ପୁରୀ: ନେପାଳରେ ଭୟଙ୍କର ବନ୍ୟା ବିପର୍ଯ୍ୟୟ ସମଗ୍ର ବିଶ୍ୱକୁ ଦୁଃଖୀ କରିଥିବାବେଳେ, ପ୍ରଭାବିତଙ୍କ ସହ ସମବେଦନା ଜଣାଇବା ପାଇଁ ଆଗେଇ ଆସିଛନ୍ତି ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ବାଲୁକା ଶିଳ୍ପୀ ତଥା ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ପୁରୀର ସୁବର୍ଣ୍ଣ ବେଳାଭୂମିରେ ସେ ଏକ ସ୍ୱତନ୍ତ୍ର ବାଲୁକା କଳା ନିର୍ମାଣ କରି ନେପାଳର ବନ୍ୟା ପୀଡ଼ିତଙ୍କ ପ୍ରତି ସମବେଦନା ଓ ସମର୍ଥନ ଜଣାଇଛନ୍ତି।
ଏହି ବାଲୁକା କଳାଟି ପାଖାପାଖି ୨୦ ଫୁଟ୍ ଚଉଡ଼ା ଏବଂ ୫ ଫୁଟ୍ ଉଚ୍ଚତା ବିଶିଷ୍ଟ। ଏହି ବିଶାଳ କଳାକୃତି ମାଧ୍ୟମରେ ସେ ‘ପ୍ରେୟର୍ସ ଫର୍ ନେପାଳ’ (Prayers for Nepal) ବାର୍ତ୍ତା ପ୍ରଦାନ କରିଛନ୍ତି। ପ୍ରାକୃତିକ ବିପର୍ଯ୍ୟୟର ଏହି କଠିନ ସମୟରେ ବିପନ୍ନଙ୍କୁ ଆଶା, ଦୟା, ସହାୟତା ଏବଂ ମାନବିକତାର ସ୍ପର୍ଶ ଦେବା ଏହି କଳାକୃତିର ମୁଖ୍ୟ ଉଦ୍ଦେଶ୍ୟ।
ଏହି ସୁନ୍ଦର ଓ ଭାବପୂର୍ଣ୍ଣ ବାଲୁକା କଳା ନିର୍ମାଣରେ ସୁଦର୍ଶନ ସାଣ୍ଡ ଆର୍ଟ ଇନଷ୍ଟିଚ୍ୟୁଟର ଛାତ୍ରଛାତ୍ରୀମାନେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।ଛାତ୍ରଛାତ୍ରୀ ଓ ସୁଦର୍ଶନଙ୍କ ମିଳିତ ଉଦ୍ୟମରେ ପ୍ରସ୍ତୁତ ଏହି ବାଲୁକା ସ୍କଲପଚର ଦେଶ ବିଦେଶର ପର୍ଯ୍ୟଟକଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ସମସ୍ତଙ୍କ ମନରେ ସମ୍ବେଦନଶୀଳତା ସୃଷ୍ଟି କରିଛି।
ଏହି ଅବସରରେ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ କହିଛନ୍ତି:
“ବାଲୁକା କଳା ମାଧ୍ୟମରେ ମୁଁ ବିଶ୍ୱବାସୀଙ୍କୁ ଏକାଠି ହେବାର ବାର୍ତ୍ତା ଦେବାକୁ ଚାହେଁ। ବିପଦ ଓ କଷ୍ଟକର ସମୟରେ ମାନବିକତା ସବୁବେଳେ ସୀମା ଭୁଲି ଏକାଠି ଠିଆ ହେବା ଦରକାର। ପ୍ରାକୃତିକ ବିପର୍ଯ୍ୟୟ ସମୟରେ ପ୍ରଭାବିତଙ୍କୁ ସମର୍ଥନ ଓ ସହାୟତାର ହାତ ବଢ଼ାଇବା ଆମ ସମସ୍ତଙ୍କର କର୍ତ୍ତବ୍ୟ।”
ସୂଚନାଯୋଗ୍ୟ ଯେ, ସୁଦର୍ଶନ ପଟ୍ଟନାୟକ ସବୁବେଳେ ବିଶ୍ୱର ବିଭିନ୍ନ ସାମାଜିକ, ପରିବେଶଗତ ଏବଂ ପ୍ରାକୃତିକ ବିପର୍ଯ୍ୟୟ ସମ୍ପର୍କିତ ସଂବେଦନଶୀଳ ଘଟଣାବଳୀକୁ ନିଜର ବାଲୁକା କଳା ମାଧ୍ୟମରେ ପ୍ରଦର୍ଶିତ କରିଥାନ୍ତି। ନେପାଳରେ ବନ୍ୟା ଯୋଗୁଁ ବହୁ ଧନଜୀବନ ହାନି ହୋଇଥିବାବେଳେ ପୁରୀ ବେଳାଭୂମିରୁ ଦିଆଯାଇଥିବା ଏହି ଆଧ୍ୟାତ୍ମିକ ଓ ମାନବୀୟ ବାର୍ତ୍ତା ବିଶ୍ୱ ସ୍ତରରେ ପ୍ରଶଂସିତ ହେଉଛି।




