ରାଉରକେଲା: ରାଉରକେଲା ସର୍କିଟ୍ ହାଉସରୁ ବନ୍ଧୁକ ଜବତ ଘଟଣାକୁ ନେଇ ସୁନ୍ଦରଗଡ଼ ରାଜନୀତି ସରଗରମ ହୋଇଉଠିଛି। ଗିରଫ ଅପରାଧୀଙ୍କ ସହ ସମ୍ପୃକ୍ତିର ନିରପେକ୍ଷ ତଦନ୍ତ ଏବଂ ଗଣମାଧ୍ୟମରେ ଦେଇଥିବା ଅଶାଳୀନ ମନ୍ତବ୍ୟ ପାଇଁ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ଇସ୍ତଫା ଦାବି କରିଛି କଂଗ୍ରେସ।

ଏହି ଘଟଣାର ପ୍ରତିବାଦରେ ଆଜି ଉଦିତନଗର ସ୍ଥିତ ଆମ୍ବେଦକର ଛକରେ ଜିଲ୍ଲା ଯୁବ, ଛାତ୍ର ଓ ମହିଳା କଂଗ୍ରେସ ପକ୍ଷରୁ ଏକ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। କେନ୍ଦ୍ରମନ୍ତ୍ରୀ ନିଜ ପଦବୀରୁ ତୁରନ୍ତ ଇସ୍ତଫା ନଦେଲେ ଆଗାମୀ ଦିନରେ ଏହି ଆନ୍ଦୋଳନକୁ ଆହୁରି ଜୋରଦାର ଓ ବ୍ୟାପକ କରାଯିବ ବୋଲି କଂଗ୍ରେସ ନେତାମାନେ ଚେତାବନୀ ଦେଇଛନ୍ତି।

ଜିଲ୍ଲା କଂଗ୍ରେସର ପୂର୍ବତନ ସଭାପତି ଜ୍ଞାନେନ୍ଦ୍ର ଦାସ କେନ୍ଦ୍ରମନ୍ତ୍ରୀଙ୍କୁ କଠୋର ଭାଷାରେ ସମାଲୋଚନା କରିଛନ୍ତି। ସେ କହିଛନ୍ତି, “ନିଜକୁ ଜଣେ ଟାଣୁଆ ଆଦିବାସୀ ନେତା ଭାବେ ଦାବି କରୁଥିବା ଜୁଏଲ ଓରାମ ସୁନ୍ଦରଗଡ଼ର ଆଦିବାସୀଙ୍କ ବିକାଶ ପାଇଁ କୌଣସି କାର୍ଯ୍ୟ କରିନାହାନ୍ତି। ସେ ଗଣମାଧ୍ୟମ ସମ୍ମୁଖରେ ଯେଉଁ ଚ୍ୟାଲେଞ୍ଜ ଦେଉଛନ୍ତି, ତାହା ବଦଳରେ ଆମେ ତାଙ୍କୁ ଚ୍ୟାଲେଞ୍ଜ ଦେଉଛୁ, ସେ ପୁଣି ଥରେ ନିର୍ବାଚନ ଲଢ଼ି ଦେଖାନ୍ତୁ। ଜିଲ୍ଲାବାସୀ ନିଶ୍ଚିତ ଭାବେ ଏହାର ଦୃଢ଼ ଜବାବ ଦେବେ।”

ଏତେ ବଡ଼ ସମ୍ବେଦନଶୀଳ ଘଟଣା ଘଟିଥିଲେ ସୁଦ୍ଧା ଜିଲ୍ଲା ବିଜୁ ଜନତା ଦଳ ସମ୍ପୂର୍ଣ୍ଣ ନୀରବ ବସିବାକୁ ନେଇ ସ୍ଥାନୀୟ ଅଞ୍ଚଳରେ ନାନା ଚର୍ଚ୍ଚା ଚାଲିଛି। ଅପରପକ୍ଷରେ, ଦଳୀୟ କନ୍ଦଳ ଯୋଗୁଁ ବିଜେପିର ଗୋଟିଏ ଗୋଷ୍ଠୀ ନିଜେ ଜୁଏଲଙ୍କୁ କେନ୍ଦ୍ରମନ୍ତ୍ରୀ ପଦରୁ ହଟାଇବା ପାଇଁ ଭିତରେ ଭିତରେ ସକ୍ରିୟ ହୋଇପଡ଼ିଥିବା ଚର୍ଚ୍ଚା ହେଉଛି।