ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ୍ କି ବାତ୍’ର ୧୩୭ତମ ସଂସ୍କରଣରେ ଓଡ଼ିଶାର ବରଗଡ଼ ଜିଲ୍ଲା ସ୍ଥିତ ଡେବ୍ରୀଗଡ଼ ଅଞ୍ଚଳର ମୈଥିଲୀ ଭୁଏଙ୍କ ନିଷ୍ଠାପର ଜଙ୍ଗଲ ସୁରକ୍ଷା ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଛନ୍ତି। ସମାଜରେ ଛୋଟ ପ୍ରୟାସ ମାଧ୍ୟମରେ ଅନେକଙ୍କ ଜୀବନ ବଦଳାଇ ଦେଉଥିବା ପ୍ରେରଣାଦାୟୀ ବ୍ୟକ୍ତିବିଶେଷଙ୍କ ମଧ୍ୟରେ ମୈଥିଲୀ ଅନ୍ୟତମ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ଜୀବିକା ସହ ପ୍ରକୃତି ସୁରକ୍ଷାର ନୂଆ ବାଟ:
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଡେବ୍ରୀଗଡ଼ ନିକଟସ୍ଥ ଧୋଡ଼୍ରୋକୁସୁମ୍ ଗ୍ରାମର ମୈଥିଲୀ ଭୁଏ କିଛି ବର୍ଷ ପୂର୍ବରୁ ନିଜ ପରିବାରର ଗୁଜୁରାଣ ମେଣ୍ଟାଇବା ପାଇଁ ଜାଳେଣି କାଠ, ମହୁଲ, କେନ୍ଦୁପତ୍ର, ବାଉଁଶ ଗଜା ଓ ଅନ୍ୟାନ୍ୟ ଜଙ୍ଗଲୀ ଦ୍ରବ୍ୟ ସଂଗ୍ରହ କରିବାକୁ ପ୍ରତିଦିନ ଜଙ୍ଗଲ ଯାଉଥିଲେ। କିନ୍ତୁ ଡେବ୍ରୀଗଡ଼ ଇକୋ-ଟୁରିଜିମ୍ (ପରିବେଶ ପର୍ଯ୍ୟଟନ) ସହ ଯୋଡ଼ିହେବା ପରେ ଜଙ୍ଗଲ ସହ ତାଙ୍କର ସମ୍ପର୍କ ଏକ ନୂଆ ଦିଗ ନେଇଥିଲା। ଜଙ୍ଗଲ ସୁରକ୍ଷା ହିଁ ତାଙ୍କ ରୋଜଗାରର ମୁଖ୍ୟ ମାଧ୍ୟମ ପାଲଟିଗଲା।
୬୦ରୁ ଅଧିକ ମହିଳାଙ୍କୁ ପ୍ରେରଣା:
ମୈଥିଲୀଙ୍କ ଏହି ପରିବର୍ତ୍ତନ ସ୍ଥାନୀୟ ଅଞ୍ଚଳର ଅନ୍ୟ ମହିଳାମାନଙ୍କୁ ପ୍ରଭାବିତ କରିଥିଲା। ଆଜି ତାଙ୍କ ସହ ୬୦ରୁ ଅଧିକ ମହିଳା ଜଙ୍ଗଲ ସୁରକ୍ଷା କାର୍ଯ୍ୟରେ ସକ୍ରିୟ ଭାବେ ନିୟୋଜିତ ଅଛନ୍ତି। କେତେକ ବନ୍ୟଜନ୍ତୁ ସୁରକ୍ଷା ଦାୟିତ୍ୱ ନେଇଥିବା ବେଳେ ଅନ୍ୟମାନେ ଘାସପଡ଼ିଆ ବିକାଶ ଓ ଇକୋ-ଟୁରିଜିମ୍ କାର୍ଯ୍ୟରେ ଯୋଗଦାନ ଦେଉଛନ୍ତି। “ମୈଥିଲୀ ଓ ଡେବ୍ରୀଗଡ଼ର ଭଉଣୀମାନେ ପ୍ରମାଣିତ କରିଛନ୍ତି ଯେ ପ୍ରକୃତିର ସୁରକ୍ଷା କରିବା ସହ ଜୀବନରେ ସମୃଦ୍ଧି ହାସଲ କରାଯାଇପାରିବ,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ସେ କହିଛନ୍ତି, “ବରଗଡ଼ର ମୈଥିଲୀ ଭୁଏଙ୍କ ଏହି ଅସାଧାରଣ ପ୍ରୟାସ ସମଗ୍ର ଓଡ଼ିଶା ପାଇଁ ଅତ୍ୟନ୍ତ ଗର୍ବର ବିଷୟ। ଜାତୀୟ ସ୍ତରରେ ଓଡ଼ିଶାର ନାରୀଶକ୍ତିର ଏହି ସଂକଳ୍ପକୁ ସମ୍ମାନିତ କରିଥିବାରୁ ମୁଁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଉଛି। ଜଙ୍ଗଲ ଓ ବନ୍ୟଜନ୍ତୁ ସୁରକ୍ଷା ସହ ନିଜକୁ ଏବଂ ୬୦ରୁ ଉର୍ଦ୍ଧ୍ୱ ମହିଳାଙ୍କୁ ସ୍ୱାବଲମ୍ବୀ କରିବାର ଏହି ମୋଡେଲ୍ ଓଡ଼ିଆ ଅସ୍ମିତା, ପରିବେଶ ସୁରକ୍ଷା ଓ ମହିଳା ସଶକ୍ତୀକରଣର ଏକ ଅନନ୍ୟ ଉଦାହରଣ।”




