ଭୁବନେଶ୍ଵର: ମାଇଣ୍ଡଟ୍ରି (Mindtree)ର ସହ-ସଂସ୍ଥାପକ ତଥା ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ (OSDA)ର ପୂର୍ବତନ ଅଧ୍ୟକ୍ଷ ସୁବ୍ରତୋ ବାଗଚିଙ୍କୁ ଏକ ବଡ଼ ଦାୟିତ୍ୱ ମିଳିଛି। କର୍ନାଟକ ସରକାର ତାଙ୍କୁ ରାଜ୍ୟର ନବଗଠିତ ‘ସ୍କିଲ୍ ଡେଭେଲପମେଣ୍ଟ ଭିଜନ ଗ୍ରୁପ୍’ (Vision Group for Skill Development)ର ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଛନ୍ତି।

କର୍ନାଟକ ସ୍ମାର୍ଟ ଆଣ୍ଡ ସ୍କିଲ୍ ପଲିସି ୨୦୨୫-୩୨ (Karnataka State Skill Policy 2025–32) ଅଧୀନରେ ରାଜ୍ୟର ଯୁବବର୍ଗଙ୍କୁ ଭବିଷ୍ୟତ ଉପଯୋଗୀ ତଥା ଉଦ୍ୟୋଗ-ଭିତ୍ତିକ ଦକ୍ଷତା ପ୍ରଦାନ କରିବା ପାଇଁ ଏହି ଉଚ୍ଚସ୍ତରୀୟ ପରାମର୍ଶଦାତା କମିଟି ଗଠନ କରାଯାଇଛି। ଏହି କମିଟିରେ ଶିଳ୍ପ ଜଗତ, ଶିକ୍ଷାନୁଷ୍ଠାନ, ବେସରକାରୀ ସଂସ୍ଥା ଏବଂ ସରକାରୀ ବିଭାଗର ପ୍ରମୁଖ ବ୍ୟକ୍ତିବିଶେଷମାନେ ସାମିଲ ରହିଛନ୍ତି। ସୁବ୍ରତୋ ବାଗଚିଙ୍କ ନେତୃତ୍ୱରେ ଏହି ଦଳ ରାଜ୍ୟରେ ଯୁବକମାନଙ୍କୁ ନୂତନ ଜ୍ଞାନକୌଶଳ ଓ ଦକ୍ଷତାରେ ସମୃଦ୍ଧ କରିବା ପାଇଁ ରଣନୀତି ପ୍ରସ୍ତୁତ କରିବ।

ସୁବ୍ରତୋ ବାଗଚି ପୂର୍ବରୁ ଓଡ଼ିଶାରେ ‘ସ୍କିଲ୍‌ଡ ଇନ୍‌ ଓଡ଼ିଶା’ (Skilled in Odisha) ଅଭିଯାନର ନେତୃତ୍ୱ ନେଇ ଆନ୍ତର୍ଜାତୀୟ ସ୍ତରରେ ପ୍ରଶଂସିତ ହୋଇଥିଲେ। ଓଡ଼ିଶାରେ ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ରରେ ସେ ଗୁରୁତ୍ୱପୂର୍ଣ୍ଣ ସଂସ୍କାର ଆଣିଥିଲେ। ତାଙ୍କର ଏହି ବିଶାଳ ଅଭିଜ୍ଞତାକୁ ଦୃଷ୍ଟିରେ ରଖି କର୍ଣ୍ଣାଟକ ସରକାର ତାଙ୍କୁ ଏହି ଗୁରୁଦାୟିତ୍ୱ ଦେଇଛନ୍ତି।

ଏହି ନୂତନ ନିଯୁକ୍ତି ପରେ ନିଜର ଖୁସି ବ୍ୟକ୍ତ କରି ସୁବ୍ରତୋ ବାଗଚି ସାମାଜିକ ଗଣମାଧ୍ୟମ ‘X’ (ପୂର୍ବରୁ ଟ୍ୱିଟର)ରେ ଲେଖିଛନ୍ତି ଯେ, କର୍ଣ୍ଣାଟକ ସରକାରଙ୍କ ଦ୍ୱାରା ଏହି ଦାୟିତ୍ୱ ମିଳିଥିବାରୁ ସେ ଆନନ୍ଦିତ ଓ ସମ୍ମାନିତ। ବିଶ୍ୱସ୍ତରରେ କାର୍ଯ୍ୟର ଶୈଳୀ ବଦଳୁଥିବା ବେଳେ କର୍ଣ୍ଣାଟକ ଯୁବପିଢ଼ି ଦକ୍ଷତା ବିକାଶ କ୍ଷେତ୍ରରେ ଏକ ନୂଆ ଇତିହାସ ରଚନା କରିବେ ବୋଲି ସେ ଆଶାପ୍ରକାଶ କରିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ସୁବ୍ରତୋ ବାଗଚି ଓ ତାଙ୍କ ପତ୍ନୀ ସୁସ୍ମିତା ବାଗଚି ଓଡ଼ିଶାରେ କର୍କଟ ଚିକିତ୍ସାଳୟ ଏବଂ ଅନ୍ୟାନ୍ୟ ଜନକଲ୍ୟାଣକାରୀ କାର୍ଯ୍ୟ ପାଇଁ ଶହ ଶହ କୋଟି ଟଙ୍କାର ଦାନ କରି ଚର୍ଚ୍ଚାରେ ରହିଛନ୍ତି।