ନୂଆଦିଲ୍ଲୀ: ପର୍ବପର୍ବାଣୀର ଦେଶ ଭାରତ ଆଜି ଆନନ୍ଦ ଓ ଉଲ୍ଲାସର ସହ ପାଳନ କରୁଛି ସ୍ନେହ-ସରାଗର ପବିତ୍ର ପର୍ବ ରାଖି ପୂର୍ଣ୍ଣିମା। ପ୍ରତିଟି ଭଉଣୀ ନିଜ ଭାଇର ଦୀର୍ଘାୟୁ କାମନା କରି ହାତରେ ରକ୍ଷାସୂତ୍ର ବାନ୍ଧୁଥିବା ବେଳେ, ଭାଇ ସାରା ଜୀବନ ସୁରକ୍ଷା ଦେବାର ପ୍ରତିଶ୍ରୁତି ଦେଇଥାଏ। ଏହି ଭାତୃତ୍ୱ ପର୍ବ ଅବସରରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ତାଙ୍କ ପାକିସ୍ତାନୀ ଭଉଣୀ କମର ଜାହାଁଙ୍କ ଅତୁଟ ସମ୍ପର୍କର କାହାଣୀ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛି।
କମର ଜାହାଁ ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମଧ୍ୟରେ କୌଣସି ରକ୍ତର ସମ୍ପର୍କ ନାହିଁ, ତଥାପି ଗତ ୩୧ ବର୍ଷ ହେବ ପ୍ରତ୍ୟେକ ରାଖି ପୂର୍ଣ୍ଣିମାରେ ସେ ପ୍ରଧାନମନ୍ତ୍ରୀଙ୍କ ପାଖକୁ ସ୍ନେହର ରାଖି ପଠାଇ ଆସୁଛନ୍ତି। ଅନେକ ସମୟରେ ସେ ନିଜ ସ୍ୱାମୀଙ୍କ ସହ ସାକ୍ଷାତ କରିବାକୁ ନୂଆଦିଲ୍ଲୀ ମଧ୍ୟ ଆସିଥାନ୍ତି।
କିପରି ଆରମ୍ଭ ହୋଇଥିଲା ଏହି କାହାଣୀ?
ଏହି ସ୍ନେହର ସମ୍ପର୍କ ସେତେବେଳେ ଆରମ୍ଭ ହୋଇଥିଲା, ଯେତେବେଳେ ନରେନ୍ଦ୍ର ମୋଦୀ ବିଜେପିର ସାଧାରଣ ସମ୍ପାଦକ ଭାବେ କାର୍ଯ୍ୟ କରୁଥିଲେ। କମର ଜାହାଁଙ୍କ ଜନ୍ମ ପାକିସ୍ତାନର କରାଚୀରେ ହୋଇଥିଲା। ସେ ଭାରତୀୟ ଚିତ୍ରଶିଳ୍ପୀ ମୋହସିନ ଶେଖଙ୍କୁ ବିବାହ କରିବା ପରେ ଗୁଜୁରାଟର ଅହମ୍ମଦାବାଦରେ ସ୍ଥାୟୀ ଭାବେ ରହୁଛନ୍ତି। ଭାରତରେ ରହିବା ଦିନଠାରୁ ସେ ନରେନ୍ଦ୍ର ମୋଦୀଙ୍କୁ ନିଜର ସାହାଦର ଭାଇ ଭାବେ ମାନି ଆସୁଛନ୍ତି ଏବଂ ପ୍ରତିବର୍ଷ ଶ୍ରଦ୍ଧାର ସହ ରାଖି ପଠାଉଛନ୍ତି।
ଧର୍ମ ଓ ସୀମାର ପରିସୀମା ଡେଇଁ ଏହି ଭାଇ-ଭଉଣୀଙ୍କ ଆତ୍ମୀୟତା ଆଜି ବି ମାନବିକତା ଏବଂ ସ୍ନେହର ଏକ ଅନନ୍ୟ ଉଦାହରଣ ସାଜିଛି।




