ଗୁଆହାଟି: ଆସାମ ସରକାର ରାଜ୍ୟ ପୋଲିସ ବାହିନୀକୁ ଅଧିକ ସୁଦୃଢ଼ କରିବା ଏବଂ ଯୁବପିଢ଼ିଙ୍କ ପାଇଁ ରୋଜଗାରର ନୂଆ ସୁଯୋଗ ସୃଷ୍ଟି କରିବା ଲକ୍ଷ୍ୟରେ ଏକ ବଡ଼ ଘୋଷଣା କରିଛନ୍ତି। ଅସମ ପୋଲିସରେ ଆଗାମୀ ଦିନରେ ୧୫,୦୦୦ରୁ ୨୦,୦୦୦ ଯୁବକ-ଯୁବତୀଙ୍କୁ ନିଯୁକ୍ତି ଦିଆଯିବ ବୋଲି ବୁଧବାର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଘୋଷଣା କରିଛନ୍ତି।

ଦେରଗାଁସ୍ଥିତ ‘ଲଚିତ ବରଫୁକନ ପୋଲିସ ଏକାଡେମୀ’ରେ ଆୟୋଜିତ ପୋଲିସ କର୍ମଚାରୀଙ୍କ ପାସିଂ-ଆଉଟ୍ ପ୍ୟାରେଡ୍ ରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଏହି ସୂଚନା ଦେଇଛନ୍ତି। ଏହି ଅବସରରେ ୩୨ ଜଣ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଅଫ୍ ପୋଲିସ (DSP) ଏବଂ ୩୭୧ ଜଣ କନଷ୍ଟେବଳ ନିଜର ତାଲିମ ଶେଷ କରି ଆନୁଷ୍ଠାନିକ ଭାବେ ପୋଲିସ ବାହିନୀରେ ସାମିଲ ହୋଇଛନ୍ତି।

ନୂତନ ଭାବେ ସାମିଲ ହୋଇଥିବା ପୋଲିସ ଅଧିକାରୀ ଓ କର୍ମଚାରୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଶୃଙ୍ଖଳା, ସାହସ ଏବଂ ବୃତ୍ତିଗତ ନିଷ୍ଠାର ସହ ନିଜର କର୍ତ୍ତବ୍ୟ ସମ୍ପାଦନ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ଏହାସହ ଆସାମରେ ନିଶାକାରବାର ବିରୋଧରେ ଆସାମ ପୋଲିସର ଚାଲିଥିବା କଠୋର କାର୍ଯ୍ୟାନୁଷ୍ଠାନକୁ ସେ ପ୍ରଶଂସା କରିଛନ୍ତି।

ମୁଖ୍ୟମନ୍ତ୍ରୀ ଦେଇଥିବା ତଥ୍ୟ ଅନୁଯାୟୀ, ଆସାମ ପୋଲିସ ଏପର୍ଯ୍ୟନ୍ତ ପ୍ରାୟ ୩,୨୫୩ କୋଟି ଟଙ୍କାର ନିଶାଦ୍ରବ୍ୟ ଜବତ କରିବାରେ ସଫଳ ହୋଇଛି। ଏହି ବେଆଇନ କାରବାର ବିରୋଧରେ ଚାଲିଥିବା ଅଭିଯାନରେ ୨୬,୫୩୭ ଜଣ କାରବାରୀଙ୍କୁ ଗିରଫ କରାଯାଇ ଜେଲ୍ ପଠାଯାଇଛି। ରାଜ୍ୟରୁ ନିଶା କାରବାରକୁ ସମ୍ପୂର୍ଣ୍ଣ ମୂଳପୋଛ କରିବା ସରକାରଙ୍କ ପ୍ରାଥମିକତା ବୋଲି ସେ ଦୋହରାଇଛନ୍ତି।

ଆସାମ ପୋଲିସକୁ ଦକ୍ଷ ଓ ପ୍ରଶିକ୍ଷିତ କର୍ମଚାରୀ ଯୋଗାଇବାରେ ଲଚିତ ବରଫୁକନ ପୋଲିସ ଏକାଡେମୀର ଅବଦାନକୁ ମୁଖ୍ୟମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଛନ୍ତି। ଏହି ପ୍ରତିଷ୍ଠାନ ଏପର୍ଯ୍ୟନ୍ତ ପ୍ରାୟ ୨୧,୦୦୦ ପ୍ରଶିକ୍ଷିତ ପୋଲିସ କର୍ମଚାରୀ ଓ ଅଧିକାରୀ ତିଆରି କରିସାରିଛି।

ନୂତନ ଭାବେ ତାଲିମପ୍ରାପ୍ତ ଅଧିକାରୀ ଓ କନଷ୍ଟେବଳମାନଙ୍କୁ ରାଜ୍ୟର ବିଭିନ୍ନ ଭାଗରେ ନିୟୋଜିତ କରାଯିବ, ଯାହା ଦ୍ୱାରା ଆଇନ ଶୃଙ୍ଖଳା ରକ୍ଷା, ଅପରାଧ ନିୟନ୍ତ୍ରଣ ଏବଂ ନାଗରିକଙ୍କ ସୁରକ୍ଷା ବ୍ୟବସ୍ଥା ଅଧିକ ମଜବୁତ ହୋଇପାରିବ। ସରକାରଙ୍କ ଏହି ନୂତନ ୧୫,୦୦୦ରୁ ୨୦,୦୦୦ ପଦବୀ ନିଯୁକ୍ତି ଘୋଷଣା ରାଜ୍ୟର ବେକାର ଯୁବପିଢ଼ିଙ୍କ ପାଇଁ ଆଶାର କିରଣ ସାଜିଛି।