ନ୍ୟୁୟର୍କ: ରାଜନୀତି ଆଜି କେବଳ ‘ସ୍ୱାର୍ଥର ଖେଳ’ ପାଲଟିଛି ବୋଲି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (RSS) ର ସରସଂଘଚାଳକ ମୋହନ ଭାଗବତ କହିଛନ୍ତି। ସମାଜ ଓ ସରକାରୀ ନୀତିରେ ସ୍ଥାୟୀ ପରିବର୍ତ୍ତନ ଆଣିବାକୁ ହେଲେ ପ୍ରଥମେ ସମାଜ ଭିତରୁ ହିଁ ସୁଧାର ଆରମ୍ଭ ହେବା ଆବଶ୍ୟକ। ଆମେରିକାର ନ୍ୟୁୟର୍କଠାରେ ଅନୁଷ୍ଠିତ ‘ୱାନ୍ ୱାର୍ଲ୍ଡ, ୱାନ୍ ହ୍ୟୁମାନିଟି’ (ଏକ ବିଶ୍ୱ, ଏକ ମାନବତା) କାର୍ଯ୍ୟକ୍ରମରେ ଧର୍ମଗୁରୁମାନଙ୍କୁ ସମ୍ବୋଧିତ କରି ସେ ଏହା କହିଛନ୍ତି।
ସରସଂଘଚାଳକ ଭାଗବତ କହିଛନ୍ତି ଯେ, କେବଳ ରାଜନୈତିକ ପଦକ୍ଷେପ ଦ୍ୱାରା ସମାଜରେ ଏକତା କିମ୍ବା ଗଭୀର ଭାବେ ରହିଥିବା ସାମାଜିକ ସଂସ୍କାର ଆଣିବା ସମ୍ଭବ ନୁହେଁ। ବ୍ୟକ୍ତିଗତ ସ୍ୱାର୍ଥପରତା ଯୋଗୁଁ ସାମାଜିକ ବିଭାଜନର ସମାଧାନ ଖୋଜିବା କଷ୍ଟକର ହୋଇପଡ଼ିଛି। ‘ମୁଁ’ ବଦଳରେ ‘ଆମେ ଏବଂ ଆମର’ ଚିନ୍ତାଧାରା ହିଁ ସମସ୍ତ ସମସ୍ୟାର ସମାଧାନ। ଭାରତର ସଂସ୍କୃତି ଓ ଅନୁଭବ ଶିଖାଏ ଯେ କୌଣସି ବି ପରିବର୍ତ୍ତନର ଆରମ୍ଭ ସମାଜରୁ ହିଁ ହେବା ଦରକାର।
ଧର୍ମଗୁରୁମାନେ ଯୁଦ୍ଧ ରୋକିବା, ନୀତି ନିର୍ଦ୍ଧାରଣକୁ ପ୍ରଭାବିତ କରିବା ଏବଂ ସରକାରଗୁଡ଼ିକୁ ସଠିକ୍ ବାଟରେ ନେବାକୁ ଚାହାଁନ୍ତି। କିନ୍ତୁ ଏହାର ଆରମ୍ଭ ରାଜନୈତିକ ସ୍ତରରୁ ହୋଇପାରିବ ନାହିଁ। ଗଣତାନ୍ତ୍ରିକ ବ୍ୟବସ୍ଥାରେ ସରକାର ଜନସାଧାରଣଙ୍କ ମତାମତ ଉପରେ ନିର୍ଭର କରନ୍ତି। ଯଦି ଦୃଢ଼ ଜନମତ ସୃଷ୍ଟି ହୁଏ, ତେବେ କୌଣସି ରାଜନେତା ତାହା ବିରୋଧରେ ଯିବାକୁ ସାହସ କରିବେ ନାହିଁ।
ସେ ଆହ୍ୱାନ ଦେଇଛନ୍ତି ଯେ ପ୍ରତ୍ୟେକ ବ୍ୟକ୍ତି ନିଜ ନିଜ ଦେଶ ଓ ଅଞ୍ଚଳରେ ନିଶ୍ୱାର୍ଥପର ସେବା ଏବଂ ଏକତାର ପରିବେଶ ସୃଷ୍ଟି କରନ୍ତୁ। କେବଳ ଶୀର୍ଷ ସ୍ତରର ଧର୍ମଗୁରୁଙ୍କ ମଧ୍ୟରେ ନୁହେଁ, ବରଂ ଜିଲ୍ଲା, ବ୍ଲକ୍ ଓ ଗ୍ରାମୀଣ ସ୍ତରରେ ବିଭିନ୍ନ ଧର୍ମ ଓ ସମ୍ପ୍ରଦାୟ ମଧ୍ୟରେ ନିରନ୍ତର ଆଲୋଚନା ହେବା ଆବଶ୍ୟକ।
ସମାଜର ମାନସିକତା ବଦଳାଇବା ଏକ ଦୀର୍ଘ ଓ କଷ୍ଟକର ପ୍ରକ୍ରିୟା, କିନ୍ତୁ ସମସ୍ତେ ମିଳିମିଶି ପ୍ରୟାସ କଲେ ବିଶ୍ୱର ସ୍ଥିତିରେ ପରିବର୍ତ୍ତନ ଅଣାଯାଇପାରିବ ବୋଲି ସେ ପ୍ରକାଶ କରିଛନ୍ତି।




