥିଲା।

ପ୍ରାଥମିକ ଭାବେ କମିଟିରେ ଉତ୍ତରାଖଣ୍ଡର ପୂର୍ବତନ ଡିଜିପି ତଥା ଆଇଆଇଟି ଦିଲ୍ଲୀର ପୂର୍ବତନ ଛାତ୍ର ଅଶୋକ କୁମାର, ଏମ୍ସ ଦିଲ୍ଲୀର ମନୋଚିକିତ୍ସା ବିଭାଗ ମୁଖ୍ୟ ପ୍ରତାପ ଶର୍ମା, ଦୁଇଜଣ ଛାତ୍ର ପ୍ରତିନିଧି ଏବଂ ଆଇଆଇଟି ଦିଲ୍ଲୀର ରେଜିଷ୍ଟ୍ରାରଙ୍କୁ ସାମିଲ କରାଯାଇଥିଲା।

ତେବେ ଅଶୋକ କୁମାରଙ୍କୁ କମିଟିରେ ସାମିଲ କରାଯିବାକୁ ନେଇ ଛାତ୍ରମାନେ ଆପତ୍ତି ଉଠାଇଥିଲେ। ଏହାପରେ ପ୍ରଶାସନ କମିଟିକୁ ପୁନର୍ଗଠନ କରିବାକୁ ରାଜି ହୋଇଛି। ନୂଆ କମିଟି ପାଇଁ ବିକଳ୍ପ ନାମ ପ୍ରସ୍ତାବ ଦେବାକୁ ଛାତ୍ରମାନଙ୍କୁ କୁହାଯାଇଛି।

ଏହାସହ ଛାତ୍ରମାନେ ଛାତ୍ର କଲ୍ୟାଣ ବିଭାଗର ଆସୋସିଏଟ୍‌ ଡିନ୍‌ଙ୍କ ସମେତ ଅନ୍ୟ ଅଧିକାରୀଙ୍କ ଇସ୍ତଫା ଦାବି କରିଛନ୍ତି। ମୃତ ଛାତ୍ରଙ୍କ ସମସ୍ୟା ପରିଚାଳନାରେ ପ୍ରଶାସନିକ ଅବହେଳା ହୋଇଥିବା ସେମାନେ ଅଭିଯୋଗ କରିଛନ୍ତି। ଘଟଣା ପରେ ଛାତ୍ରମାନେ କ୍ଲାସ୍‌ ବର୍ଜନ କରି ଆନ୍ଦୋଳନକୁ ଓହ୍ଲାଇଥିବାବେଳେ ସ୍ୱଚ୍ଛ ଓ ନିରପେକ୍ଷ ତଦନ୍ତ ସହ ଛାତ୍ରଙ୍କ ଅଭିଯୋଗ ଶୁଣିବା ଏବଂ ସମାଧାନ ପାଇଁ ଅଧିକ ପ୍ରଭାବଶାଳୀ ବ୍ୟବସ୍ଥା ଦାବି କରାଯାଇଛି।