ରାୟଗଡ଼ା: ଡିଜିଟାଲ୍‌ ଯୁଗରେ ସରକାରୀ ସେବାଠାରୁ ଆରମ୍ଭ କରି ଶିକ୍ଷା, ବ୍ୟାଙ୍କିଂ ଓ ଦୈନନ୍ଦିନ କାର୍ଯ୍ୟ ପର୍ଯ୍ୟନ୍ତ ସବୁକିଛି ପାଇଁ ଇଣ୍ଟରନେଟ୍‌ ଅପରିହାର୍ଯ୍ୟ ହୋଇପଡ଼ିଛି। ହେଲେ ରାୟଗଡ଼ା ଭଳି ପାହାଡ଼ ଓ ଦୁର୍ଗମ ଅଞ୍ଚଳ ଘେରା ଜିଲ୍ଲାର ଶତାଧିକ ଗାଁ ଏବେ ବି ମୋବାଇଲ୍‌ ନେଟୱର୍କରୁ ବଞ୍ଚିତ। ସରକାରୀ ତଥ୍ୟ ଅନୁଯାୟୀ, ଜିଲ୍ଲାର ମୋଟ ୨,୬୧୨ଟି ଗାଁ ମଧ୍ୟରୁ ପ୍ରାୟ ୮୪୦ଟି ଗାଁରେ ମୋବାଇଲ୍‌ ନେଟୱର୍କ ଉପଲବ୍ଧ ନାହିଁ। ଫଳରେ ପ୍ରାୟ ୩୪ ପ୍ରତିଶତ ଲୋକ ଇଣ୍ଟରନେଟ୍‌ ସେବାରୁ ବଞ୍ଚିତ ରହିଛନ୍ତି।

ସରକାରୀ ଯୋଜନାରେ ଆବେଦନ, ଅଭିଯୋଗ ଦାଖଲ, ବିଦ୍ୟାଳୟରେ ନାମଲେଖା, ରାସନକାର୍ଡରେ ନାମ ପଞ୍ଜୀକରଣ ଭଳି ବିଭିନ୍ନ କାର୍ଯ୍ୟ ଅନଲାଇନ୍‌ରେ ହେଉଥିବାବେଳେ ନେଟୱର୍କ ଅଭାବ ଯୋଗୁଁ ଦୁର୍ଗମ ଅଞ୍ଚଳର ଲୋକେ ଅସୁବିଧା ଭୋଗୁଛନ୍ତି। ଅଙ୍ଗନବାଡ଼ିଠାରୁ ଆରମ୍ଭ କରି କେନ୍ଦ୍ରୀୟ ଯୋଜନା ପର୍ଯ୍ୟନ୍ତ ଅନେକ କାର୍ଯ୍ୟ ଇଣ୍ଟରନେଟ୍‌ ନିର୍ଭରଶୀଳ ହୋଇଥିଲେ ମଧ୍ୟ ଜିଲ୍ଲାର ବହୁ ଅଞ୍ଚଳରେ ଏହି ସୁବିଧା ଏବେ ବି ଅପହଞ୍ଚ।

ନିର୍ବାଚନ ସମୟରେ ବଢ଼ିଥିଲା ନେଟୱର୍କ, ପରେ ପୁଣି ସମସ୍ୟା

୨୦୨୪ ସାଧାରଣ ନିର୍ବାଚନ ସମୟରେ ନିର୍ବାଚନ କମିସନଙ୍କ ନିର୍ଦ୍ଦେଶରେ ବିଭିନ୍ନ ଟାୱାରର ଫ୍ରିକ୍ୱେନ୍ସି ବଢ଼ାଯାଇ ଦୁର୍ଗମ ଅଞ୍ଚଳକୁ ନେଟୱର୍କ ପହଞ୍ଚାଇବାର ବ୍ୟବସ୍ଥା ହୋଇଥିଲା। କେତେକ ସ୍ଥାନରେ ଅସ୍ଥାୟୀ ନେଟୱର୍କ ବ୍ୟବସ୍ଥା କରାଯାଇ ‘ନୋ-ଶାଡୋ ଜୋନ୍‌’ ତିଆରି କରାଯାଇଥିଲା। ହେଲେ ନିର୍ବାଚନ ସରିବା ପରେ ପୁଣି ପୂର୍ବ ସ୍ଥିତି ଫେରିଥିବା ଅଭିଯୋଗ ରହିଛି।

ନୀତି ଆୟୋଗ ରାୟଗଡ଼ାର ମୁନିଗୁଡ଼ା ଓ ପଦ୍ମପୁର ବ୍ଲକକୁ ଆକାଂକ୍ଷୀ ବ୍ଲକ ଭାବେ ଚିହ୍ନଟ କରିଛି। ଏହି ଦୁଇ ବ୍ଲକର ମଧ୍ୟ ଅନେକ ଅଞ୍ଚଳରେ ନେଟୱର୍କ ସମସ୍ୟା ରହିଛି।

୧୬ଟି ସ୍ଥାନରେ ଟାୱାର ନିର୍ମାଣ ଅଟକିଛି

ଜୁନ୍‌ ମାସରେ ହୋଇଥିବା ଦିଶା ବୈଠକର ତଥ୍ୟ ଅନୁଯାୟୀ, ଜିଲ୍ଲାରେ ବିଏସ୍‌ଏନ୍‌ଏଲ୍‌ର ୬୦ଟି ୨ଜି, ୫୪ଟି ୩ଜି, ୬୬ଟି ୪ଜି ଏବଂ ୧୮ଟି ଏଲ୍‌ଟିଇ ୪ଜି ବିଟିଏସ୍‌ କାର୍ଯ୍ୟକ୍ଷମ ରହିଛି। ଜିଲ୍ଲାର ସମସ୍ତ ୧୧ଟି ବ୍ଲକରେ ବିଏସ୍‌ଏନ୍‌ଏଲ୍‌ ୪ଜି ସେବା ଉପଲବ୍ଧ ଥିବା କୁହାଯାଉଛି। ତଥାପି ଜିଲ୍ଲାର ବିଶାଳ ଭୌଗୋଳିକ ପରିସର ଓ ଜନସଂଖ୍ୟା ତୁଳନାରେ ଏହି ବ୍ୟବସ୍ଥା ପର୍ଯ୍ୟାପ୍ତ ନୁହେଁ।

କେନ୍ଦ୍ର ସରକାରଙ୍କ ଡିଜିଟାଲ୍‌ ଭାରତ ନିଧି (ଡିବିଏନ୍‌) ପାଣ୍ଠିରେ ଜିଲ୍ଲାରେ ମୋବାଇଲ୍‌ ଟାୱାର ନିର୍ମାଣ ଚାଲିଛି। ତେବେ ରାସ୍ତା ନଥିବା କାରଣରୁ ୧୬ଟି ସ୍ଥାନରେ ଟାୱାର କାର୍ଯ୍ୟକ୍ଷମ ହୋଇପାରୁନଥିବା ନେଇ ପ୍ରକଳ୍ପ କାର୍ଯ୍ୟାନ୍ୱୟନ ସଂସ୍ଥା ପକ୍ଷରୁ କେନ୍ଦ୍ରକୁ ରିପୋର୍ଟ ଦିଆଯାଇଛି।

ଡିବିଏନ୍‌ ଯୋଜନାରେ ରାୟଗଡ଼ା ଜିଲ୍ଲାରେ ୭୯୦ଟି ଜିଓ ଟାୱାର ପାଇଁ ମଞ୍ଜୁରି ମିଳିଥିବାବେଳେ ଏଥିରୁ କେତୋଟି ବର୍ତ୍ତମାନ ସୁଦ୍ଧା କାର୍ଯ୍ୟକ୍ଷମ ହୋଇଛି, ତାହା ସ୍ପଷ୍ଟ ହୋଇନାହିଁ।

ପିଭିଟିଜି ଅଞ୍ଚଳରେ ନେଟୱର୍କ ପାଇଁ ପଦକ୍ଷେପ

ଜିଲ୍ଲାରେ ମୋବାଇଲ୍‌ ନେଟୱର୍କ ସମସ୍ୟା ଦୂର କରିବା ପାଇଁ ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଉଥିବା ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ନିହାର ରଞ୍ଜନ କହଁର ସୂଚନା ଦେଇଛନ୍ତି। ବିଶେଷକରି ଜିଲ୍ଲାର ପିଭିଟିଜି (ବିଶେଷ ଭାବେ ଦୁର୍ବଳ ଜନଜାତି ଗୋଷ୍ଠୀ) ଅଞ୍ଚଳଗୁଡ଼ିକରେ ଇଣ୍ଟରନେଟ୍‌ ସୁବିଧା ପହଞ୍ଚାଇବା ପାଇଁ ମଧ୍ୟ ପଦକ୍ଷେପ ନିଆଯାଉଥିବା ସେ କହିଛନ୍ତି।