ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାର ବହୁ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ନିମ୍ନମାନର ସାମଗ୍ରୀରେ ପ୍ରସ୍ତୁତ ମଧ୍ୟାହ୍ନଭୋଜନ ପରିବେଷଣ କରାଯାଉଥିବା ଅଭିଯୋଗ ହୋଇଛି। ଡାଲି, ତେଲ, ସୋୟାବିନ୍‌ ଭଳି ସାମଗ୍ରୀର ମାନକୁ ନେଇ ପ୍ରଶ୍ନ ଉଠିଥିବାବେଳେ ନିକଟରେ ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ ସମୟରେ ଜିଲ୍ଲାପାଳ ଡ. ମହେଶ୍ୱର ସ୍ୱାଇଁ ଏଭଳି ଅନିୟମିତତା ଦେଖିଥିବା ଜଣାପଡ଼ିଛି।

ଜିଲ୍ଲାପାଳ ରାଇଘର, ତେନ୍ତୁଳିଖୁଣ୍ଟି, ଡାବୁଗାଁ, ଉମରକୋଟ, କୋଷାଗୁମୁଡ଼ା ଓ ନବରଙ୍ଗପୁର ବ୍ଲକ୍‌ର ବିଭିନ୍ନ ଏସ୍‌ଏସ୍‌ଡି ଓ ଶିକ୍ଷା ବିଭାଗ ଅଧୀନ ସ୍କୁଲ ପରିଦର୍ଶନ କରିଥିଲେ। ଏହି ସମୟରେ ସ୍କୁଲର ପରିଚ୍ଛନ୍ନତା, ପାଠପଢ଼ା ଓ ମଧ୍ୟାହ୍ନଭୋଜନ ବ୍ୟବସ୍ଥା ଯାଞ୍ଚ କରିଥିଲେ। ଯାଞ୍ଚ ସମୟରେ ନିମ୍ନମାନର ସାମଗ୍ରୀରେ ଡାଲି ଓ ତରକାରୀ ପ୍ରସ୍ତୁତ ହେଉଥିବା ଦେଖିବାକୁ ମିଳିଥିଲା।

ରାଇଘର ବ୍ଲକ୍‌ର ହାଟଭରଣ୍ଡି ସ୍କୁଲରେ ପ୍ୟାକିଂ ହୋଇଥିବା କେତେକ ସାମଗ୍ରୀରେ ଏଫ୍‌ଏସ୍‌ଏସ୍‌ଆଇ ସ୍ୱୀକୃତି ନଥିବା ଜିଲ୍ଲାପାଳ ଦେଖିଥିଲେ। ସ୍କୁଲ କର୍ତ୍ତୃପକ୍ଷ ଏହି ସାମଗ୍ରୀ ହାଟଭରଣ୍ଡି ବଜାରର ଏକ ଦୋକାନରୁ କିଣିଥିବା କହିଥିଲେ। ପରେ ଜିଲ୍ଲାପାଳ ବିଡିଓଙ୍କ ସହ ଉକ୍ତ ଦୋକାନ ଯାଞ୍ଚ କରିଥିବାବେଳେ ପଡ଼ୋଶୀ ଛତିଶଗଡ଼ର ରାୟପୁରରୁ ମାନକବିହୀନ ରାସନ ସାମଗ୍ରୀ ଆଣାଯାଉଥିବା ଜଣାପଡ଼ିଥିଲା।

ସୂଚନା ଅନୁଯାୟୀ, ଜିଲ୍ଲାର ୧,୮୦୪ଟି ସ୍କୁଲରେ ପିଏମ୍‌ ପୋଷଣ ଯୋଜନାରେ ବାଲବାଟିକାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୧,୯୧,୬୧୪ ଜଣ ଛାତ୍ରଛାତ୍ରୀ ଏବଂ ୨୩୪ଟି ହାଇସ୍କୁଲରେ ସିଏମ୍‌ ପୋଷଣ ଯୋଜନାରେ ନବମ ଓ ଦଶମ ଶ୍ରେଣୀର ୪୨,୪୬୨ ଜଣ ଛାତ୍ରଛାତ୍ରୀ ମଧ୍ୟାହ୍ନଭୋଜନ ପାଉଛନ୍ତି। ଅର୍ଥାତ୍‌ ଜିଲ୍ଲାରେ ମୋଟ ୨,୩୪,୦୭୬ ଜଣ ପିଲାଙ୍କୁ ମଧ୍ୟାହ୍ନଭୋଜନ ଯୋଗାଇ ଦିଆଯାଉଛି।

ଜିଲ୍ଲାର ୧,୦୮୦ଟି ସ୍କୁଲରେ ଏସ୍‌ଏଚ୍‌ଜି ଏବଂ ୭୨୫ଟି ସ୍କୁଲରେ ଏସ୍‌ଏମ୍‌ସି ରୋଷେଇ କରି ମଧ୍ୟାହ୍ନଭୋଜନ ଯୋଗାଉଛନ୍ତି। ତେବେ ୫୦୦ରୁ ଅଧିକ ସ୍କୁଲରେ ଏଯାଏଁ ରୋଷେଇ ଘର ନଥିବା ଜଣାପଡ଼ିଛି। ଯେଉଁ କେତେକ ସ୍କୁଲରେ ରୋଷେଇ ଘର ରହିଛି, ସେଗୁଡ଼ିକର ଅବସ୍ଥା ମଧ୍ୟ ଶୋଚନୀୟ। କେଉଁଠି ଛାତ ଉଡ଼ିଯାଇଛି ତ ଆଉ କେଉଁଠି ରୋଷେଇ ଘର ଗୋଦାମ ଘର ପାଲଟିଛି।

ସେହିପରି ଜିଲ୍ଲାର ପ୍ରାୟ ୩୦୦ଟି ସ୍କୁଲରେ ବିଦ୍ୟୁତ୍‌ ସଂଯୋଗ ଏବଂ ୬୮୭ଟି ସ୍କୁଲରେ ଏଲ୍‌ପିଜି ଗ୍ୟାସ୍‌ ସଂଯୋଗ ହୋଇନାହିଁ। ୫୦୦ରୁ ଅଧିକ ସ୍କୁଲରେ ନଳକୂଅ ନଥିବାବେଳେ ଖାଇବା ପୂର୍ବରୁ ଓ ପରେ ହାତ ଏବଂ ପ୍ଲେଟ୍‌ ଧୋଇବା ପାଇଁ ମାତ୍ର ୩୫୦ଟି ସ୍କୁଲରେ ବ୍ୟବସ୍ଥା ରହିଛି। ବାକି ୧,୬୮୬ଟି ସ୍କୁଲରେ ଏହି ବ୍ୟବସ୍ଥା ଏଯାଏଁ ହୋଇପାରିନାହିଁ। ଅଧିକାଂଶ ସ୍କୁଲରେ ପୃଷ୍ଟିକର ବଗିଚା ଥିଲେ ମଧ୍ୟ ପନିପରିବା ଚାଷ ହେଉନଥିବା ଜଣାପଡ଼ିଛି।

ଏନେଇ ଜିଲ୍ଲା ଶିକ୍ଷାଧିକାରୀ ଛତ୍ରପତି ସାହୁ କହିଛନ୍ତି, ବାରମ୍ବାର ତାଗିଦ୍‌ ସତ୍ତ୍ୱେ କେତେକ ଶିକ୍ଷକ, ଏସ୍‌ଏମ୍‌ସି ଓ ଏସ୍‌ଏଚ୍‌ଜି ଗ୍ରୁପ୍‌ ସ୍ଥାନୀୟ ବଜାରରୁ ଖୁଚୁରା ସାମଗ୍ରୀ କିଣି ରୋଷେଇ କରୁଛନ୍ତି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ଏଡିଇଓ, ବିଇଓ, ଏବିଇଓ ଓ ସିଆରସିସିମାନେ ବିଭିନ୍ନ ସ୍କୁଲ ପରିଦର୍ଶନ କରି ତ୍ରିସ୍ତରୀୟ ଯାଞ୍ଚ କରୁଛନ୍ତି। ପ୍ରଧାନଶିକ୍ଷକଙ୍କ ବୈଠକରେ ପ୍ୟାକିଂ ଓ ଏଫ୍‌ଏସ୍‌ଏସ୍‌ଆଇ ଲୋଗୋ ଥିବା ସାମଗ୍ରୀ କିଣିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।