ନୂଆଦିଲ୍ଲୀ: ଗୋଆରୁ ନୂଆଦିଲ୍ଲୀ ଅଭିମୁଖେ ଉଡ଼ାଣ ଭରିଥିବା ଇଣ୍ଡିଗୋର ଏକ ଯାତ୍ରୀବାହୀ ବିମାନରେ ହଠାତ୍ ବୈଷୟିକ ତ୍ରୁଟି ଦେଖାଦେବାରୁ ଏହା ଜରୁରୀକାଳୀନ ଅବତରଣ କରିଛି। ବିମାନଟି ଉଡ଼ାଣ ଭରିବାର କିଛି ସମୟ ମଧ୍ୟରେ ଆକାଶମାର୍ଗରେ ସମସ୍ୟା ଦେଖାଦେବାରୁ ପାଇଲଟ୍ ତୁରନ୍ତ ଏହାକୁ ଗୋଆସ୍ଥିତ ମନୋହର ଆନ୍ତର୍ଜାତୀୟ ବିମାନବନ୍ଦରକୁ ଫେରାଇ ଆଣିଥିଲେ।
ମିଳିଥିବା ସୂଚନା ଅନୁଯାୟୀ, ଇଣ୍ଡିଗୋର ଉଡ଼ାଣ ସଂଖ୍ୟା ‘6E 2102’ ମଙ୍ଗଳବାର ସକାଳ ୯:୧୬ ମିନିଟ୍ରେ ଉତ୍ତର ଗୋଆରୁ ଦିଲ୍ଲୀ ପାଇଁ ଉଡ଼ାଣ ଭରିଥିଲା। ମାତ୍ର କିଛି ମିନିଟ୍ ପରେ ବିମାନରେ ବୈଷୟିକ ସମସ୍ୟା ଥିବା କ୍ରୁ ସଦସ୍ୟମାନେ ଅନୁଭବ କରିଥିଲେ। ପରିସ୍ଥିତିକୁ ଦୃଷ୍ଟିରେ ରଖି ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍ (ATC) ପକ୍ଷରୁ ସକାଳ ପ୍ରାୟ ୯:୩୦ ସମୟରେ ବିମାନବନ୍ଦରରେ ‘ଫୁଲ୍ ଏମରଜେନ୍ସି’ ଘୋଷଣା କରାଯାଇଥିଲା।
ପାଇଲଟଙ୍କ ସୂଝବୁଝ ଯୋଗୁଁ ବିମାନଟି ଗୋଆ ବିମାନବନ୍ଦରରେ ସୁରକ୍ଷିତ ଭାବେ ଅବତରଣ କରିଥିଲା। ବିମାନରେ ଥିବା ସମସ୍ତ ଯାତ୍ରୀ ଏବଂ କ୍ରୁ ସଦସ୍ୟ ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା ଜଣାପଡ଼ିଛି। ଯାତ୍ରୀମାନଙ୍କୁ ବିମାନରୁ ଓହ୍ଲାଇ ବୋର୍ଡିଂ ଏରିଆରେ ରଖାଯାଇଥିଲା ଏବଂ ସେମାନଙ୍କ ପାଇଁ ଜଳଖିଆ ଓ ଅନ୍ୟାନ୍ୟ ଆବଶ୍ୟକୀୟ ସୁବିଧା ଯୋଗାଇ ଦିଆଯାଇଥିଲା। ବିମାନସଂସ୍ଥା ପକ୍ଷରୁ ଯାତ୍ରୀମାନଙ୍କୁ ସେମାନଙ୍କ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇବା ପାଇଁ ବିକଳ୍ପ ବିମାନର ବ୍ୟବସ୍ଥା କରାଯାଇଛି।
ଏହି ଘଟଣା ସମ୍ପର୍କରେ ଇଣ୍ଡିଗୋ ପକ୍ଷରୁ କୁହାଯାଇଛି ଯେ, Standard Operating Procedure (SOP) ଅନୁଯାୟୀ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ତୁରନ୍ତ ସୂଚିତ କରାଯାଇଥିଲା। ବିମାନଟିର ବର୍ତ୍ତମାନ ବୈଷୟିକ ଯାଞ୍ଚ ଓ ରକ୍ଷଣାବେକ୍ଷଣ ଚାଲିଛି। ସମସ୍ତ ଆବଶ୍ୟକୀୟ ସୁରକ୍ଷା ଅନୁମତି ମିଳିବା ପରେ ହିଁ ଏହା ପୁନର୍ବାର ସେବା ପ୍ରଦାନ କରିବ।
ସୂଚନାଯୋଗ୍ୟ ଯେ, ଗତ ମାସରେ ମଧ୍ୟ ଇଣ୍ଡିଗୋର ରିଜର୍ଭେସନ୍ ସିଷ୍ଟମରେ ବୈଷୟିକ ସମସ୍ୟା ଦେଖାଯିବା ଯୋଗୁଁ ଯାତ୍ରୀମାନେ ୱେବ୍ ଚେକ୍-ଇନ୍ ଏବଂ ଟିକେଟ୍ ବୁକିଂ କ୍ଷେତ୍ରରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ।




