ଅନୁଗୋଳ: ଅନୁଗୋଳ ଜିଲ୍ଲା ହଣ୍ଡପା ରେଳ ଷ୍ଟେସନ ନିକଟରେ ଚାଲିଥିବା ଏକ ବେଆଇନ କୋଇଲା ଷ୍ଟକ୍‌ୟାର୍ଡକୁ ନେଇ ଏବେ ବଡ଼ ବିବାଦ ସୃଷ୍ଟି ହୋଇଛି। ଘରୋଇ ଜମିରେ ବିନା ଲାଇସେନ୍ସରେ ଚାଲିଥିବା ଏହି ଷ୍ଟକ୍‌ୟାର୍ଡରୁ ପ୍ରାୟ ୪୨ ଲକ୍ଷ ୫୦ ହଜାର ଟଙ୍କା ମୂଲ୍ୟର ୧,୭୦୦ ଟନ୍‌ କୋଇଲା ଖଣି ବିଭାଗ ଜବତ କରିଥିଲା। ହେଲେ ଜବତ କୋଇଲାକୁ ଉକ୍ତ ବେଆଇନ ଷ୍ଟକ୍‌ୟାର୍ଡର ଠିକାଦାରଙ୍କ ଜିମାରେ ଛାଡ଼ିଦେବା ପରେ, ସେଠାରୁ ବିପୁଳ ପରିମାଣର କୋଇଲା ଗାଏବ ହୋଇଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ‘ବିଲେଇକୁ ମାଛ ଜଗିବା ପାଇଁ ଦେବା’ ଭଳି ପରିସ୍ଥିତି ସୃଷ୍ଟି କରିଥିବା ବେଳେ ଖଣି ବିଭାଗର ଭୂମିକାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସୂଚନାଯୋଗ୍ୟ ଯେ, ହଣ୍ଡପା ରେଳ ସାଇଡିଂ ବାହାରେ ବେଆଇନ ଭାବେ କୋଇଲା ମହଜୁଦ ରଖାଯାଇଥିବା ଖବର ପ୍ରକାଶ ପାଇବା ପରେ ତାଳଚେର ଖଣି ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପକ୍ଷରୁ ଗତ ୨୪ ତାରିଖରେ ତଦନ୍ତ କରାଯାଇଥିଲା। ଖଣି ବିଭାଗର ସ୍କ୍ବାଡ୍‌ ସେଠାରୁ ୧,୭୦୦ ଟନ୍‌ ବେଆଇନ କୋଇଲା ଜବତ କରିଥିଲେ। ମାତ୍ର ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ଏହି ଜବତ କୋଇଲାର ହେପାଜତ ଦାୟିତ୍ୱ ଉକ୍ତ ବେଆଇନ ଷ୍ଟକ୍‌ୟାର୍ଡର ପରିଚାଳନା ଠିକାଦାର ସଂସ୍ଥା ‘ଗୋଦାବରୀ କମୋଡିଟିଜ୍‌ ଲିମିଟେଡ୍‌’କୁ ଦିଆଯାଇଥିଲା।

ଜବତ ହେବାର ମାତ୍ର କିଛି ଦିନ ମଧ୍ୟରେ, ଅଗଷ୍ଟ ୨୭ ତାରିଖ ରାତିରୁ ୨୮ ତାରିଖ ପୂର୍ବାହ୍ଣ ମଧ୍ୟରେ ସେହି ବେଆଇନ ଷ୍ଟକ୍‌ୟାର୍ଡରୁ ଟନ୍‌ ଟନ୍‌ କୋଇଲା ଗାଏବ ହୋଇଯାଇଛି। ସ୍ଥାନୀୟ ଅଭିଯୋଗ ଅନୁଯାୟୀ, ଜେସିବି ଓ ଟ୍ରକ୍‌ ଲଗାଇ ଷ୍ଟକ୍‌ୟାର୍ଡ କର୍ତ୍ତୃପକ୍ଷ ବେଆଇନ ଭାବେ କୋଇଲା ପରିବହନ କରି ନେଇଛନ୍ତି, ଯାହାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି।

ବେଆଇନ ଷ୍ଟକ୍‌ୟାର୍ଡ ଯୋଗୁଁ ଖଣି ବିଭାଗ ପ୍ରଥମେ ଉକ୍ତ ସଂସ୍ଥାର ହଣ୍ଡପା ରେଳ ସାଇଡିଂରୁ କୋଇଲା ପରିବହନ ଅନୁମତି ବାତିଲ କରି ହିନ୍ଦୋଳ ରେଳ ସାଇଡିଂକୁ ବଦଳାଇଥିଲା। ମାତ୍ର ଏହାର ମାତ୍ର ଦିନକ ପରେ କେଉଁ ସ୍ୱାର୍ଥରେ ପୁଣିଥରେ ସେହି ସଂସ୍ଥାକୁ ହଣ୍ଡପା ସାଇଡିଂରୁ ପରିବହନ ଅନୁମତି ମିଳିଲା, ତାହାକୁ ନେଇ ସନ୍ଦେହ ଆହୁରି ଦୃଢ଼ ହୋଇଛି।

ଏ ସମ୍ପର୍କରେ ତାଳଚେର ଖଣି ଉପନିର୍ଦ୍ଦେଶକ ଦେବେନ୍ଦ୍ରନାଥ ଦଳାଇ କହିଛନ୍ତି ଯେ, ରେଳ ସାଇଡିଂ ବାହାରେ କୋଇଲା ରଖାଯାଇଥିବାରୁ ତାହାକୁ ଜବତ କରାଯାଇଛି ଏବଂ ସମ୍ପୃକ୍ତ ସଂସ୍ଥାକୁ ବେଆଇନ କାର୍ଯ୍ୟ ପାଇଁ ‘କାରଣ ଦର୍ଶାଅ’ ନୋଟିସ୍‌ ଜାରି କରାଯାଇଛି।