କାଠମାଣ୍ଡୁ: ଚୀନ୍ ସୀମା ନିକଟବର୍ତ୍ତୀ ସହର ଓ ଗ୍ରାମଗୁଡ଼ିକରେ ଭୟଙ୍କର ବନ୍ୟା ପରେ ନେପାଳ ଗୁରୁତର ବିପର୍ଯ୍ୟୟର ସାମ୍ନା କରୁଛି। ଏଭଳି ସ୍ଥିତିରେ ଭାରତ, ଚୀନ୍, ଆମେରିକା, ବ୍ରିଟେନ୍, ଜାପାନ, ଦକ୍ଷିଣ କୋରିଆ, ଶ୍ରୀଲଙ୍କା ଓ ବାଂଲାଦେଶ ସମେତ ବିଭିନ୍ନ ଦେଶ ଉଦ୍ଧାରକାରୀ ଦଳ ପଠାଇବାକୁ ପ୍ରସ୍ତାବ ଦେଇଥିଲେ। ତେବେ ନେପାଳ ଏହି ବିଦେଶୀ ଉଦ୍ଧାରକାରୀ ଦଳର ସହାୟତା ନେବାକୁ ମନା କରିଦେଇଛି।

ନେପାଳର ବାଲେନ ଶାହଙ୍କ ନେତୃତ୍ୱାଧୀନ ସରକାର କହିଛି ଯେ, ଦେଶର ସେନା, ପୁଲିସ ଓ ଅନ୍ୟ ଘରୋଇ ସୁରକ୍ଷା ଏଜେନ୍ସିଗୁଡ଼ିକ ସନ୍ଧାନ ଓ ଉଦ୍ଧାର କାର୍ଯ୍ୟ ପରିଚାଳନା କରିବାରେ ସକ୍ଷମ। ପ୍ରଳୟଙ୍କରୀ ବନ୍ୟାରେ ଏପର୍ଯ୍ୟନ୍ତ ୪୭୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧,୫୦୦ରୁ ଅଧିକ ଲୋକ ନିଖୋଜ ଥିବା ଜଣାପଡ଼ିଛି। ଉଦ୍ଧାରକାରୀମାନେ କାଦୁଅ ଓ ଭଗ୍ନାବଶେଷ ମଧ୍ୟରେ ନିଖୋଜଙ୍କୁ ଖୋଜୁଥିବାବେଳେ ନୂଆ ଭାବେ ସୃଷ୍ଟି ହୋଇଥିବା ହ୍ରଦଗୁଡ଼ିକ ଆହୁରି ବନ୍ୟା ଆଶଙ୍କା ବଢ଼ାଇଛି।

‘ବର୍ତ୍ତମାନ ଏଭଳି ସହାୟତାର ଆବଶ୍ୟକତା ନାହିଁ’

ନେପାଳ ବିଦେଶ ମନ୍ତ୍ରଣାଳୟର ପ୍ରବକ୍ତା ଲୋକ ବାହାଦୂର ଛେତ୍ରୀ କହିଛନ୍ତି ଯେ, ବିଭିନ୍ନ ଦେଶରୁ ସହାୟତା ପ୍ରସ୍ତାବ ମିଳିବା ସ୍ୱାଭାବିକ। ତେବେ ନେପାଳୀ ସେନା ଓ ପୁଲିସର ସୁପାରିସ ପରେ ବିଦେଶୀ ଉଦ୍ଧାରକାରୀ ଦଳର ସହାୟତା ନ ନେବାକୁ ନିଷ୍ପତ୍ତି ହୋଇଛି।

ଅଧିକାରୀଙ୍କ ଅନୁଯାୟୀ, ୨୦୧୫ ଗୋର୍ଖା ଭୂମିକମ୍ପ ସମୟର ଅଭିଜ୍ଞତା ମଧ୍ୟ ଏହି ନିଷ୍ପତ୍ତିର ଏକ କାରଣ। ସେତେବେଳେ ଏକାଧିକ ବିଦେଶୀ ଉଦ୍ଧାରକାରୀ ଦଳ ନେପାଳରେ ପହଞ୍ଚିବାରୁ ସମନ୍ୱୟ କରିବାରେ ସମସ୍ୟା ଦେଖାଦେଇଥିଲା। ତେଣୁ ବର୍ତ୍ତମାନ ନେପାଳ ନିଜର ସୁରକ୍ଷା ଓ ଉଦ୍ଧାର ଏଜେନ୍ସି ଉପରେ ନିର୍ଭର କରିବାକୁ ନିଷ୍ପତ୍ତି ନେଇଛି।

ଭାରତ ପଠାଇଛି ୪୭.୫ ଟନ୍ ରିଲିଫ୍ ସାମଗ୍ରୀ

ନେପାଳର ଅନୁରୋଧ ଅନୁଯାୟୀ ଭାରତ ପକ୍ଷରୁ ବନ୍ୟା ପ୍ରଭାବିତ ଅଞ୍ଚଳକୁ ଦୁଇଟି ବାୟୁସେନା ବିମାନ ଯୋଗେ ୪୭.୫ ଟନ୍ ଜରୁରୀକାଳୀନ ରିଲିଫ୍ ସାମଗ୍ରୀ ପଠାଯାଇଛି। ଏଥିରେ ତମ୍ବୁ, କମ୍ବଳ, ଔଷଧ, ଖାଦ୍ୟ, ଜେନେରେଟର ସମେତ ବିଭିନ୍ନ ଜରୁରୀ ସାମଗ୍ରୀ ରହିଛି।

ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ବାଲ କହିଛନ୍ତି ଯେ, ନେପାଳ ଯାହା ଅନୁରୋଧ କରିଛି, ଭାରତ ସେହି ଅନୁଯାୟୀ ସହାୟତା ଯୋଗାଇ ଦେଉଛି। ଏହା ସହିତ ଯୋଗାଯୋଗ ବ୍ୟବସ୍ଥା ପୁନଃସ୍ଥାପନ ଓ ରିଲିଫ୍ କାର୍ଯ୍ୟକୁ ସହାୟତା କରିବା ପାଇଁ ଭାରତ ପକ୍ଷରୁ ବେଲି ବ୍ରିଜ୍ ମଧ୍ୟ ନିୟୋଜିତ କରାଯାଉଛି।