କୋଲକାତା: ବେଙ୍ଗାଲୁରୁରେ ପୋଲିସର ଏକ ବିଶେଷ ଅଭିଯାନ ସମୟରେ ଗିରଫ ହୋଇଥିବା ୩୧ ଜଣ ଅବୈଧ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ପଶ୍ଚିମବଙ୍ଗର ମାଲଦା ଜିଲ୍ଲାକୁ ଅଣାଯାଇଛି। ବୁଧବାର ପୋଲିସ ପକ୍ଷରୁ ଏହି ସୂଚନା ଦିଆଯାଇଛି। ବାଂଲାଦେଶ ସୀମାକୁ ଲାଗିରହିଥିବା ମାଲଦା ଜିଲ୍ଲାର ଏକ ହୋଲ୍ଡିଂ ସେଣ୍ଟର ରେ ସେମାନଙ୍କୁ ଅସ୍ଥାୟୀ ଭାବେ ରଖାଯାଇଛି। ସେମାନଙ୍କୁ ବାଂଲାଦେଶ ଫେରାଇ ନେବାର ଆଇନଗତ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ, ପରବର୍ତ୍ତୀ ପଦକ୍ଷେପ ପାଇଁ ସେମାନଙ୍କୁ ସୀମା ସୁରକ୍ଷା ବଳ (BSF) କୁ ହସ୍ତାନ୍ତର କରାଯିବ।
ସୂତ୍ର ଅନୁଯାୟୀ, ଗିରଫ ୩୧ ଜଣ ବାଂଲାଦେଶୀ ନାଗରିକଙ୍କ ନିକଟରେ ଭାରତରେ ରହିବା ପାଇଁ କୌଣସି ବୈଧ କାଗଜପତ୍ର ନଥିଲା। ପୋଲିସର ସୂଚନା ଅନୁଯାୟୀ, ଏହି ସମସ୍ତ ବ୍ୟକ୍ତି ପଶ୍ଚିମବଙ୍ଗ ସୀମା ଦେଇ ଅବୈଧ ଭାବେ ଭାରତରେ ପ୍ରବେଶ କରିବା ପରେ ଜୀବିକା ଅର୍ଜନ ପାଇଁ ବେଙ୍ଗାଲୁରୁ ଚାଲିଯାଇଥିଲେ। ପ୍ରାୟ ତିନି ମାସ ତଳେ ବେଙ୍ଗାଲୁରୁ ପୋଲିସ ସେମାନଙ୍କୁ ଗିରଫ କରି ଡିଟେନ୍ସନ୍ ସେଣ୍ଟରରେ ରଖିଥିଲା।
ଅବୈଧ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରିବା ପାଇଁ ବେଙ୍ଗାଲୁରୁ ପୋଲିସ ଅଗଷ୍ଟ ୯ ତାରିଖରେ ‘ଅପରେସନ୍ ମୁକ୍ତ’ ନାମକ ଏକ ସ୍ୱତନ୍ତ୍ର ଅଭିଯାନ ଚଲାଇଥିଲା। ଏହି ଅଭିଯାନ ସମୟରେ ୨,୯୪୪ ଜଣ ଲୋକଙ୍କ କାଗଜପତ୍ର ଯାଞ୍ଚ କରାଯାଇଥିଲା। ସେଥିମଧ୍ୟରୁ ୧୦୫ ଜଣ ବାଂଲାଦେଶୀଙ୍କୁ ସନ୍ଦିଗ୍ଧ ଅବୈଧ ଅନୁପ୍ରବେଶକାରୀ ଭାବେ ଚିହ୍ନଟ କରାଯାଇଥିଲା ଏବଂ ସେମାନଙ୍କ ମଧ୍ୟରୁ ୩୧ ଜଣଙ୍କୁ ବେଙ୍ଗାଲୁରୁରୁ ଗିରଫ କରାଯାଇଥିଲା।
କର୍ଣ୍ଣାଟକ ପୋଲିସର ୨୦ ଜଣିଆ ଟିମ୍ ସ୍ୱତନ୍ତ୍ର ସୁରକ୍ଷା ମଧ୍ୟରେ ଟ୍ରେନ୍ ଯୋଗେ ଏହି ୩୧ ଜଣଙ୍କୁ ବେଙ୍ଗାଲୁରୁରୁ ମାଲଦା ନେଇ ଆସିଥିଲେ। ମଙ୍ଗଳବାର ବିଳମ୍ବିତ ରାତିରେ ମାଲଦା ଟାଉନ୍ ଷ୍ଟେସନରେ ପହଞ୍ଚିବା ପରେ ସେମାନଙ୍କୁ ପଶ୍ଚିମବଙ୍ଗ ପୋଲିସ ହାତରେ ଟେକି ଦିଆଯାଇଥିଲା। ପରେ ପୋଲିସ ବସ୍ ମାଧ୍ୟମରେ ସେମାନଙ୍କୁ ଜିଲ୍ଲାର ହୋଲ୍ଡିଂ ସେଣ୍ଟରକୁ ନିଆଯାଇଛ।
ମାଲଦା ଜିଲ୍ଲା ପୋଲିସର ଜଣେ ଅଧିକାରୀ କହିଛନ୍ତି ଯେ, ଏହି ଅବୈଧ ନାଗରିକମାନଙ୍କୁ ବାଂଲାଦେଶ ଫେରାଇ ପଠାଇବା ପାଇଁ ଆବଶ୍ୟକ କାଗଜପତ୍ର କାମ ଆରମ୍ଭ ହୋଇସାରିଛି। ସମସ୍ତ ଆନୁଷ୍ଠାନିକତା ଶେଷ ହେବା ପରେ ସେମାନଙ୍କୁ BSF କୁ ହସ୍ତାନ୍ତର କରାଯିବ।
କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଅବୈଧ ଅନୁପ୍ରବେଶ ବିରୋଧରେ କଠୋର ପଦକ୍ଷେପ ନେବାକୁ ବାରମ୍ବାର କହିଆସୁଛନ୍ତି। ମେ ମାସରେ ପଶ୍ଚିମବଙ୍ଗରେ ଭାରତୀୟ ଜନତା ପାର୍ଟି ସରକାର ଗଠନ ହେବା ପରଠାରୁ ଅବୈଧ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଉପରେ କଡ଼ା ନଜର ରଖାଯାଉଛି। ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଅନୁପ୍ରବେଶ ଉପରେ ‘ଜିରୋ ଟଲରେନ୍ସ’ ନୀତି ଆପଣାଇଥିବା ବେଳେ ସୀମାନ୍ତ ଅଞ୍ଚଳଗୁଡ଼ିକରେ ହୋଲ୍ଡିଂ ସେଣ୍ଟରମାନ ପ୍ରତିଷ୍ଠା କରାଯାଇଛି।




