କାଠମାଣ୍ଡୁ: ନେପାଳ ଓ ତିବ୍ବତରେ ବନ୍ୟା ଓ ଭୂସ୍ଖଳନର ଭୟଙ୍କର ପ୍ରଭାବ ଜାରି ରହିଛି। ନେପାଳରେ ବନ୍ୟାଜନିତ ବିପର୍ଯ୍ୟୟରେ ଏପର୍ଯ୍ୟନ୍ତ ୯୦୩ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବାବେଳେ ୪,୨୪୭ ଜଣ ନିଖୋଜ ଅଛନ୍ତି। ନିଖୋଜଙ୍କ ମଧ୍ୟରେ ୮୫ ଜଣ ସୁରକ୍ଷାକର୍ମୀ ଓ ୩୨୦ ଜଣ ବିଦେଶୀ ନାଗରିକ ଥିବା ନେପାଳର ଜାତୀୟ ବିପର୍ଯ୍ୟୟ ପ୍ରଶମନ ଓ ପରିଚାଳନା କର୍ତ୍ତୃପକ୍ଷ (ଏନ୍ଡିଆର୍ଆର୍ଏମ୍ଏ) ସୂଚନା ଦେଇଛି।
ବନ୍ୟା ପ୍ରଭାବିତ ୮ଟି ଜିଲ୍ଲାରେ ଉଦ୍ଧାର ଅଭିଯାନ ଜୋରଦାର କରାଯାଇଛି। ଚିତୱନରୁ ସର୍ବାଧିକ ୨୭୨ଟି ମୃତଦେହ ମିଳିଥିବାବେଳେ ନାୱାଲପରାସୀ ପୂର୍ବରୁ ୨୦୭, ନାୱାଲପରାସୀ ପଶ୍ଚିମରୁ ୧୫୧ ଓ ନୁୱାକୋଟରୁ ୯୫ଟି ମୃତଦେହ ଉଦ୍ଧାର ହୋଇଛି। ସେହିପରି ଗୋରଖାରୁ ୬୨, ଧାଦିଙ୍ଗରୁ ୫୫, ତାନାହୁଁରୁ ୩୭ ଏବଂ ରାସୁୱାରୁ ୨୪ଟି ମୃତଦେହ ମିଳିଛି।
ଜଳବିଦ୍ୟୁତ୍ ପ୍ରକଳ୍ପରେ ଶତାଧିକ ଶ୍ରମିକ ନିଖୋଜ
ବିପର୍ଯ୍ୟୟ ପରେ ଜଳବିଦ୍ୟୁତ୍ ପ୍ରକଳ୍ପଗୁଡ଼ିକରେ ଉଦ୍ଧାର କାର୍ଯ୍ୟକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି। ଏହି ପ୍ରକଳ୍ପଗୁଡ଼ିକରେ କାମ କରୁଥିବା ଶତାଧିକ ଶ୍ରମିକଙ୍କ ଏପର୍ଯ୍ୟନ୍ତ କୌଣସି ପତ୍ତା ମିଳିନାହିଁ। ନେପାଳ କର୍ତ୍ତୃପକ୍ଷଙ୍କ ଅନୁମାନ ଅନୁସାରେ, ବିଭିନ୍ନ ସୁଡ଼ଙ୍ଗ ଭିତରେ ପ୍ରାୟ ୧୦୦ ଜଣ ଶ୍ରମିକ ଜୀବିତ ଥାଇପାରନ୍ତି। ମୋଟ ୯୩୩ ଜଣ ଜଳବିଦ୍ୟୁତ୍ କର୍ମଚାରୀ ନିଖୋଜ ଥିବା ତାଲିକାଭୁକ୍ତ ହୋଇଛନ୍ତି।
ଦୁର୍ଗମ ଓ ବିପଜ୍ଜନକ ପରିସ୍ଥିତି ମଧ୍ୟରେ ଉଦ୍ଧାରକାରୀ ଦଳ ସନ୍ଧାନ ଅଭିଯାନ ଜାରି ରଖିଛନ୍ତି। ନେପାଳକୁ ଚୀନ୍, ଭାରତ ଓ ଦକ୍ଷିଣ କୋରିଆର ଉଦ୍ଧାରକାରୀ ଦଳ ମଧ୍ୟ ସହଯୋଗ କରୁଛନ୍ତି। ଏପର୍ଯ୍ୟନ୍ତ ଦୁଇଟି ସୁଡ଼ଙ୍ଗରୁ ୩ଟି ମୃତଦେହ ଉଦ୍ଧାର କରାଯାଇଛି।
ବନ୍ୟାରେ ବହୁ ସଡ଼କ ଧୋଇଯିବା ସହ ଅନେକ ବିଦ୍ୟୁତ୍ କେନ୍ଦ୍ର କ୍ଷତିଗ୍ରସ୍ତ ହୋଇଛି। ଏଥିସହ ଦଶନ୍ଧିକ ସେତୁ ଭାଙ୍ଗିଯିବାରୁ ଅନେକ ଅଞ୍ଚଳ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡ଼ିଛି। ହଜାର ହଜାର ଲୋକ ବାସହୀନ ହୋଇଥିବାବେଳେ ନିଖୋଜ ପରିଜନଙ୍କ ସନ୍ଧାନରେ ଲୋକେ ହସ୍ପିଟାଲ୍ରୁ ହସ୍ପିଟାଲ୍ ଘୁରି ବୁଲୁଛନ୍ତି।




