ପାଟଣାଗଡ଼: ଜଙ୍ଗଲକୁ ଯାଇଥିବା ଜଣେ ଯୁବକ ଅଚାନକ ନିଖୋଜ ହେବା ଏବଂ ପରେ ତାଙ୍କ ମୃତଦେହ ମିଳିବା ଘଟଣା ପାଟଣାଗଡ଼ ବ୍ଲକ୍‌ ଲରମ୍ଭା ଥାନା ଅନ୍ତର୍ଗତ ଚନ୍ଦନଜୁରୀ ଗାଁରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ମୃତ ଯୁବକ ହେଲେ ଗାଁର କ୍ଷେତ୍ର ବାଗ। ଘଟଣା ସମ୍ପର୍କରେ ସୂଚନା ପାଇ ପୁଲିସ ତଦନ୍ତ ଆରମ୍ଭ କରିଥିବାବେଳେ ମୃତ୍ୟୁର ପ୍ରକୃତ କାରଣ ଏବେବି ସ୍ପଷ୍ଟ ହୋଇନାହିଁ।

ସୂଚନା ଅନୁଯାୟୀ, କ୍ଷେତ୍ର ବାଗ ନିଜ ଶାଳୀଙ୍କୁ ନେଇ ରାତିରେ ଚାଲିଯିବାକୁ ଯୋଜନା କରିଥିଲେ। ଏହା ଜଣାପଡ଼ିବା ପରେ ପରିବାର ଲୋକ ଓ ଗ୍ରାମବାସୀ ଉଭୟଙ୍କୁ ଖୋଜିବା ଆରମ୍ଭ କରିଥିଲେ। ଖୋଜାଖୋଜି ପରେ କ୍ଷେତ୍ରଙ୍କ ଶାଳୀଙ୍କୁ ଉଦ୍ଧାର କରାଯାଇଥିଲା। ତେବେ କ୍ଷେତ୍ରଙ୍କ କୌଣସି ସନ୍ଧାନ ମିଳିନଥିଲା।

ପରେ ନିକଟସ୍ଥ ଜଙ୍ଗଲରେ ଏକ ବାର୍‌ହା ଫାଶ ଲଗାଯାଇଥିବା ସ୍ଥାନରୁ କ୍ଷେତ୍ରଙ୍କ ଚପଲ ମିଳିଥିଲା। ଏହାପରେ ଆଖପାଖ ଅଞ୍ଚଳରେ ବ୍ୟାପକ ଖୋଜାଖୋଜି କରାଯାଇଥିଲା। ସନ୍ଧାନୀ କୁକୁରର ସହାୟତାରେ ଖୋଜାଖୋଜି କରିବା ପରେ ଫାଶ ଲଗାଯାଇଥିବା ସ୍ଥାନଠାରୁ ପ୍ରାୟ ଦେଢ଼ କିଲୋମିଟର ଦୂର ପାହାଡ଼ ଉପରୁ କ୍ଷେତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।

ଗ୍ରାମବାସୀଙ୍କ ଅନୁମାନ, ବାର୍‌ହା ଫାଶରେ ପଡ଼ି କ୍ଷେତ୍ରଙ୍କ ମୃତ୍ୟୁ ହୋଇଥାଇପାରେ। ପରେ ଶିକାରୀମାନେ ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ମୃତଦେହକୁ ଅନ୍ୟତ୍ର ନେଇ ଫିଙ୍ଗି ଦେଇଥିବା ସେମାନେ ଆଶଙ୍କା କରୁଛନ୍ତି। ତେବେ ଏହା ଗ୍ରାମବାସୀଙ୍କ ଅନୁମାନ ମାତ୍ର ଏବଂ ପୁଲିସ ତଦନ୍ତ ପରେ ହିଁ ଘଟଣାର ପ୍ରକୃତ କାରଣ ସ୍ପଷ୍ଟ ହେବ।

କ୍ଷେତ୍ରଙ୍କ ଶାଳୀ ମୂକ ଥିବାରୁ ଘଟଣା ସମ୍ପର୍କରେ ସେ କିଛି କହିପାରୁନାହାନ୍ତି। ତାଙ୍କଠାରୁ ଅଧିକ ତଥ୍ୟ ସଂଗ୍ରହ ପାଇଁ ପୁଲିସ ବିଶେଷଜ୍ଞଙ୍କ ସହାୟତା ନେବାକୁ ଯୋଜନା କରିଥିବା ଜଣାପଡ଼ିଛି। ଘଟଣାର ସମସ୍ତ ଦିଗକୁ ନେଇ ପୁଲିସ ଖୋଳତାଡ଼ ଜାରି ରଖିଛି।