ନୂଆଦିଲ୍ଲୀ: ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି) ଅପଡେଟ୍‌ କରିବା ପରେ ଜନଗଣନା କରିବା ଦାବି ମଧ୍ୟରେ ମଣିପୁରରେ ପ୍ରସ୍ତାବିତ ଜନଗଣନା ପ୍ରକ୍ରିୟାକୁ ସ୍ଥଗିତ ରଖିଛି କେନ୍ଦ୍ର ସରକାର। ସେପ୍ଟେମ୍ବର ୧ରୁ ଜନଗଣନା ପାଇଁ ଘର ତାଲିକା ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହେବାର ଥିବାବେଳେ, ଏହାର ଠିକ୍‌ ପୂର୍ବରୁ କେନ୍ଦ୍ରର ଏହି ନିଷ୍ପତ୍ତି ସାମ୍ନାକୁ ଆସିଛି।

ସୋମବାର ନୂଆଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା। ଏଥିରେ ମଣିପୁରର ବର୍ତ୍ତମାନ ସ୍ଥିତି ସହ ଏନ୍‌ଆର୍‌ସି ଅପଡେଟ୍‌ ପୂର୍ବରୁ ଜନଗଣନା ସ୍ଥଗିତ ରଖିବାକୁ ହୋଇଥିବା ଦାବି ଉପରେ ଆଲୋଚନା ହୋଇଥିଲା।

ବୈଠକରେ ମଣିପୁର ରାଜ୍ୟପାଳ ଅଜୟ କୁମାର ଭଲ୍ଲା, ମୁଖ୍ୟମନ୍ତ୍ରୀ ୟୁମନାମ ଖେମଚାନ୍ଦ ସିଂହ, କେନ୍ଦ୍ର ଗୃହ ସଚିବ ଗୋବିନ୍ଦ ମୋହନଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ମଣିପୁରବାସୀଙ୍କ ଭାବନା ଓ ଆକାଂକ୍ଷାକୁ ବିଚାରକୁ ନେଇ ଜନଗଣନା ସ୍ଥଗିତ ରଖିବାକୁ ସହମତି ହୋଇଥିବା ମୁଖ୍ୟମନ୍ତ୍ରୀଙ୍କ ସଚିବାଳୟ ପକ୍ଷରୁ କୁହାଯାଇଛି।

ନିଷ୍ପତ୍ତି ପରେ ମୁଖ୍ୟମନ୍ତ୍ରୀ ଖେମଚାନ୍ଦ ସିଂହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଅମିତ ଶାହଙ୍କ ସମେତ କେନ୍ଦ୍ରୀୟ ନେତୃତ୍ୱଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏନ୍‌ଆର୍‌ସି ଦାବି ନେଇ ଦିଲ୍ଲୀ ଯାଇଥିବା ୧୪ଟି ନାଗରିକ ସମାଜ ସଂଗଠନ ଓ ବିଜେପି ବିଧାୟକଙ୍କ ଉଦ୍ୟମକୁ ମଧ୍ୟ ସେ ପ୍ରଶଂସା କରିଛନ୍ତି।

ଜନଗଣନାକୁ ହାଇକୋର୍ଟଙ୍କ ମଧ୍ୟ ରୋକ୍

ଅନ୍ୟପକ୍ଷରେ ସୋମବାର ମଣିପୁର ହାଇକୋର୍ଟ ମଧ୍ୟ ଜନଗଣନା ଏବଂ ଘର ତାଲିକା ପ୍ରସ୍ତୁତି ପ୍ରକ୍ରିୟାକୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି। ମୁଖ୍ୟ ବିଚାରପତି ଏମ୍‌. ସୁନ୍ଦର ଓ ବିଚାରପତି ଏ. ଗୁଣେଶ୍ୱର ଶର୍ମାଙ୍କୁ ନେଇ ଗଠିତ ସ୍ୱତନ୍ତ୍ର ଖଣ୍ଡପୀଠ ଏନ୍‌ଆର୍‌ସି ଅପଡେଟ୍‌ ପରେ ଜନଗଣନା କରିବା ଦାବି ସମ୍ପର୍କିତ ଦୁଇଟି ଜନହିତ ଆବେଦନ ଓ ଗୋଟିଏ ରିଟ୍‌ ଆବେଦନର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୧୨ରେ ହେବ।