ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ପଳାଶୁଣୀ ନିକଟରେ ଗୁରୁବାର ଭୋର ସମୟରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏକ ଦ୍ରୁତଗାମୀ ବିଳାସପୂର୍ଣ୍ଣ କାର୍ ନିୟନ୍ତ୍ରଣ ହରାଇ ଏକାଧିକ ଗାଡ଼ିକୁ ପଛପଟୁ କ୍ରମାଗତ ଭାବେ ଧକ୍କା ଦେବାରୁ ୪ରୁ ୫ ଜଣ ଗୁରୁତର ଆହତ ହୋଇଛନ୍ତି।

ପ୍ରତ୍ୟକ୍ଷଦର୍ଶୀ ଓ ସୂତ୍ର ଅନୁଯାୟୀ, ଦୁର୍ଘଟଣା ଘଟାଇଥିବା କାର୍‌ଟି ଘଣ୍ଟାପ୍ରତି ପ୍ରାୟ ୧୫୦ କିଲୋମିଟରରୁ ଅଧିକ ବେଗରେ ଆସୁଥିଲା। ପ୍ରଥମେ ଗାଡ଼ିଟି ଏକ ଅଲ୍ଟୋ କାର୍‌କୁ ସଜୋରରେ ଠୋକର ମାରିବା ପରେ ନିକଟରେ ଥିବା ଏକ ସ୍ୱିଫ୍ଟ ଡିଜାୟାର ଏବଂ ଦୁଇଟି ମୋଟରସାଇକେଲକୁ ଧକ୍କା ଦେଇଥିଲା। ଏହି କ୍ରମାଗତ ଧକ୍କା ଫଳରେ ୩ଟି କାର୍‌ ଏବଂ ୨ଟି ବାଇକ୍‌ ସମ୍ପୂର୍ଣ୍ଣ ଚୂରମାର ହୋଇଯାଇଛି।

ଦୁର୍ଘଟଣା ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଭୁବନେଶ୍ୱରସ୍ଥିତ କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ସେମାନଙ୍କ ମଧ୍ୟରୁ ଜଣଙ୍କର ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକର ଏସସିବି (SCB) ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ସୃଷ୍ଟି ହୋଇଥିବା ବେଳେ କିଛି ସମୟ ପାଇଁ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ଦୁର୍ଘଟଣା ଘଟାଇଥିବା କାର୍‌ ଚାଳକ ଜଣକ ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଲାଉଥିବା ପୋଲିସ ସନ୍ଦେହ କରୁଛି।

ଖବର ପାଇ ମଞ୍ଚେଶ୍ୱର ଥାନା ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଗାଡ଼ି ଚାଳକଙ୍କୁ ଅଟକ ରଖିବା ସହ ଦୁର୍ଘଟଣାଗ୍ରସ୍ତ ଗାଡ଼ିଗୁଡ଼ିକୁ ଜବତ କରିଛି। ପୋଲିସ ଏହି ସମ୍ପର୍କରେ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛି।