ଭୁବନେଶ୍ୱର: ପବିତ୍ର ରକ୍ଷାବନ୍ଧନ ଅବସରରେ ମହିଳା ଯାତ୍ରୀଙ୍କୁ ବିଶେଷ ଉପହାର ଦେଇଛି ରାଜ୍ୟ ସରକାର। ଆସନ୍ତା ୨୭ ଅଗଷ୍ଟ ୨୦୨୬ରେ ରାଜ୍ୟର ବିଭିନ୍ନ ସହରରେ ଚଳାଚଳ କରୁଥିବା ‘ଆମ ବସ୍’ରେ ମହିଳାମାନେ ଦେୟମୁକ୍ତ ଯାତ୍ରା କରିପାରିବେ। କମ୍ପ୍ରେହେନ୍ସିଭ୍ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ (କ୍ରୁଟ୍) ପକ୍ଷରୁ ଏନେଇ ଘୋଷଣା କରାଯାଇଛି।
ଭୁବନେଶ୍ୱର, କଟକ, ପୁରୀ, ରାଉରକେଲା, ସମ୍ବଲପୁର, ବ୍ରହ୍ମପୁର ଓ କେନ୍ଦୁଝର ସହରରେ ଚଳାଚଳ କରୁଥିବା ସମସ୍ତ ‘ଆମ ବସ୍’ରେ ଏହି ସୁବିଧା ମିଳିବ। ଏହାଦ୍ୱାରା ଗୋଟିଏ ଦିନରେ ପ୍ରାୟ ୧ ଲକ୍ଷରୁ ଅଧିକ ମହିଳା ଯାତ୍ରୀ ଉପକୃତ ହେବେ।
ମହିଳାଙ୍କ ପାଇଁ ନିରାପଦ, ସୁବିଧାଜନକ ଓ ସୁଲଭ ଜନପରିବହନ ସୁନିଶ୍ଚିତ କରିବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ। ସୁରକ୍ଷିତ ଓ ସମାବେଶୀ ଜନପରିବହନ ମାଧ୍ୟମରେ ମହିଳାମାନଙ୍କ ସାମାଜିକ ଓ ଆର୍ଥିକ ଗତିଶୀଳତାକୁ ଏହା ଆହୁରି ସୁଦୃଢ଼ କରିବ ବୋଲି କ୍ରୁଟ୍ ପକ୍ଷରୁ କୁହାଯାଇଛି।
‘ଆମ ବସ୍’ ସେବାରେ ଜିପିଏସ୍ ଆଧାରିତ ବସ୍ ଟ୍ରାକିଂ, ସିସିଟିଭି ନିରୀକ୍ଷଣ, ପ୍ରଶିକ୍ଷିତ ବସ୍ କର୍ମଚାରୀ ଓ ଯାତ୍ରୀ ସହାୟତା ବ୍ୟବସ୍ଥା ଭଳି ସୁବିଧା ରହିଛି। ଏହାଦ୍ୱାରା ମହିଳାଙ୍କ ପାଇଁ ଯାତ୍ରାକୁ ଅଧିକ ନିରାପଦ ଓ ନିର୍ଭରଯୋଗ୍ୟ କରାଯାଉଛି।
କ୍ରୁଟ୍ର ପରିଚାଳନା ନିର୍ଦ୍ଦେଶକ ସିଦ୍ଦିକ୍ ଆଲମ୍ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଓ ମନ୍ତ୍ରୀଙ୍କ ମାର୍ଗଦର୍ଶନରେ ନିଆଯାଇଥିବା ଏହି ପଦକ୍ଷେପ ମହିଳାମାନଙ୍କୁ ନିରାପଦ, ସୁଲଭ ଓ ସମ୍ମାନଜନକ ଯାତାୟାତ ସୁବିଧା ଦେବା ଦିଗରେ କ୍ରୁଟ୍ର ପ୍ରତିବଦ୍ଧତାକୁ ଆହୁରି ଦୃଢ଼ କରିବ।
ତେବେ ମାଗଣା ଯାତ୍ରା ସତ୍ତ୍ୱେ ମହିଳା ଯାତ୍ରୀଙ୍କ ପାଇଁ ‘ଜିରୋ ଟିକେଟ୍’ ନେବା ବାଧ୍ୟତାମୂଳକ ରହିବ। ଏଥିସହ ବସ୍ କର୍ମଚାରୀଙ୍କୁ ସହଯୋଗ କରିବା ଏବଂ ଯାତ୍ରୀ ଶିଷ୍ଟାଚାର ପାଳନ କରିବାକୁ କ୍ରୁଟ୍ ପକ୍ଷରୁ ସମସ୍ତ ଯାତ୍ରୀଙ୍କୁ ଅନୁରୋଧ କରାଯାଇଛି। ରକ୍ଷାବନ୍ଧନ ଦିନ ମହିଳାମାନଙ୍କୁ ‘ଆମ ବସ୍’ରେ ନିରାପଦ, ସୁବିଧାଜନକ ଓ ଚିନ୍ତାମୁକ୍ତ ଯାତ୍ରାର ଅନୁଭୂତି ନେବାକୁ କ୍ରୁଟ୍ ଆହ୍ୱାନ କରିଛି।




