ଭୁବନେଶ୍ୱର: ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ପୂର୍ବତନ ୫-ଟି ସଭାପତି ଭିକେ ପାଣ୍ଡିଆନଙ୍କ ବିରୋଧରେ ଆଗତ ହେଲିକପ୍ଟର ଅପବ୍ୟବହାର ଅଭିଯୋଗ ପିଟିସନ୍‌କୁ ଓଡ଼ିଶାର ଏକ କୋର୍ଟ ଖାରଜ କରିଛନ୍ତି। ଆବେଦନକାରୀ ନିଜ ଅଭିଯୋଗ ସପକ୍ଷରେ କୌଣସି ଆବଶ୍ୟକୀୟ ପ୍ରମାଣ ଦେବାରେ ବିଫଳ ହୋଇଥିବାରୁ କୋର୍ଟ ଏହି କ୍ରିମିନାଲ ରିଭିଜନ ପିଟିସନ୍‌କୁ ରଦ୍ଦ କରିଛନ୍ତି।

ଖୋର୍ଦ୍ଧା ସେସନ୍ସ ଜଜ୍ ବିରଞ୍ଚି ନାରାୟଣ ମହାନ୍ତି ‘କ୍ରିମିନାଲ ରିଭିଜନ୍ ନଂ ୧୭୧/୨୦୨୬’କୁ ଖାରଜ କରିବା ସହ ଭୁବନେଶ୍ୱର SDJM କୋର୍ଟଙ୍କ ଗତ ମାର୍ଚ୍ଚ ୨୫, ୨୦୨୬ର ପୂର୍ବ ନିର୍ଦ୍ଦେଶକୁ ବଜାୟ ରଖିଛନ୍ତି, ଯେଉଁଥିରେ ମୂଳ ଅଭିଯୋଗକୁ ଖାରଜ କରାଯାଇଥିଲା।

₹୫୦୦ କୋଟି ଅପବ୍ୟବହାରର ଥିଲା ଅଭିଯୋଗ

ଅଭିଯୋଗକାରୀ ସୁଧୀର ଚରଣ ମହାନ୍ତି ଅଭିଯୋଗ କରିଥିଲେ ଯେ ନବୀନ ପଟ୍ଟନାୟକ ଏବଂ ଭିକେ ପାଣ୍ଡିଆନ ସରକାରୀ ହେଲିକପ୍ଟରର ଅପବ୍ୟବହାର କରି ରାଜ୍ୟ କୋଷାଗାରର ପ୍ରାୟ ୫୦୦ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ଏହି ମାମଲାରେ ପୋଲିସ ଏଫ୍‌ଆଇଆର୍ ରୁଜୁ ନକରିବାରୁ ସେ SDJM କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ମାତ୍ର ପ୍ରମାଣ ଅଭାବରୁ SDJM କୋର୍ଟ ପୂର୍ବରୁ ଏହି ଅଭିଯୋଗକୁ ଖାରଜ କରିଦେଇଥିଲେ।

ଦୁଇ ନେତାଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ତଥା ପୂର୍ବତନ ଆଡଭୋକେଟ୍ ଜେନେରାଲ ଅଶୋକ କୁମାର ପରିଜା ଏବଂ ଆଇନଜୀବୀ ସୀତାଂଶୁ ମୋହନ ଦ୍ୱିବେଦୀ କୋର୍ଟରେ ପକ୍ଷ ରଖିଥିଲେ। ସେମାନେ ଯୁକ୍ତି ଦର୍ଶାଇଥିଲେ ଯେ ଆବେଦନକାରୀ କୌଣସି ପ୍ରମାଣପତ୍ର ଦାଖଲ କରିନାହାଁନ୍ତି ଏବଂ ‘ଭାରତୀୟ ନାଗରିକ ସୁରକ୍ଷା ସଂହିତା (BNSS), ୨୦୨୩’ର ବାଧ୍ୟତାମୂଳକ ନିୟମାବଳୀ ପାଳନ କରିବାରେ ବିଫଳ ହୋଇଛନ୍ତି।

ଶୁଣାଣି ପରେ କୋର୍ଟ ସ୍ପଷ୍ଟ କରିଛନ୍ତି ଯେ ଆବେଦନକାରୀ କୌଣସି ଅପରାଧ ପ୍ରମାଣିତ କରିପାରିନାହାଁନ୍ତି କିମ୍ବା BNSS ର ଧାରା ୧୭୩(୪) ର ପାଳନ କରିନାହାଁନ୍ତି। ଏହାସହ ଧାରା ୩୩ ଅଧୀନରେ ତାଙ୍କର କୌଣସି ଆଇନଗତ ଆଧାର ନାହିଁ। SDJM ଙ୍କ ଆଦେଶରେ କୌଣସି ଆଇନଗତ ତ୍ରୁଟି ନଥିବା ଦର୍ଶାଇ କୋର୍ଟ ଏହି ପିଟିସନ୍‌କୁ ସମ୍ପୂର୍ଣ୍ଣ ଆଧାରହୀନ କହି ଖାରଜ କରିଛନ୍ତି।