ଭୁବନେଶ୍ୱର: ରାକ୍ଷୀପୂର୍ଣ୍ଣିମା ଅବସରରେ ସୁଭଦ୍ରା ଯୋଜନାର ହିତାଧିକାରୀଙ୍କୁ ମିଳିଛି ପଞ୍ଚମ କିସ୍ତି। ନୟାଗଡ଼ ଜିଲ୍ଲାର ଲାଠିପଡ଼ାରେ ଆୟୋଜିତ କାର୍ଯ୍ୟକ୍ରମରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଡିବିଟି ମାଧ୍ୟମରେ ହିତାଧିକାରୀଙ୍କ ଆକାଉଣ୍ଟକୁ ଏହି କିସ୍ତିର ଅର୍ଥ ପ୍ରେରଣ କରିଛନ୍ତି।
ଏଥର ରାଜ୍ୟର ପ୍ରାୟ ୧.୦୩ କୋଟି ହିତାଧିକାରୀଙ୍କ ଆକାଉଣ୍ଟକୁ ମୋଟ ୫,୧୬୦ କୋଟି ଟଙ୍କା ପ୍ରେରଣ କରାଯାଇଛି। ଏହି କିସ୍ତିରେ ଆଉ ୨ ଲକ୍ଷ ୨୧ ହଜାର ନୂଆ ହିତାଧିକାରୀ ସାମିଲ ହୋଇଛନ୍ତି।
ରାକ୍ଷୀପୂର୍ଣ୍ଣିମା ଭଳି ଏକ ବିଶେଷ ଅବସରରେ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ପ୍ରଦାନ କରାଯିବାକୁ ରାଜ୍ୟ ସରକାରଙ୍କ ମହିଳା ସଶକ୍ତୀକରଣ ପଦକ୍ଷେପର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଭାବେ ଦେଖାଯାଉଛି।
ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସହ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ବାଚସ୍ପତି ସୁରମା ପାଢ଼ୀ, ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ, ପୁରୀ ସାଂସଦ ଡ. ସମ୍ବିତ ପାତ୍ର ଏବଂ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀଙ୍କ ସମେତ ବହୁ ଅତିଥି ଉପସ୍ଥିତ ଥିଲେ।




