ଭୁବନେଶ୍ୱର: ଖଣି ଓ ଖଣିଜ (ବିକାଶ ଏବଂ ନିୟନ୍ତ୍ରଣ) ସଂଶୋଧନ ଆଇନ-୨୦୨୬ର ‘ଧାରା ୯ଡି’ (Section 9D)କୁ ଦୃଢ଼ ବିରୋଧ କରିଛନ୍ତି କୋରାପୁଟ ସାଂସଦ ସପ୍ତଗିରି ଶଙ୍କର ଉଲ୍ଲାକା। ଏହି ନୂତନ ପ୍ରାବଧାନ ଓଡ଼ିଶା ଭଳି ଖଣି ସମୃଦ୍ଧ ରାଜ୍ୟଗୁଡ଼ିକର ସାମ୍ବିଧାନିକ ଅଧିକାର, ଆର୍ଥିକ ସ୍ୱାୟତ୍ତତା ଏବଂ ଦୀର୍ଘକାଳୀନ ସ୍ୱାର୍ଥ ପ୍ରତି ବିପଦ ସୃଷ୍ଟି କରୁଛି ବୋଲି ଦର୍ଶାଇ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ଚିଠି ଲେଖିଛନ୍ତି।
ସାଂସଦ ଉଲ୍ଲାକା ନିଜ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, କେବଳ ରାଜ୍ୟକୁ ୯୦ ପ୍ରତିଶତ ଖଣି ରାଜସ୍ୱ ମିଳିବା କଥା କହି ନିଜର ଆର୍ଥିକ ଅଧିକାରକୁ ସଙ୍କୁଚିତ କରାଯାଇପାରିବ ନାହିଁ। ଅସଲ ପ୍ରଶ୍ନ ହେଉଛି, ଭବିଷ୍ୟତରେ ଓଡ଼ିଶାର ଖଣିଜ ସମ୍ପଦରୁ ରାଜସ୍ୱ ନିର୍ଦ୍ଧାରଣ ଓ ଆଦାୟ କରିବାର ସାମ୍ବିଧାନିକ କ୍ଷମତା କାହା ପାଖରେ ରହିବ? ଧାରା ୯ଡି ଅନୁଯାୟୀ, କେନ୍ଦ୍ର ସରକାରଙ୍କ ସର୍ତ୍ତ ଓ ନିୟମ ବିନା କୌଣସି ରାଜ୍ୟ ସରକାର ଖଣିଜ ଅଧିକାର କିମ୍ବା ଖଣିଜ ଥିବା ଜମି ଉପରେ କୌଣସି ଟିକସ, କର କିମ୍ବା ଶୁଳ୍କ ଲଗାଇ ପାରିବେ ନାହିଁ।
୨୦୨୪ର ‘ମିନେରାଲ ଏରିଆ ଡେଭେଲପମେଣ୍ଟ ଅଥରିଟି’ ମାମଲାରେ ସୁପ୍ରିମକୋର୍ଟଙ୍କ ୯ ଜଣିଆ ବେଞ୍ଚ ଦେଇଥିବା ୮:୧ ବହୁମତ ରାୟକୁ ସାଂସଦ ଦୋହରାଇଛନ୍ତି। ସୁପ୍ରିମକୋର୍ଟ ସ୍ପଷ୍ଟ କରିଥିଲେ ଯେ ‘ରୟାଲଟି’ କୌଣସି ଟିକସ ନୁହେଁ ଏବଂ ସମ୍ବିଧାନର ତାଲିକା-୨ (List II) ଅନୁଯାୟୀ ଖଣିଜ ଜମି ଓ ଅଧିକାର ଉପରେ ଟିକସ ଲଗାଇବାର ସାମ୍ବିଧାନିକ କ୍ଷମତା ରାଜ୍ୟ ବିଧାନସଭା ନିକଟରେ ରହିଛି। ମାତ୍ର କେନ୍ଦ୍ରର ଏହି ନୂଆ ଧାରା ୯ଡି, ସୁପ୍ରିମକୋର୍ଟଙ୍କ ସାମ୍ବିଧାନିକ ସ୍ପଷ୍ଟୀକରଣ ପରେ ମଧ୍ୟ ରାଜ୍ୟଗୁଡ଼ିକର ଟିକସ ଆଦାୟ କ୍ଷେତ୍ରକୁ ସଙ୍କୁଚିତ କରୁଛି।
ବର୍ତ୍ତମାନର ରୟାଲଟି, ନିଲାମ ପ୍ରିମିୟମ ଏବଂ DMF ପାଣ୍ଠି ପାଉଥିବା ଦର୍ଶାଇ ରାଜ୍ୟର ସାମ୍ବିଧାନିକ ସ୍ୱାୟତ୍ତତାକୁ ସୀମିତ କରାଯାଇପାରିବ ନାହିଁ। ଶିଳ୍ପ ପ୍ରତିଯୋଗିତା ଓ ମୂଲ୍ୟ ସ୍ଥିରତା ଦେଶ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇପାରେ, କିନ୍ତୁ ଏଥିପାଇଁ ରାଜ୍ୟର ସାମ୍ବିଧାନିକ କ୍ଷମତାକୁ କେନ୍ଦ୍ର ଅଧୀନ କରାଯିବା ଅନୁଚିତ। ଏହି ମୁଦ୍ଦାକୁ କେନ୍ଦ୍ର ଓ ଖଣି ସମୃଦ୍ଧ ରାଜ୍ୟଗୁଡ଼ିକ ମଧ୍ୟରେ ସ୍ୱଚ୍ଛ ସଂଘୀୟ ଆଲୋଚନା ମାଧ୍ୟମରେ ସମାଧାନ କରାଯିବା ଉଚିତ।
ଏହାସହ, ଗତ ୨୪ ବର୍ଷର ରାଜ୍ୟ ସରକାରଙ୍କ ଶାସନ କାଳରେ ଖଣିଜ ସମ୍ପଦ ପରିଚାଳନାରେ ହୋଇଥିବା ତ୍ରୁଟି ଯୋଗୁଁ ଓଡ଼ିଶାର ସାମ୍ବିଧାନିକ ଅଧିକାର ମଧ୍ୟ ପ୍ରଭାବିତ ହୋଇଛି ବୋଲି ସେ ଦର୍ଶାଇଛନ୍ତି।




