ହୋସିଆରପୁର: ପଞ୍ଜାବରେ ସରକାରୀ କର୍ମଚାରୀଙ୍କ ଆନ୍ଦୋଳନ ତୀବ୍ର ହୋଇଛି। ସରକାରଙ୍କ ପକ୍ଷରୁ ଆଲୋଚନା ପାଇଁ ସର୍ତ୍ତ ରଖାଯିବା ଏବଂ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ୍ କର୍ମଚାରୀ ପ୍ରତିନିଧିଙ୍କୁ ଭେଟିବାକୁ ମନା କରିଥିବା ଅଭିଯୋଗରେ ଶୁକ୍ରବାର ହୋସିଆରପୁରରେ ତାଙ୍କ କୁଶପୁତ୍ତଳିକା ଦାହ କରାଯାଇଛି। ଏହା ସହ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ କର୍ମଚାରୀମାନେ ନାରାବାଜି କରି ତାଙ୍କ ଆଭିମୁଖ୍ୟକୁ ବିରୋଧ କରିଥିଲେ।
ହୋସିଆରପୁର ସିଭିଲ୍ ସର୍ଜନଙ୍କ କାର୍ଯ୍ୟାଳୟ ବାହାରେ ଜଏଣ୍ଟ କୋଅର୍ଡିନେସନ କମିଟି ପକ୍ଷରୁ ଏହି ପ୍ରତିବାଦ ଆୟୋଜିତ ହୋଇଥିଲା। ପଞ୍ଜାବ ଏମ୍ପ୍ଲଇଜ୍ ଆଣ୍ଡ ପେନ୍ସନର୍ସ ଜଏଣ୍ଟ ଫ୍ରଣ୍ଟ ଏବଂ ସାଞ୍ଝା ମୁଲାଜିମ ମଞ୍ଚ, ପଞ୍ଜାବକୁ ନେଇ ଏହି କମିଟି ଗଠିତ ହୋଇଛି। ପ୍ରତିବାଦ ସମୟରେ କର୍ମଚାରୀମାନେ ଗୁରୁବାରର ସାମୂହିକ ଛୁଟି ସମ୍ପର୍କିତ ସରକାରୀ ଚିଠିର ନକଲ ଜାଳିଥିଲେ। ଏଥିସହ ମୁଖ୍ୟମନ୍ତ୍ରୀ ମାନ୍ ‘ଏକ୍ସ’ରେ କରିଥିବା ଏକ ପୋଷ୍ଟର ନକଲକୁ ମଧ୍ୟ ଜାଳିଥିଲେ।
ମୁଖ୍ୟମନ୍ତ୍ରୀ ମାନ୍ ଗୁରୁବାର କହିଥିଲେ ଯେ, କର୍ମଚାରୀମାନେ ଆନ୍ଦୋଳନ ଜାରି ରଖିଲେ ସେମାନଙ୍କ ସହ ବୈଠକ କରାଯାଇପାରିବ ନାହିଁ। ଏହାକୁ ନେଇ କର୍ମଚାରୀ ନେତାମାନେ ତାଙ୍କ ଆଭିମୁଖ୍ୟକୁ ସମାଲୋଚନା କରିଥିଲେ। ୟୁନିୟନ ନେତାମାନେ ପଞ୍ଜାବ ଓ ହରିୟାଣା ହାଇକୋର୍ଟଙ୍କ ଡିଏ ପ୍ରଦାନ ସମ୍ପର୍କିତ ରାୟକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ଦାବି କରିଥିଲେ।
ଏହା ସହ ଦାବିପତ୍ରରେ ଥିବା ଅନ୍ୟାନ୍ୟ ଦାବିର ସମାଧାନ ପାଇଁ ମଧ୍ୟ ସରକାରଙ୍କ ନିକଟରେ କର୍ମଚାରୀ ସଂଗଠନଗୁଡ଼ିକ ଦାବି ରଖିଛନ୍ତି। ଗୁରୁବାର ପଞ୍ଜାବରେ ୩ ଲକ୍ଷରୁ ଅଧିକ ସରକାରୀ କର୍ମଚାରୀ ରାଜ୍ୟବ୍ୟାପୀ ଧର୍ମଘଟରେ ସାମିଲ ହୋଇଥିଲେ। ଏହାର ପ୍ରଭାବରେ ବିଭିନ୍ନ ସରକାରୀ ବିଭାଗର କାର୍ଯ୍ୟ ପ୍ରଭାବିତ ହୋଇଥିଲା।
ଜଲନ୍ଧରରେ ମୁଖ୍ୟମନ୍ତ୍ରୀ ମାନ୍ ଓ କର୍ମଚାରୀ ସଂଗଠନର ପ୍ରତିନିଧିମାନଙ୍କ ମଧ୍ୟରେ ବୈଠକ ଧାର୍ଯ୍ୟ ହୋଇଥିଲା। ତେବେ ଧର୍ମଘଟ ପ୍ରତ୍ୟାହାର କଲେ ହିଁ ଆଲୋଚନା କରାଯିବ ବୋଲି ମାନ୍ ସ୍ପଷ୍ଟ କରିବା ପରେ ବୈଠକ ବାତିଲ ହୋଇଥିଲା।




