କୋଲକାତା: ପଶ୍ଚିମବଙ୍ଗର ମାଲଦା ମେଡିକାଲ କଲେଜ ଓ ହସ୍ପିଟାଲରୁ ଏକ ଅତ୍ୟନ୍ତ ଦୁଃଖଦ ଓ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି। ଏହି ହସ୍ପିଟାଲରେ ଗୋଟିଏ ଦିନ ମଧ୍ୟରେ ୧୦ ଜଣ ନବଜାତ ଶିଶୁଙ୍କ ମୃତ୍ୟୁ ଘଟିଛି। ଏହି ଅଭାବନୀୟ ଘଟଣା ସମଗ୍ର ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିବା ବେଳେ, ଅଗଷ୍ଟ ମାସର ପ୍ରଥମ ୩ ସପ୍ତାହ ମଧ୍ୟରେ ଏଠାରେ ମୋଟ ୬୦ ଜଣ ନବଜାତକଙ୍କ ଜୀବନ ଗଲାଣି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଗୋଟିଏ ଦିନରେ ମୃତ୍ୟୁବରଣ କରିଥିବା ୧୦ ଜଣ ଶିଶୁଙ୍କ ମଧ୍ୟରୁ ୮ ଜଣଙ୍କୁ ଅନ୍ୟାନ୍ୟ ସରକାରୀ ହସ୍ପିଟାଲ ଏବଂ ଘରୋଇ ନର୍ସିଂହୋମ୍‌ରୁ ଗୁରୁତର ଅବସ୍ଥାରେ ଏହି ମେଡିକାଲ କଲେଜକୁ ରେଫର୍ କରାଯାଇଥିଲା। ଏହି ଶିଶୁମାନେ ମୁଖ୍ୟତଃ ଶ୍ୱାସକ୍ରିୟାରେ ସମସ୍ୟା, ଜଣ୍ଡିସ୍‌ ଏବଂ ହୃଦ୍‌ଜନିତ ଜଟିଳତାରେ ପୀଡ଼ିତ ଥିଲେ।

ହସ୍ପିଟାଲ ପ୍ରଶାସନ ଶିଶୁମାନଙ୍କ ମୃତ୍ୟୁକୁ ସ୍ୱୀକାର କରିବା ସହ ରାଜ୍ୟ ସ୍ୱାସ୍ଥ୍ୟ ଭବନକୁ ପ୍ରାଥମିକ ରିପୋର୍ଟ ପ୍ରଦାନ କରିଛି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଘଟଣାର ସମ୍ପୂର୍ଣ୍ଣ ଓ ବିସ୍ତୃତ ରିପୋର୍ଟ ତୁରନ୍ତ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଅନ୍ୟ ଏକ ରିପୋର୍ଟ ଅନୁଯାୟୀ, ଅଗଷ୍ଟ ୨୦୨୬ର ପ୍ରଥମ ୩ ସପ୍ତାହ ମଧ୍ୟରେ ମାଲଦା ମେଡିକାଲ କଲେଜରେ ମୋଟ ୬୦ ଜଣ ନବଜାତକଙ୍କ ମୃତ୍ୟୁ ଘଟିଛି । ୬୦ ଜଣଙ୍କ ମଧ୍ୟରୁ ୪୪ ଜଣ ଶିଶୁ ଅନ୍ୟ ହସ୍ପିଟାଲ ଓ ନର୍ସିଂହୋମ୍‌ରୁ ଗୁରୁତର ସ୍ଥିତିରେ ଆସିଥିଲେ। ବାକି ୧୬ ଜଣ ଶିଶୁ ଏହି ମେଡିକାଲ କଲେଜରେ ଜନ୍ମଗ୍ରହଣ କରିଥିଲେ।

ଏହି ସମ୍ବେଦନଶୀଳ ମାମଲାର ତଦନ୍ତ ଜାରି ରହିଥିବା ବେଳେ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନେ ଏପର୍ଯ୍ୟନ୍ତ ୧୬ଟି ହସ୍ପିଟାଲ ଓ ନର୍ସିଂହୋମ୍‌ରେ ଯାଞ୍ଚ ପ୍ରକ୍ରିୟା ଶେଷ କରିଛନ୍ତି। ଗୁରୁବାର ମାଲଦା ଜିଲ୍ଲା ମାଜିଷ୍ଟ୍ରେଟ୍‌ଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ, ଯେଉଁଥିରେ ଚାଲିଥିବା ତଦନ୍ତର ଅଗ୍ରଗତି ଏବଂ ସ୍ଥିତିର ସମୀକ୍ଷା କରାଯିବ।