ବଣାଇଗଡ଼: ବଜ୍ରକାପ୍ତା ଚୋରାଚାଲାଣ ରାକେଟ୍‌ରେ ସମ୍ପୃକ୍ତ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ବଣାଇ ବନବିଭାଗ। ଗିରଫ ଅଭିଯୁକ୍ତ ଲହୁଣୀପଡ଼ା ଥାନା ଅନ୍ତର୍ଗତ ମହୁଲତା ଗ୍ରାମର ରଇବୁ ମୁଣ୍ଡା (୪୧)। ତାଙ୍କ ନିକଟରୁ ଏକ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରାଯାଇଛି।

ବନବିଭାଗର ସୂଚନା ଅନୁସାରେ, ଉଦ୍ଧାର ବଜ୍ରକାପ୍ତାର ଲମ୍ବ ପ୍ରାୟ ୩ ଫୁଟ୍‌। ଏହାର ଓଜନ ପ୍ରାୟ ୩.୫ କିଲୋଗ୍ରାମ ବୋଲି ଜଣାପଡ଼ିଛି। ଘଟଣାରେ ଅଭିଯୁକ୍ତଙ୍କ ବିରୋଧରେ ବନ୍ୟଜନ୍ତୁ ସୁରକ୍ଷା ଆଇନ ଅନୁଯାୟୀ ମାମଲା ରୁଜୁ କରାଯାଇଛି।

ଗୁପ୍ତ ସୂଚନା ଆଧାରରେ ଚଢ଼ାଉ

ପ୍ରାୟ ସପ୍ତାହେ ତଳେ ବଣାଇ ବନଖଣ୍ଡ ଅଧିକାରୀ ଯଶୋବନ୍ତ ସେଠୀଙ୍କୁ ବଜ୍ରକାପ୍ତା ଚୋରାଚାଲାଣ ସମ୍ପର୍କରେ ଗୁପ୍ତ ସୂଚନା ମିଳିଥିଲା। ଏହାପରେ ତାଙ୍କ ନିର୍ଦ୍ଦେଶରେ ସହକାରୀ ବନ ସଂରକ୍ଷକ ସୁମିତ ମହାନ୍ତି ଓ ଦୁର୍ଯ୍ୟୋଧନ ଜେରେଇଙ୍କ ନେତୃତ୍ୱରେ ଦୁଇଟି ଟିମ୍‌ ଗଠନ କରାଯାଇ ଗୁପ୍ତ ଭାବେ ତଦନ୍ତ ଆରମ୍ଭ ହୋଇଥିଲା।

ସୋମବାର ମାରୁତି ଏର୍ଟିଗା କାର୍‌ରେ ରଇବୁ ଯାଉଥିବା ବେଳେ ୧୪୩ ନମ୍ବର ଜାତୀୟ ରାଜପଥର କେନାଭେଟା ନିକଟରେ ବନବିଭାଗ ଟିମ୍‌ ତାଙ୍କୁ ଅଟକାଇ ପଚରାଉଚରା କରିଥିଲା। ପଚରାଉଚରା ବେଳେ ସେ ବଜ୍ରକାପ୍ତା ଲୁଚାଇ ରଖିଥିବା ସ୍ଥାନ ସମ୍ପର୍କରେ ସୂଚନା ଦେଇଥିଲେ।

ପରେ ତାଙ୍କୁ ସାଙ୍ଗରେ ନେଇ ମହୁଲତା ଗ୍ରାମର ଏକ ଚାଷ ଜମିରେ ଚଢ଼ାଉ କରିଥିଲା ବନବିଭାଗ। ସେଠାରୁ ଜୀବନ୍ତ ବଜ୍ରକାପ୍ତାଟିକୁ ଉଦ୍ଧାର କରାଯାଇଥିଲା। ତଦନ୍ତ ପରେ ରଇବୁଙ୍କୁ କୋର୍ଟ ଚାଲାଣ କରାଯାଇଛି।

ବଣାଇ ବନଖଣ୍ଡ ଅଧିକାରୀ ଯଶୋବନ୍ତ ସେଠୀ ପ୍ରେସ୍‌ ବିଜ୍ଞପ୍ତି ଜରିଆରେ ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି। ଚୋରାଚାଲାଣରେ ଆଉ କିଛି ବ୍ୟକ୍ତିଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଥିବାରୁ ତଦନ୍ତକୁ ବ୍ୟାପକ କରାଯିବ ବୋଲି ସେ କହିଛନ୍ତି।

ଚଢ଼ାଉରେ ବଣାଇ ରେଞ୍ଜ ଅଧିକାରୀ ଦେବାଶିଷ ନାୟକ, କୁଳିପୋଷ ରେଞ୍ଜ ଅଧିକାରୀ ଶିବ ନାରାୟଣ ବେହେରା, ବନପାଳ ଜ୍ଞାନ ରଞ୍ଜନ ମହାନ୍ତି, ଅମିତ ବେହେରା, ଉତ୍କଳ କେଶରୀ ରାଉତଙ୍କ ସମେତ ରାପିଡ୍‌ ରେସ୍‌ପନ୍ସ ଟିମ୍‌ର ସଦସ୍ୟମାନେ ସାମିଲ ଥିଲେ।