ନେପାଳ: ନେପାଳର ରାସୁୱା ଜିଲ୍ଲାରେ ଭୋଟେକୋଶି ନଦୀରେ ଭୟଙ୍କର ବନ୍ୟା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏଥିରେ ଜୀବନହାନି ସହ ସମ୍ପତ୍ତି ଓ ଭିତ୍ତିଭୂମିର ବ୍ୟାପକ କ୍ଷତି ଘଟିଥିବା ନେଇ ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ସୂଚନା ଦେଇଛନ୍ତି। କ୍ଷୟକ୍ଷତିର ସମ୍ପୂର୍ଣ୍ଣ ଆକଳନ କରିବା ଏବେ ବି ଚ୍ୟାଲେଞ୍ଜ ହୋଇରହିଛି।
ପ୍ରଧାନମନ୍ତ୍ରୀ ଶାହ କହିଛନ୍ତି ଯେ, ଲଗାତାର ବିପଦପୂର୍ଣ୍ଣ ପରିସ୍ଥିତି ସତ୍ତ୍ୱେ ନାଗରିକଙ୍କ ଜୀବନ ରକ୍ଷା ଏବଂ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟକୁ ଗୁରୁତ୍ୱ ଦେଇ ସରକାର ଯୁଦ୍ଧକାଳୀନ ଭିତ୍ତିରେ କାମ କରୁଛି।
ବ୍ୟାଙ୍କରୁ ଉଦ୍ଧାର ହେଲା ନଗଦ ଓ ସୁନା
ବନ୍ୟା ପରିସ୍ଥିତି ମଧ୍ୟରେ ନେପାଳ ପୁଲିସ ତ୍ରିଶୁଳି ଧୁଙ୍ଗେସ୍ଥିତ କୃଷି ବିକାଶ ବ୍ୟାଙ୍କ ଶାଖାରୁ ପ୍ରାୟ ୧.୫ କୋଟି ନେପାଳୀ ଟଙ୍କା ନଗଦ, ପ୍ରାୟ ୫୦ କୋଟି ଟଙ୍କା ମୂଲ୍ୟର ସୁନା ଏବଂ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଛି। ପ୍ରାୟ ଆଠ ଘଣ୍ଟାର ଅବିରତ ପ୍ରୟାସ ପରେ ଏହି ସାମଗ୍ରୀଗୁଡ଼ିକୁ ସୁରକ୍ଷିତ କରାଯାଇଥିବା ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି।
୯,୪୩୫ ଜଣଙ୍କୁ ସ୍ଥାନାନ୍ତର
ଶାହଙ୍କ ସୂଚନା ଅନୁସାରେ, ଏପର୍ଯ୍ୟନ୍ତ ବିମାନ ଓ ସଡ଼କପଥ ଯୋଗେ ୯,୪୩୫ ଜଣଙ୍କୁ ବିପଦପ୍ରବଣ ଅଞ୍ଚଳରୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି। ରିଲିଫ୍ ଓ ଉଦ୍ଧାର ଅଭିଯାନ ପାଇଁ ମୋଟ ୩୯୪ଟି ବିମାନ ଚଳାଚଳ କରିଛି। ଏଥିରୁ କେବଳ ରବିବାର ୭୨ଟି ବିମାନ ଚଳାଚଳ କରିଥିଲା।
ବନ୍ୟା ପ୍ରଭାବିତ ଅଞ୍ଚଳରେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ପାଇଁ ନେପାଳ ସେନା, ନେପାଳ ପୁଲିସ ଏବଂ ସଶସ୍ତ୍ର ପୁଲିସ ବାହିନୀର ମୋଟ ୨୦,୬୧୮ ଜଣ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଛି।




