ବ୍ରହ୍ମପୁର: ଦକ୍ଷିଣ ଓଡ଼ିଶାର ପ୍ରମୁଖ ଚିକିତ୍ସାକେନ୍ଦ୍ର ଏମ୍‌କେସିଜି ମେଡିକାଲ କଲେଜ୍‌ ପରିସରରେ ପୁଣି ଅଗ୍ନିକାଣ୍ଡ ଘଟିଛି। ଶୁକ୍ରବାର ନର୍ସିଂ ମହାବିଦ୍ୟାଳୟର ପୁରୁଷ ହଷ୍ଟେଲର ତଳ ମହଲାରେ ଥିବା କିଚେନ୍‌ରେ ନିଆଁ ଲାଗିଥିବା ଜଣାପଡ଼ିଛି।

ପ୍ରାଥମିକ ସୂଚନା ଅନୁସାରେ, କିଚେନ୍‌ରେ ଗ୍ୟାସ୍‌ ପାଇପ୍‌ ଲିକ୍‌ ହେବା ପରେ ନିଆଁ ଲାଗିଥିଲା। ଗ୍ୟାସ୍‌ର ଦୁର୍ଗନ୍ଧ ଜାଣିପାରି ହଷ୍ଟେଲରେ ଥିବା ଛାତ୍ରମାନେ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ।

ଖବର ପାଇ ଅଗ୍ନିଶମ ବାହିନୀର ସ୍ୱତନ୍ତ୍ର ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ନିୟନ୍ତ୍ରଣକୁ ଆଣିଥିଲା। ଏହି ଘଟଣାରେ କୌଣସି ବଡ଼ ଅଘଟଣ ଘଟିଥିବା ସୂଚନା ମିଳିନାହିଁ।

ଅଗ୍ନି ନିର୍ବାପକ ବ୍ୟବସ୍ଥାକୁ ନେଇ ପ୍ରଶ୍ନ

ଘଟଣା ପରେ ଏମ୍‌କେସିଜିର ଅଗ୍ନି ନିର୍ବାପକ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି। ଅନୁଷ୍ଠାନରେ ଥିବା କିଛି ଅଗ୍ନି ନିର୍ବାପକ ଉପକରଣର ଅବଧି ସରିଯାଇଥିବା ଅଭିଯୋଗ ରହିଛି। ଏହା ସହ ଅଗ୍ନି ନିର୍ବାପକ ଭିତ୍ତିଭୂମି ମଧ୍ୟ ଦୁର୍ବଳ ଥିବା ଜଣାପଡ଼ିଛି।

ଏମ୍‌କେସିଜି ମେଡିକାଲ କଲେଜ୍‌ରେ ଅଗ୍ନିକାଣ୍ଡ ଘଟଣା ପୂର୍ବରୁ ମଧ୍ୟ ଘଟିଛି। ବାରମ୍ବାର ଏଭଳି ଘଟଣା ଘଟୁଥିବାରୁ ହସ୍ପିଟାଲ ଓ ମେଡିକାଲ କଲେଜ୍‌ର ଅଗ୍ନି ସୁରକ୍ଷା ବ୍ୟବସ୍ଥାକୁ ନେଇ ବୁଦ୍ଧିଜୀବୀ ମହଲରେ ଚିନ୍ତା ପ୍ରକାଶ ପାଇଛି।