ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ା ଥାନା ପୁଲିସ ଏକ ଅନ୍ତଃଜିଲ୍ଲା ଅପରାଧ ଗୋଷ୍ଠୀକୁ ଧରିବାରେ ସଫଳ ହୋଇଛି। ଏହି ଗୋଷ୍ଠୀ ସୁନ୍ଦରଗଡ଼ ଓ ସମ୍ବଲପୁର ଜିଲ୍ଲାର ବିଭିନ୍ନ ସ୍ଥାନରୁ ବାଇକ୍ ଚୋରି କରିବା ସହ ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ରରେ ଚୋରି କରୁଥିବା ଅଭିଯୋଗ ରହିଛି। ଚଢ଼ଉ କରି ପୁଲିସ ୫ ଜଣଙ୍କୁ ଗିରଫ କରିବା ସହ ଜଣେ ନାବାଳକଙ୍କୁ ଅଟକ ରଖିଛି।
ସୁନ୍ଦରଗଡ଼ ଆରକ୍ଷୀ ଅଧୀକ୍ଷକ ଅମ୍ରିତପାଲ କୌରଙ୍କ ନିର୍ଦ୍ଦେଶକ୍ରମେ ସୁନ୍ଦରଗଡ଼ ସଦର ଉପଖଣ୍ଡ ପୁଲିସ ଅଧିକାରୀ ନିର୍ମଳ କୁମାର ମହାପାତ୍ର ଓ ଲେଫ୍ରିପଡ଼ା ଥାନା ଅଧିକାରୀ ସୁସ୍ମିତା ଦେବତାଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ପୁଲିସ ଟିମ୍ ଚଢ଼ଉ କରି ଏହି ଗୋଷ୍ଠୀକୁ ଧରିଥିଲା।
ଗିରଫ ଅଭିଯୁକ୍ତମାନେ ହେଲେ ଲେଫ୍ରିପଡ଼ା ଥାନା କାଡୋମାଲ ବାନପଡ଼ାର ରାଜେନ୍ଦ୍ର ରୋହିଦାସ (୪୭), କର୍ଲାଢିପାର ହେମନ୍ତ ମୁଣ୍ଡା (୨୨), ଭାଲୁପଡ଼ାର ଅନିଲ ରୋହିଦାସ (୧୮), ହେମଗିର ଥାନା ଗର୍ଜନବାହାଲର ରାଜୁ ବିଶ୍ୱକର୍ମା (୪୯) ଏବଂ କିଞ୍ଜିରକେଲା ଥାନା ସିକାଯୋରର ପରୀକ୍ଷିତ ମଣ୍ଡଳ (୪୦)। ସେମାନଙ୍କ ସହ ଜଣେ ନାବାଳକ ମଧ୍ୟ ଧରାପଡ଼ିଛି।
ପୁଲିସ ସେମାନଙ୍କ ନିକଟରୁ ୬ଟି ଚୋରା ମୋଟରସାଇକେଲ୍, ୧୦ଟି ଏଲପିଜି ଗ୍ୟାସ୍ ସିଲିଣ୍ଡର, ୫୦୦ କିଲୋଗ୍ରାମ ଚାଉଳ, ରୋଷେଇ ସାମଗ୍ରୀ, ଇନଭର୍ଟର ବ୍ୟାଟେରୀ ଏବଂ କମ୍ପ୍ୟୁଟର ଯନ୍ତ୍ରାଂଶ ଜବତ କରିଛି। ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ର ସମେତ ଅନ୍ୟ ସ୍ଥାନରେ ହୋଇଥିବା ଚୋରି ଘଟଣାରେ ଏହି ଗୋଷ୍ଠୀର ସମ୍ପୃକ୍ତି ରହିଛି କି ନାହିଁ, ତାହାର ତଦନ୍ତ ଚାଲିଛି।
ଏହାସହ ଗିରଫ ଅଭିଯୁକ୍ତମାନଙ୍କ ପୂର୍ବ ଅପରାଧିକ ରେକର୍ଡ ମଧ୍ୟ ଯାଞ୍ଚ କରୁଛି ପୁଲିସ। ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବାବେଳେ ନାବାଳକଙ୍କୁ ବାଳ ସୁଧାର ଗୃହକୁ ପଠାଯାଇଛି। ଅଭିଯୁକ୍ତମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି।




