ଦୁବାଇ: ହୋର୍ମୁଜ ପ୍ରଣାଳୀ ସ୍ଥିତ ଲାରାକ୍ ଦ୍ୱୀପରେ ଆମେରିକାର ସାମରିକ ଆକ୍ରମଣର ଜବାବରେ ଇରାନ ସେନା ସଂଯୁକ୍ତ ଆରବ ଏମିରେଟ୍ସ ର ଅଲ୍ ମିନହାଦ୍ ବିମାନଘାଟିରେ ଡ୍ରୋନ୍ ଆକ୍ରମଣ କରିଥିବା ଦାବି କରିଛି। ଏହି ବେସ୍ରେ ମୁତୟନ ଥିବା ଆମେରିକୀୟ ହେଲିକପ୍ଟର ଓ ସୈନ୍ୟବାହିନୀକୁ ଲକ୍ଷ୍ୟ କରି ଏକାଧିକ ବିସ୍ଫୋରକ ଡ୍ରୋନ୍ ମାଡ଼ କରାଯାଇଛି ବୋଲି ଇରାନ ସେନା ପକ୍ଷରୁ କୁହାଯାଇଛି।
ଇରାନର ସରକାରୀ ସମ୍ବାଦ ସଂସ୍ଥା ‘ତସନିମ୍’ ର ରିପୋର୍ଟ ଅନୁଯାୟୀ, ଗତକାଲି ରାତିରେ ଲାରାକ୍ ଦ୍ୱୀପରେ ଆମେରିକା ପକ୍ଷରୁ କରାଯାଇଥିବା ହମଲାରେ ଇସ୍ଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କୋର୍ ର ସୈନିକ ଏବଂ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିଲା।ଏହାର ପ୍ରତିଶୋଧ ନେବାକୁ ଯାଇ ସୋମବାର ସକାଳୁ ୟୁଏଇସ୍ଥିତ ଅଲ୍ ମିନହାଦ୍ ଆମେରିକୀୟ ସାମରିକ ଘାଟିକୁ ଟାର୍ଗେଟ୍ କରାଯାଇଛି।
ୟୁଏଇର କଡ଼ା ଜବାବ:
ଅପରପକ୍ଷରେ, ୟୁଏଇ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଇରାନ ପଟୁ ନିଜର ଆକାଶମାର୍ଗ ଆଡ଼କୁ ଆସୁଥିବା ଏକ ମାନବରହିତ ବିମାନ କୁ ୟୁଏଇ ବାୟୁସେନା ସଫଳତାର ସହ ଚିହ୍ନଟ କରି ନିଷ୍କ୍ରିୟ କରିଛି।ଦେଶର ବାୟୁସେନା ଓ ପ୍ରତିରକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଆଲର୍ଟ ରହିଥିବା ସହ କୌଣସି ଗୁଜବରେ ବିଶ୍ୱାସ ନକରିବାକୁ ସାଧାରଣ ଜନତାଙ୍କୁ ଅନୁରୋଧ କରାଯାଇଛି।
ଏହା ପୂର୍ବରୁ ଇରାନର IRGC ଜୋର୍ଡାନରେ ଥିବା ଆମେରିକାର କିଙ୍ଗ ହୁସେନ୍ ଏବଂ ଅଲ୍-ଆଜରାକ୍ ବିମାନଘାଟି ଉପରେ ମିସାଇଲ୍ ଓ ଡ୍ରୋନ୍ ଆକ୍ରମଣ କରିଥିବା ଦାବି କରିଥିଲା। ହୋର୍ମୁଜ ପ୍ରଣାଳୀରେ ନୌସେନା ମାଇନ୍ ବିଛାଇବା ପାଇଁ ଇରାନ ପ୍ରସ୍ତୁତି କରୁଥିବା ଅଭିଯୋଗ କରି ଆମେରିକା ଲାରାକ୍ ଦ୍ୱୀପରେ ମିସାଇଲ୍ ଲଞ୍ଚରଗୁଡ଼ିକୁ ଧ୍ୱଂସ କରିଥିଲା, ଯାହା ପରେ ସମଗ୍ର ମଧ୍ୟପ୍ରାଚ୍ୟରେ ଉତ୍ତେଜନା କାଶ୍ମୀରଠାରୁ ଆହୁରି ଗମ୍ଭୀର ରୂପ ନେଇଛି।




