ବିଲାସପୁର: ଛତିଶଗଡ଼ର ବିଲାସପୁର ବିମାନବନ୍ଦରରେ ଶୁକ୍ରବାର ଲ୍ୟାଣ୍ଡିଂ ପରେ ଆଲାଏନ୍ସ ଏୟାର୍ର ଏକ ବିମାନର ଟାୟାର ଫାଟିଯିବାରୁ କିଛି ସମୟ ପାଇଁ ଆତଙ୍କର ପରିବେଶ ସୃଷ୍ଟି ହୋଇଥିଲା। ଦିଲ୍ଲୀରୁ ପ୍ରାୟ ୩୫ ଜଣ ଯାତ୍ରୀଙ୍କୁ ନେଇ ବିଲାସପୁର ଆସିଥିବା ବିମାନଟି ରନ୍ୱେରେ ସୁରକ୍ଷିତ ଭାବେ ଅବତରଣ କରିବା ପରେ ଏହାର ଟାୟାର ଫାଟିଥିଲା। ତେବେ ପାଇଲଟ୍ଙ୍କ ସତର୍କତା ଯୋଗୁଁ ବିମାନଟିକୁ ସୁରକ୍ଷିତ ଭାବେ ଅଟକାଯାଇଥିଲା। ଏଥିରେ କୌଣସି ଯାତ୍ରୀ ଆହତ ହୋଇନାହାନ୍ତି।
ବିମାନଟି ଅଟକିବା ପରେ ବିମାନବନ୍ଦର କର୍ମଚାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ସମସ୍ତ ୩୫ ଜଣ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ବିମାନରୁ ବାହାର କରାଯାଇଥିଲା। କାହାରି କୌଣସି କ୍ଷତି ହୋଇନଥିବାରୁ ଯାତ୍ରୀ ଓ ବିମାନବନ୍ଦର କର୍ମଚାରୀମାନେ ଆଶ୍ୱସ୍ତ ହୋଇଥିଲେ।
ଘଟଣା ପରେ ସୁରକ୍ଷା ଦୃଷ୍ଟିରୁ ବିଲାସପୁରରୁ ପ୍ରୟାଗରାଜ ଯିବାକୁ ଥିବା ଆଲାଏନ୍ସ ଏୟାର୍ର ପରବର୍ତ୍ତୀ ଉଡ଼ାଣକୁ ବାତିଲ କରାଯାଇଛି। ତେବେ ବିମାନର ଟାୟାର ଫାଟିବାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ବିମାନର ବୈଷୟିକ ଯାଞ୍ଚ ଜାରି ରହିଛି। ଯାଞ୍ଚ ପରେ ଟାୟାରରେ କେଉଁ କାରଣରୁ ସମସ୍ୟା ଦେଖାଦେଇଥିଲା, ତାହା ସ୍ପଷ୍ଟ ହେବ।




