ନୂଆଦିଲ୍ଲୀ: ଅସ୍ୱାସ୍ଥ୍ୟକର ପ୍ୟାକେଜ୍‌ ଖାଦ୍ୟ ବିରୁଦ୍ଧରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛି ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ (FSSAI)। ପ୍ୟାକେଟ୍‌ ମଧ୍ୟରେ କେତେ ପରିମାଣର ଫ୍ୟାଟ୍‌, ଲୁଣ ଓ ଚିନି ରହିଛି, ସେ ସମ୍ପର୍କରେ ଏବେ କମ୍ପାନୀଗୁଡ଼ିକୁ ସ୍ପଷ୍ଟ ସୂଚନା ଦେବାକୁ ପଡ଼ିବ। ଏହି ସୂଚନା ଖାଦ୍ୟ ପ୍ୟାକେଟ୍‌ର ସମ୍ମୁଖ ଭାଗରେ ଏକ ଲାଲ୍‌ ରଙ୍ଗର ଷଷ୍ଠଭୁଜାକୃତି ବକ୍ସରେ ଦର୍ଶାଇବା ପାଇଁ ଏଫ୍‌ଏସ୍‌ଏସ୍‌ଏଆଇ ପ୍ରସ୍ତାବ ଦେଇଛି।

ମୋଟାପଣ, ମଧୁମେହ, ଉଚ୍ଚ ରକ୍ତଚାପ ଏବଂ ଅନ୍ୟାନ୍ୟ ଜୀବନଶୈଳୀ ଜନିତ ରୋଗ ବିରୁଦ୍ଧରେ ଲଢ଼େଇ କରିବା ପାଇଁ ଏହି ନୂଆ କ୍ରମାଗତ ଯୋଜନା ପ୍ରସ୍ତୁତ କରାଯାଇଛି। ନିକଟରେ ସୁପ୍ରିମ୍ କୋର୍ଟ ଅସ୍ୱାସ୍ଥ୍ୟକର ଖାଦ୍ୟ ନିୟନ୍ତ୍ରଣ କରିବାକୁ କଡ଼ା ନିର୍ଦ୍ଦେଶ ଦେବା ଏବଂ ଚାପ ପକାଇବା ପରେ ଏଫ୍‌ଏସ୍‌ଏସ୍‌ଏଆଇ ସୁପ୍ରିମ୍‌ କୋର୍ଟରେ ଏକ ଆଫିଡେଭିଟ୍‌ ଦାଖଲ କରି ଏହି ପ୍ରସ୍ତାବ ସମ୍ପର୍କରେ ଜଣାଇଛି।

ଏହି ଆଫିଡେଭିଟ୍‌ରେ କୁହାଯାଇଛି ଯେ, ଖାଦ୍ୟ ସାମଗ୍ରୀରେ ମିଶାଯାଇଥିବା ଚିନି, ଫ୍ୟାଟ୍‌ ଏବଂ ଲବଣର ପରିମାଣ ଚିତ୍ରାତ୍ମକ ରୂପରେ ‘ଫ୍ରଣ୍ଟ-ଅଫ୍-ପ୍ୟାକ୍’ (FoP) ବୋର୍ଡରେ ପ୍ରଦର୍ଶିତ ହେବ। ଯଦି କୌଣସି ଖାଦ୍ୟରେ ଅଧିକ ଫ୍ୟାଟ୍‌, ଅଧିକ ଚିନି କିମ୍ବା ଅଧିକ ଲୁଣ ରହିଥାଏ, ତେବେ ଉପଭୋକ୍ତାମାନେ ଲାଲ୍‌ ରଙ୍ଗର ଷଷ୍ଠଭୁଜାକୃତି ବକ୍ସ ଦେଖି ସହଜରେ ସଚେତନ ହୋଇପାରିବେ।

ଗ୍ରାହକମାନେ, ବିଶେଷ କରି ଶିଶୁ ଓ ଯୁବପିଢ଼ି, ଯେପରି ସହଜରେ ବୁଝିପାରିବେ ଏବଂ ନିଜ ସ୍ୱାସ୍ଥ୍ୟ ପାଇଁ ସଠିକ୍ ଖାଦ୍ୟ ବାଛିପାରିବେ, ସେହି ଉଦ୍ଦେଶ୍ୟରେ ଏହି ସରଳ ଓ ପ୍ରମୁଖ ସତର୍କତା ବ୍ୟବସ୍ଥା ଲାଗୁ କରାଯାଉଛି। ଏହି ନିୟମ ଲାଗୁ ହେବା ପରେ ଏବେ ଖାଦ୍ୟ ପ୍ୟାକେଟ୍‌ ନିଜେ କହିବ ସେହି ଖାଦ୍ୟ ଆପଣଙ୍କ ପାଇଁ କେତେ ସ୍ୱାସ୍ଥ୍ୟକର।