ନୂଆଦିଲ୍ଲୀ: ଉତ୍ତରାଖଣ୍ଡରେ ‘ଶୁଦ୍ଧିକରଣ’ ବିବାଦକୁ ନେଇ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ଏଫ୍ଆଇଆର୍ ରୁଜୁ ହେବା ପରେ ବିଜେପି ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ। ଦଳ ଅଭିଯୋଗ କରିଛି ଯେ ମଲ୍ଲିକାର୍ଜୁନ ଖାର୍ଗେଙ୍କ କାର୍ଯ୍ୟକ୍ରମ ପରେ ଶୁଦ୍ଧିକରଣ କରିଥିବା ବ୍ୟକ୍ତିଙ୍କ ବିରୋଧରେ ଏଫ୍ଆଇଆର୍ ହୋଇନଥିବା ବେଳେ ଏହାକୁ ନେଇ ସ୍ୱର ଉଠାଇଥିବା ରାହୁଲ ଗାନ୍ଧୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି।
କଂଗ୍ରେସ ଏହି ପ୍ରସଙ୍ଗରେ ବିଜେପି ଓ ଉତ୍ତରାଖଣ୍ଡ ସରକାରଙ୍କୁ ପ୍ରଶ୍ନ କରିଛି। ଶୁଦ୍ଧିକରଣରେ ସମ୍ପୃକ୍ତ ଲୋକଙ୍କ ବିରୋଧରେ ଏଫ୍ଆଇଆର୍ କରିବାକୁ ସରକାର କାହିଁକି ପଛଘୁଞ୍ଚା ଦେଉଛନ୍ତି ବୋଲି ଦଳ ପ୍ରଶ୍ନ କରିଛି। ଏହା ଦଳିତଙ୍କ ସମ୍ମାନ ଓ ନ୍ୟାୟ ପ୍ରତି ସରକାରଙ୍କ ଆଭିମୁଖ୍ୟକୁ ଦର୍ଶାଉଛି ବୋଲି କଂଗ୍ରେସ ଅଭିଯୋଗ କରିଛି।
ଏହି ଘଟଣାକୁ ବିଜେପି-ଆର୍ଏସ୍ଏସ୍ର ଦଳିତ ବିରୋଧୀ ମାନସିକତାର ପ୍ରତିଫଳନ ବୋଲି ମଧ୍ୟ କଂଗ୍ରେସ କହିଛି। ଦଳର ମତରେ, କେବଳ ଏଫ୍ଆଇଆର୍ ରୁଜୁ କରିଦେଲେ ମୂଳ ପ୍ରସଙ୍ଗକୁ ଚାପି ଦିଆଯାଇପାରିବ ନାହିଁ।
‘ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଚୁପ୍ ରହିବିନି’
ଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀରେ ରାହୁଲ ଗାନ୍ଧୀ କହିଥିଲେ ଯେ ଏହି ଘଟଣାରେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ସେ ଚୁପ୍ ବସିବେ ନାହିଁ। ଶୁଦ୍ଧିକରଣ ଘଟଣାରେ ଦାୟୀ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ ହେବା ଆବଶ୍ୟକ ବୋଲି ସେ ଦାବି କରିଥିଲେ।
କଂଗ୍ରେସର ଗଣମାଧ୍ୟମ ବିଭାଗ ମୁଖ୍ୟ ପବନ ଖେରା ମଧ୍ୟ ରାହୁଲଙ୍କ ବିରୋଧରେ ଏଫ୍ଆଇଆର୍କୁ ନେଇ ବିଜେପିକୁ ଟାର୍ଗେଟ କରିଛନ୍ତି। ରାହୁଲଙ୍କ ବିରୋଧରେ ଏଫ୍ଆଇଆର୍ ରୁଜୁ ହେବା ଅପେକ୍ଷା ଶୁଦ୍ଧିକରଣ ଘଟଣା ହିଁ ମୂଳ ପ୍ରସଙ୍ଗ ହେବା ଉଚିତ ବୋଲି ସେ କହିଛନ୍ତି। ରାହୁଲଙ୍କ ବିରୋଧରେ ଦେଶର ବିଭିନ୍ନ ସ୍ଥାନରେ ପୂର୍ବରୁ ଅନେକ ମାମଲା ରହିଛି, ତେଣୁ ଆଉ ଏକ ଏଫ୍ଆଇଆର୍ ତାଙ୍କ ପାଇଁ ବଡ଼ କଥା ନୁହେଁ ବୋଲି ଖେରା କହିଛନ୍ତି।
ଅଭିଯୋଗ ଆଧାରରେ ଏଫ୍ଆଇଆର୍
ପୁଲିସ ସୂଚନା ଅନୁସାରେ, ହଲଦ୍ୱାନୀର ଜବାହର ନଗର ନିବାସୀ ଅମିତ କୁମାରଙ୍କ ଅଭିଯୋଗ ଆଧାରରେ କୋତୱାଲି ଥାନାରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ଏଫ୍ଆଇଆର୍ ରୁଜୁ ହୋଇଛି। ଘଟଣାକୁ ନେଇ ଏବେ ଉତ୍ତରାଖଣ୍ଡରେ ରାଜନୈତିକ ବିବାଦ ଆହୁରି ତୀବ୍ର ହୋଇଛି।




