ଭୁବନେଶ୍ୱର: ଚାଷୀଙ୍କୁ ସଶକ୍ତ କରିବା ସହ ସେମାନଙ୍କ ଆୟ ବଢ଼ାଇବା ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ୬ଟି ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର (ଏମ୍‌ଓୟୁ) ସ୍ୱାକ୍ଷର କରିଛି। ଡିଜିଟାଲ୍‌ କୃଷି, ଉନ୍ନତ ବିହନ, ଜଳବାୟୁ ସହନଶୀଳତା ଓ ପୋଷଣ କ୍ଷେତ୍ରରେ ସୁଧାର ଆଣିବା ପାଇଁ ଡାକ ବିଭାଗ (ଓଡ଼ିଶା ସର୍କଲ), ଇକ୍ରିସାଟ୍‌ ଏବଂ ଏମ୍‌ଏସ୍‌ ସ୍ୱାମୀନାଥନ୍‌ ରିସର୍ଚ୍ଚ ଫାଉଣ୍ଡେସନ୍‌ ସହ ଏହି ଏମ୍‌ଓୟୁ ସ୍ୱାକ୍ଷର ହୋଇଛି।

ଏମ୍‌ଓୟୁ ସ୍ୱାକ୍ଷର କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତୀକରଣ ଏବଂ ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଯୋଗଦେଇ କହିଛନ୍ତି ଯେ, ଏହି ୬ଟି ବୁଝାମଣା ରାଜ୍ୟର କୃଷି କ୍ଷେତ୍ରରେ ବଡ଼ ପରିବର୍ତ୍ତନ ଆଣିବ। ଗ୍ରାମୀଣ ଡାକ ସେବକଙ୍କ ମାଧ୍ୟମରେ ଆଗ୍ରିଷ୍ଟାକ୍‌ ପଞ୍ଜୀକରଣ ସହ ଇକ୍ରିସାଟ୍‌ ଓ ଏମ୍‌ଏସ୍‌ଏସ୍‌ଆର୍‌ଏଫ୍‌ ଭଳି ସଂସ୍ଥାର ସହଯୋଗରେ ଚାଷୀଙ୍କୁ ସଶକ୍ତ କରାଯିବ ବୋଲି ସେ କହିଛନ୍ତି।

ଡାକ ବିଭାଗ ସହ ହୋଇଥିବା ଏମ୍‌ଓୟୁ ଅନୁଯାୟୀ, ଗ୍ରାମୀଣ ଡାକ ସେବକମାନେ ଗାଁ ଗାଁରେ ପହଞ୍ଚି ଚାଷୀଙ୍କ ପଞ୍ଜୀକରଣ, କୃଷକ ଆଇଡି ପ୍ରସ୍ତୁତି, ସିଏମ୍‌ କିଷାନ, ପିଏମ୍‌ କିଷାନ ଇ-କେୱାଇସି ଏବଂ ଆଧାର ସଂଯୋଗୀକରଣ ଭଳି ସେବା ଯୋଗାଇବେ। ଏହା ଦ୍ୱାରା ସରକାରୀ ଯୋଜନାର ସୁବିଧା ଚାଷୀଙ୍କ ନିକଟରେ ସିଧାସଳଖ ପହଞ୍ଚିବା ସହ ଡିଜିଟାଲ୍‌ କୃଷି ସେବା ଆହୁରି ସୁଦୃଢ଼ ହେବ।

ଇକ୍ରିସାଟ୍‌ ସହ ସ୍ୱାକ୍ଷରିତ ୪ଟି ବୁଝାମଣା ମାଧ୍ୟମରେ ଡାଲି, ବୁଟ, ମଟର, ହରଡ଼, ଚିନାବାଦାମ ଓ ରାଶି ଭଳି ଫସଲ ପାଇଁ ଉନ୍ନତ ତଥା ଜଳବାୟୁ ସହନଶୀଳ ବିହନ ବିକଶିତ କରାଯିବ। ଏହା ଫଳରେ ଚାଷୀମାନେ ଉନ୍ନତମାନର ବିହନ ପାଇବା ସହ ଫସଲ ଉତ୍ପାଦନ ବଢ଼ାଇପାରିବେ। ଏଥିସହ ଡାଲି ଓ ତୈଳବୀଜ ଉତ୍ପାଦନରେ ଓଡ଼ିଶାକୁ ଆତ୍ମନିର୍ଭର କରିବା ଦିଗରେ ମଧ୍ୟ ଏହା ସହାୟକ ହେବ।

ସେହିପରି ଏମ୍‌ଏସ୍‌ଏସ୍‌ଆର୍‌ଏଫ୍‌ ସହ ହୋଇଥିବା ବୁଝାମଣା ଅନୁଯାୟୀ, ନୟାଗଡ଼ ଜିଲ୍ଲାର ୩,୦୦୦ କ୍ଷୁଦ୍ର ଚାଷୀଙ୍କ ପାଇଁ ପୋଷଣକେନ୍ଦ୍ରିକ କୃଷି ପ୍ରକଳ୍ପ ଆରମ୍ଭ କରାଯିବ। ଏଥିରେ ପୋଷକତତ୍ତ୍ୱଯୁକ୍ତ ଫସଲ, ପରିବା ଚାଷ, କୁକୁଡ଼ା ପାଳନ ଓ ମାଛ ଚାଷକୁ ପ୍ରୋତ୍ସାହନ ଦିଆଯିବ। ଏହା ଦ୍ୱାରା ଚାଷୀ ପରିବାରର ଆୟ ବଢ଼ିବା ସହ ପୋଷଣ ଓ ସ୍ୱାସ୍ଥ୍ୟ ସୁରକ୍ଷାରେ ମଧ୍ୟ ସୁଧାର ଆସିବ।

ଏହି ପଦକ୍ଷେପଗୁଡ଼ିକ ଡିଜିଟାଲ୍‌ ସେବାର ବିସ୍ତାର, କୃଷି ଉତ୍ପାଦନ ବୃଦ୍ଧି, ଜଳବାୟୁ ସହନଶୀଳ କୃଷି ଏବଂ ପୋଷଣ ସୁରକ୍ଷାକୁ ସୁଦୃଢ଼ କରିବ। ତେବେ ଏହି କାର୍ଯ୍ୟକ୍ରମର ପ୍ରକୃତ ସଫଳତା ଚାଷୀମାନଙ୍କ ଜୀବନ ଓ ଆୟରେ ପ୍ରତ୍ୟକ୍ଷ ଉନ୍ନତି ଦ୍ୱାରା ହିଁ ପ୍ରମାଣିତ ହେବ ବୋଲି ଶ୍ରୀ ସିଂହଦେଓ କହିଛନ୍ତି।

କାର୍ଯ୍ୟକ୍ରମରେ କୃଷି ସଚିବ ସଚିନ୍‌ ରାମଚନ୍ଦ୍ର ଜାଧବ, ମୁଖ୍ୟ ପୋଷ୍ଟମାଷ୍ଟର ଜେନେରାଲ୍‌ ନିର୍ମଳଜୀତ ସିଂହ, କୃଷି ନିର୍ଦ୍ଦେଶକ ଶୁଭମ୍‌ ସକ୍ସେନା ଏବଂ ଉଦ୍ୟାନ କୃଷି ନିର୍ଦ୍ଦେଶକ କାଲୁଙ୍ଗେ ଗୋରଖ ୱାମନଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।