ବାରିପଦା: ନେପାଳରେ ସୃଷ୍ଟି ହୋଇଥିବା ପ୍ରଳୟଙ୍କରୀ ବନ୍ୟା ଓ ଭୂସ୍ଖଳନ ମଧ୍ୟରୁ ମୃତ୍ୟୁକୁ ପଛରେ ପକାଇ ସୁରକ୍ଷିତ ଭାବେ ଘରକୁ ଫେରିଛନ୍ତି ଓଡ଼ିଆ ଝିଅ କୁଲସୁମ୍ ନିଗାର। ମୟୂରଭଞ୍ଜ ଜିଲ୍ଲା ବାରିପଦାର ଏହି ସାହସୀ ଝିଅ ନିଜ ଘରେ ପହଞ୍ଚିବା ପରେ ପରିବାର ଓ ସ୍ଥାନୀୟ ଅଞ୍ଚଳରେ ଆଶ୍ୱସ୍ତି ସହ ଖୁସିର ଲହରୀ ଖେଳିଯାଇଛି।

ସୁରକ୍ଷିତ ଫେରିବା ପରେ କୁଲସୁମ୍ ନେପାଳରେ ଘଟିଥିବା ସେହି ମର୍ମନ୍ତୁଦ ଓ ଭୟାନକ ସ୍ଥିତି ବିଷୟରେ କହିଛନ୍ତି। ବନ୍ୟାର ପ୍ରକୋପ ମଧ୍ୟରେ କିଭଳି ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଥିଲା, ଭୂସ୍ଖଳନ ଯୋଗୁଁ ଯୋଗାଯୋଗ ବିଚ୍ଛିନ୍ନ ହୋଇ ସେମାନେ କିପରି ଅସହାୟ ଭାବେ ଫସି ରହିଥିଲେ ଏବଂ ଶେଷରେ କିପରି ସେଠାରୁ ଉଦ୍ଧାର ପାଇ ସୁରକ୍ଷିତ ଭାବେ ଓଡ଼ିଶା ଫେରିଲେ, ସେ ନେଇ ସମ୍ପୂର୍ଣ୍ଣ ଅନୁଭୂତି ପ୍ରକାଶ କରିଛନ୍ତି।

କେବଳ କୁଲସୁମ୍ ନୁହଁନ୍ତି, ତାଙ୍କ ସହିତ ନେପାଳ ଗସ୍ତରେ ଯାଇଥିବା ଅନ୍ୟ ସାଥିମାନେ ମଧ୍ୟ ସୁରକ୍ଷିତ ଭାବେ ନିଜ ନିଜ ଘରକୁ ଫେରିଆସିଛନ୍ତି। ନେପାଳରେ ଆକସ୍ମିକ ବନ୍ୟା ଓ ଭୂସ୍ଖଳନ ଯୋଗୁଁ ବ୍ୟାପକ ଧନଜୀବନ ହାନି ଘଟିଥିବା ବେଳେ, ନିଜ ଝିଅର କୌଣସି ଖବର ନପାଇ ପରିବାର ଲୋକେ ଗଭୀର ଚିନ୍ତାରେ ଦିନ କାଟୁଥିଲେ।

ଏବେ ଝିଅ ସୁରକ୍ଷିତ ଭାବେ ନିଜ ନିଜ ଘରକୁ ଫେରିଆସିବା ପରେ ପରିବାର ବର୍ଗ ପ୍ରଭୁ ଜଗନ୍ନାଥଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଝିଅକୁ ଆଖି ଆଗରେ ପାଇ ବାପା-ମାଆଙ୍କ ଆଖିରୁ ଖୁସିର ଲୁହ ବୋହିଯାଇଛି।