କାଠମାଣ୍ଡୁ: ନେପାଳରେ ସୃଷ୍ଟି ହୋଇଥିବା ପ୍ରଳୟଙ୍କରୀ ବନ୍ୟା ଓ ଭୂସ୍ଖଳନ ସାରା ଦେଶରେ ତାଣ୍ଡବ ରଚିଛି। ଜଳପ୍ଲାବନ ଯୋଗୁଁ ବ୍ୟାପକ ଧନଜୀବନ ହାନି ଘଟିଥିବା ବେଳେ ଉଦ୍ଧାରକାରୀ ଦଳ ସନ୍ଧାନ ଅଭିଯାନ ଜାରି ରଖିଛନ୍ତି। ଏହି ମର୍ମନ୍ତୁଦ ବିପତ୍ତି ମଧ୍ୟରେ ଅନେକ ହୃଦୟବିଦାରକ କାହାଣୀ ସାମ୍ନାକୁ ଆସୁଛି, ଯାହା ମଧ୍ୟରୁ ନୁଆକୋଟ୍ ଜିଲ୍ଲାର ଏକ ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି।
ନିମିଷକେ ଶେଷ ହୋଇଗଲା ପରିବାର:
ନୁଆକୋଟ୍ ଜିଲ୍ଲାର ତୁଲାରାମ ଗୁରମିର ନାମକ ଜଣେ ଯୁବକ ନିଜ ମାଉସୀ ପୁଅ ଭାଇର କରୁଣ କାହାଣୀ ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଯେ, କେବଳ ଚା’ ପିଇବା ପାଇଁ ଘରୁ ବାହାରକୁ ଆସିଥିବାରୁ ତାଙ୍କ ମାଉସୀ ପୁଅର ଜୀବନ ବଞ୍ଚିଯାଇଛି। କିନ୍ତୁ ଆଖି ପିଛୁଳାକେ ମାଟିସ୍କଳନ ଓ ବନ୍ୟାର ପ୍ରବଳ ସ୍ରୋତରେ ତାଙ୍କର ପୁରା ଘର ସହ ବାପା, ମାଆ, ଭଉଣୀ ଏବଂ ଭାଣିଜୀ ଭାସିଯାଇଛନ୍ତି।
ବନ୍ୟା ମାଡ଼ି ଆସୁଥିବା ଦେଖି ସେ ପରିବାର ଲୋକଙ୍କୁ ସଚେତନ କରିବାକୁ ଦୌଡ଼ିଥିଲେ ମଧ୍ୟ ସେତେବେଳକୁ ସବୁକିଛି ଶେଷ ହୋଇସାରିଥିଲା। ଏବେ ତାଙ୍କର ଘର, ସମ୍ପତ୍ତି ଓ ପରିବାର ସବୁକିଛି ଲୀନ ହୋଇଯାଇଥିବାରୁ ସେ ସମ୍ପୂର୍ଣ୍ଣ ସ୍ତବ୍ଧ ହୋଇପଡ଼ିଛନ୍ତି।
ମୃତଦେହ ଚିହ୍ନଟ ପାଇଁ ପରିବାରର ଚାତକ ପ୍ରତୀକ୍ଷା:
ଅପରପକ୍ଷରେ, କାଠମାଣ୍ଡୁ ସ୍ଥିତ ତ୍ରିଭୁବନ ବିଶ୍ୱବିଦ୍ୟାଳୟ ମେଡିକାଲ କ୍ୟାମ୍ପସ ମୋର୍ଗ (ଶବଗୃହ) ବାହାରେ ଶୋକାକୁଳ ପରିବାରବର୍ଗଙ୍କ ଭିଡ଼ ଜମିଛି। ସେଠାରେ ରଖାଯାଇଥିବା ସୂଚନା ଫଳକ ଓ ପୋଷ୍ଟରରୁ ନିଜ ସମ୍ପର୍କୀୟଙ୍କୁ ଖୋଜୁଛନ୍ତି ଲୋକେ। ଜନକପୁରରୁ ଆସିଥିବା ଜଣେ ବ୍ୟକ୍ତି ନିଜ ନିଖୋଜ ସେନା ଅଫିସର ଭାଇଙ୍କ ଫଟୋ ଦେଖାଇ ଅପେକ୍ଷା କରିଥିବା ବେଳେ, ଅନ୍ୟ ଜଣେ ଆତ୍ମୀୟ କହିଛନ୍ତି ଯେ ବୁଧବାର ସକାଳ ୮:୪୫ ପରଠାରୁ ତାଙ୍କ ସମ୍ପର୍କୀୟଙ୍କ ସହ କୌଣସି ଯୋଗାଯୋଗ ହୋଇପାରିନାହିଁ। ସେ ଜୀବିତ ଅଛନ୍ତି ନା ମୃତ, ସେ ନେଇ କିଛି ବି ସୂଚନା ମିଳୁନାହିଁ।
୭००ରୁ ଉର୍ଦ୍ଧ୍ୱ ମୃତ, ହଜାର ହଜାର ନିଖୋଜ:
ନେପାଳର ଜାତୀୟ ବିପର୍ଯ୍ୟୟ ପ୍ରଶମନ ଓ ପରିଚାଳନା ପ୍ରାଧିକରଣ (NDRRMA) ଅନୁଯାୟୀ, ଅଗଷ୍ଟ ୨୬ରେ ଆସିଥିବା ଏହି ଭୟଙ୍କର ବନ୍ୟାରେ ବର୍ତ୍ତମାନ ସୁଦ୍ଧା ୭୩୪ ଜଣଙ୍କର ମୃତ୍ୟୁ ଘଟିସାରିଛି। ଏହାସହ ୫୮୯ ଜଣ ବିଦେଶୀ ନାଗରିକଙ୍କ ସମେତ ମୋଟ ୨,୪୯୮ ଜଣ ଲୋକ ଏବେ ବି ନିଖୋଜ ଅଛନ୍ତି।




