ରାୟଗଡ଼ା: ରାୟଗଡ଼ା ଜିଲ୍ଲାରେ ଅଙ୍ଗନବାଡ଼ି ଓ ଟେକ୍‌ ହୋମ୍‌ ରାସନ୍‌ (ଟିଏଚ୍‌ଆର୍‌) ୟୁନିଟ୍‌ ମାଧ୍ୟମରେ ଦିଆଯାଉଥିବା ପୁଷ୍ଟିକର ଖାଦ୍ୟର ମାନକୁ ନେଇ ପ୍ରଶ୍ନ ଉଠିଛି। ଶିଶୁ, କିଶୋରୀ, ଯୁବତୀ ଓ ଗର୍ଭବତୀ ମହିଳାଙ୍କୁ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ଅଭିଯୋଗ ହୋଇଥିବା ବେଳେ ଏନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ବବିତା ପାତ୍ର।

ଗୁରୁବାର ଜିଲ୍ଲା ପ୍ରଶାସନ ସହ ସମୀକ୍ଷା ବୈଠକ ପରେ ଗଣମାଧ୍ୟମକୁ ଦେଇଥିବା ପ୍ରେସ୍‌ବାର୍ତ୍ତାରେ ଅଧ୍ୟକ୍ଷା କହିଛନ୍ତି, ପିଲାମାନଙ୍କ ସୁଖ, ସୁବିଧା ଓ ଅଧିକାରରେ ଯେକୌଣସି ବାଧା ରହିଥିଲେ ତାହାକୁ ତୁରନ୍ତ ଦୂର କରାଯିବା ଆବଶ୍ୟକ। ଏଥିରେ ଅବହେଳା ହେଲେ ଶିଶୁ ଅଧିକାର ସୁରକ୍ଷା ଆୟୋଗ କଠୋର ପଦକ୍ଷେପ ନେବ ବୋଲି ସେ ସତର୍କ କରିଛନ୍ତି।

ଟିଏଚ୍‌ଆର୍‌ ଖାଦ୍ୟର ଯାଞ୍ଚ ନିର୍ଦ୍ଦେଶ

ଅଙ୍ଗନବାଡ଼ି ଓ ଟିଏଚ୍‌ଆର୍‌ ୟୁନିଟ୍‌ଗୁଡ଼ିକରେ ଯୋଗାଣ ହେଉଥିବା ଖାଦ୍ୟର ମାନ ଯାଞ୍ଚ କରିବାକୁ ଜିଲ୍ଲା ପ୍ରଶାସନକୁ ଅଧ୍ୟକ୍ଷା ନିର୍ଦ୍ଦେଶ ଦେଇଛନ୍ତି। ବର୍ତ୍ତମାନ ପୁଷ୍ଟିକର ଖାଦ୍ୟ ଯୋଗାଉଥିବା ସ୍ୱୟଂ ସହାୟକ ଗୋଷ୍ଠୀକୁ ବାଦ୍‌ ଦେଇ ନୂତନ ସଂଗଠନକୁ ଦାୟିତ୍ୱ ଦେବା ସହ ଯୋଗାଣ ହେଉଥିବା ଛତୁଆ ପ୍ରତ୍ୟାହାର କରିବାକୁ ମଧ୍ୟ ସେ ପ୍ରଶାସନକୁ କହିଛନ୍ତି।

ହସ୍ପିଟାଲ, ସ୍କୁଲ ଓ ଟିଏଚ୍‌ଆର୍‌ ୟୁନିଟ୍‌ରେ ଆକସ୍ମିକ ଯାଞ୍ଚ

ସମୀକ୍ଷା ବୈଠକ ପୂର୍ବରୁ ଅଧ୍ୟକ୍ଷା ବିଭିନ୍ନ ଡାକ୍ତରଖାନା, ବିଦ୍ୟାଳୟ ଓ ଟିଏଚ୍‌ଆର୍‌ ୟୁନିଟ୍‌ରେ ଆକସ୍ମିକ ପରିଦର୍ଶନ କରି ଯାଞ୍ଚ କରିଥିଲେ। ଏହାପରେ ଜିଲ୍ଲା ପ୍ରଶାସନ ସହ ସମୀକ୍ଷା ବୈଠକ ହୋଇଥିଲା।

ବୈଠକରେ ଜିଲ୍ଲାପାଳ ଅନୁପସ୍ଥିତ ଥିବା ନେଇ ଅଧ୍ୟକ୍ଷା ଗଣମାଧ୍ୟମକୁ ଜଣାଇଥିଲେ। ସେହିପରି ବୈଠକରେ ଉପସ୍ଥିତ ଜଣେ ପୁଲିସ ଅଧିକାରୀ ବୈଠକ ଅଧାରୁ ଚାଲିଯାଇଥିବାରୁ ସେ ଅସନ୍ତୋଷ ପ୍ରକାଶ କରିଥିଲେ।

ଆବାସିକ ବିଦ୍ୟାଳୟରେ ସୁବିଧା ବଢ଼ାଇବାକୁ ନିର୍ଦ୍ଦେଶ

୬ ମାସରୁ ୩ ବର୍ଷର ଶିଶୁ, ୧୪ରୁ ୧୮ ବର୍ଷର କିଶୋରୀ, ଗର୍ଭବତୀ ଓ ସ୍ତନ୍ୟପାନ କରାଉଥିବା ମହିଳାଙ୍କ ପାଇଁ ରହିଥିବା ଯୋଜନା ସହ ହଷ୍ଟେଲ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ।

ଜିଲ୍ଲାର ଦୁଇଟି ଆଇଟିଡିଏର ପ୍ରକଳ୍ପ ପ୍ରଶାସକଙ୍କୁ ଆବାସିକ ବିଦ୍ୟାଳୟଗୁଡ଼ିକରେ ଡାଇନିଂ ରୁମ୍‌ ଓ ଶୌଚାଳୟ ନିର୍ମାଣ କରି ଅନ୍ତେବାସୀଙ୍କୁ ଉପଲବ୍ଧ କରାଇବାକୁ କୁହାଯାଇଛି। ଏଥିସହ ଛାତ୍ରଛାତ୍ରୀଙ୍କ ଖାଦ୍ୟ ଓ ସ୍ୱାସ୍ଥ୍ୟ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

୨୦୮୭ ଅଙ୍ଗନବାଡ଼ି, ୬୫ ହଜାର ହିତାଧିକାରୀ

ସୂଚନା ଅନୁଯାୟୀ, ରାୟଗଡ଼ା ଜିଲ୍ଲାରେ ୨୦୮୭ଟି ଅଙ୍ଗନବାଡ଼ି କେନ୍ଦ୍ର ରହିଛି। ଏହି କେନ୍ଦ୍ରଗୁଡ଼ିକ ପାଇଁ ୧୯ଟି ଟିଏଚ୍‌ଆର୍‌ ୟୁନିଟ୍‌ ମାଧ୍ୟମରେ ପୁଷ୍ଟିକର ଖାଦ୍ୟ ଯୋଗାଣ ହେଉଛି। ଜିଲ୍ଲାରେ ପ୍ରାୟ ୬୫ ହଜାର ହିତାଧିକାରୀ ଟିଏଚ୍‌ଆର୍‌ ୟୁନିଟ୍‌ରୁ ପୁଷ୍ଟିକର ଖାଦ୍ୟ ପାଉଛନ୍ତି।