ନୂଆଦିଲ୍ଲୀ: ନେପାଳ-ତିବ୍ବତ ସୀମାନ୍ତ ଅଞ୍ଚଳରେ ପ୍ରକୃତିର ତାଣ୍ଡବ ପରେ ଜାରି ରହିଛି ଉଦ୍ଧାର ଓ ତଲାସୀ ଅଭିଯାନ। ଭୟଙ୍କର ବନ୍ୟା ଓ ଭୂସ୍ଖଳନରେ ନେପାଳରେ ଏବେ ସୁଦ୍ଧା ୧୩୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୫ ହଜାରରୁ ଅଧିକ ନିଖୋଜ ଅଛନ୍ତି। ଏହି ବିପର୍ଯ୍ୟୟରେ ୨୭୫ ଜଣ ଭାରତୀୟ ନାଗରିକଙ୍କ ସନ୍ଧାନ ମିଳୁନଥିବା ବେଳେ ୧୬୬ ଜଣଙ୍କୁ ଉଦ୍ଧାର କରାଯାଇଛି ବୋଲି ବୈଦେଶିକ ମନ୍ତ୍ରଣାଳୟ (MEA) ସୂଚନା ଦେଇଛି।

୨୭୫ ଭାରତୀୟ ନିଖୋଜ, ୧୬୬ ଉଦ୍ଧାର

ଶୁକ୍ରବାର MEA ମୁଖପାତ୍ର ରଣଧୀର ଜୟସୱାଲ କହିଛନ୍ତି ଯେ, ନେପାଳରେ ନିଖୋଜ ଭାରତୀୟଙ୍କୁ ଖୋଜିବା ପାଇଁ ଭାରତ ସରକାର ନେପାଳ ସରକାର ଓ ସମ୍ପୃକ୍ତ ରାଜ୍ୟ ସରକାରଗୁଡ଼ିକ ସହ ନିରନ୍ତର ଯୋଗାଯୋଗରେ ରହିଛି। ଏପର୍ଯ୍ୟନ୍ତ ୧୬୬ ଭାରତୀୟଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଉଦ୍ଧାର ହୋଇଥିବା ନାଗରିକଙ୍କ ନାମ ମଧ୍ୟ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ କରାଯାଉଛି।

ଏହାଛଡ଼ା ଚୀନ୍‌ରୁ ୧୯୦୭ ଜଣ ଭାରତୀୟ ସୁରକ୍ଷିତ ଭାବେ ନେପାଳରେ ପହଞ୍ଚିଛନ୍ତି। ଚୀନ୍‌ର ତିବ୍ବତ ସ୍ୱୟଂଶାସିତ ଅଞ୍ଚଳରେ କୌଣସି ଭାରତୀୟ ଯାତ୍ରୀ ଫସି ନଥିବା ମଧ୍ୟ MEA ସ୍ପଷ୍ଟ କରିଛି।

୧୩୦୦ରୁ ଅଧିକ ମୃତ, ୫ ହଜାରରୁ ଅଧିକ ନିଖୋଜ

ନେପାଳ ସରକାରଙ୍କ ସଦ୍ୟତମ ତଥ୍ୟ ଅନୁସାରେ, ବନ୍ୟା ଓ ଭୂସ୍ଖଳନରେ ୧୨୮୭ଟି ମୃତଦେହ ଉଦ୍ଧାର ହୋଇଛି ଏବଂ ପ୍ରାୟ ୫୦୮୩ ଜଣ ଏବେ ମଧ୍ୟ ନିଖୋଜ ଅଛନ୍ତି। ତିବ୍ବତରେ ମଧ୍ୟ ମୃତାହତ ଓ ନିଖୋଜଙ୍କ ସଂଖ୍ୟା ଯୋଗ କଲେ ମୋଟ ମୃତ୍ୟୁସଂଖ୍ୟା ୧୩୦୦ ପାର କରିଛି।

ବନ୍ୟା, ଭୂସ୍ଖଳନ ଓ ଭୂସ୍ଖଳନଜନିତ ମାଟି-ପଥର ପ୍ରବାହରେ ଘର, ରାସ୍ତା, ପୋଲ ଏବଂ ଜଳବିଦ୍ୟୁତ ପ୍ରକଳ୍ପଗୁଡ଼ିକ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି। ତ୍ରିଶୁଳୀ ନଦୀ ଉପତ୍ୟକା ସବୁଠାରୁ ଅଧିକ ପ୍ରଭାବିତ ଅଞ୍ଚଳ ମଧ୍ୟରେ ରହିଛି।

୯ ଦିନ ପରେ ଟନେଲରୁ ଜୀବନ୍ତ ଉଦ୍ଧାର ୨ ଶ୍ରମିକ

ବିପର୍ଯ୍ୟୟର ଦଶମ ଦିନରେ ଉଦ୍ଧାରକାରୀଙ୍କୁ ମିଳିଛି ଏକ ବଡ଼ ସଫଳତା। ତ୍ରିଶୁଳୀ-୩ଏ ଜଳବିଦ୍ୟୁତ ପ୍ରକଳ୍ପର ଏକ ଟନେଲରୁ ୯ ଦିନ ପରେ ଦୁଇ ଶ୍ରମିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ସେମାନେ ହେଲେ କବୀର ମହାର୍ଜନ ଓ ସଞ୍ଜୟ ସାହ। ଉଭୟଙ୍କୁ ଚିକିତ୍ସା ପାଇଁ କାଠମାଣ୍ଡୁସ୍ଥିତ ସେନା ହସ୍ପିଟାଲକୁ ନିଆଯାଇଛି।

ଉଦ୍ଧାରକାରୀ ଦଳ ଏବେ ମଧ୍ୟ ବିଭିନ୍ନ ଜଳବିଦ୍ୟୁତ ପ୍ରକଳ୍ପର ଟନେଲରେ ଫସିଥିବା ଲୋକଙ୍କୁ ଖୋଜୁଛନ୍ତି। ଭାରତ, ଚୀନ୍‌ ଓ ଦକ୍ଷିଣ କୋରିଆର ଟନେଲ୍‌ ଉଦ୍ଧାର ବିଶେଷଜ୍ଞମାନେ ନେପାଳ ସେନା ସହ ମିଶି ଅଭିଯାନ ଚଳାଉଛନ୍ତି।

ନେପାଳକୁ ଭାରତର ରିଲିଫ୍‌ ସହାୟତା ଜାରି

ବିପର୍ଯ୍ୟୟ ପରେ ନେପାଳକୁ ଭାରତ ପକ୍ଷରୁ ରିଲିଫ୍‌ ଓ ଉଦ୍ଧାର ସହାୟତା ଜାରି ରହିଛି। ଏପର୍ଯ୍ୟନ୍ତ ୭ଟି ବିମାନ ମାଧ୍ୟମରେ ପ୍ରାୟ ୯୫ ଟନ୍‌ ରିଲିଫ୍‌ ସାମଗ୍ରୀ ପଠାଯାଇଛି। ଏହା ସହ ୩୦ ଜଣ ଟନେଲ୍‌ ଉଦ୍ଧାର ବିଶେଷଜ୍ଞ, ୧୯ ଜଣ ଫରେନସିକ୍‌ ବିଶେଷଜ୍ଞ ଏବଂ ୫ ଜଣିଆ ମେଡିକାଲ୍‌ ଟିମ୍‌ ସମେତ ମୋଟ ୫୪ ଜଣ ଭାରତୀୟ କର୍ମଚାରୀ ନେପାଳରେ ଉଦ୍ଧାର ଓ ରିଲିଫ୍‌ କାର୍ଯ୍ୟରେ ସାମିଲ ହୋଇଛନ୍ତି।

ଭାରତ ସରକାର ନେପାଳର ଆବଶ୍ୟକତା ଅନୁଯାୟୀ ଆଗକୁ ମଧ୍ୟ ସହାୟତା ଯୋଗାଇବ ବୋଲି MEA କହିଛି। ଅଧିକ ଫରେନସିକ୍‌ କିଟ୍‌, ବେଲି ବ୍ରିଜ୍‌ ଏବଂ ଆବଶ୍ୟକ ଉପକରଣ ପଠାଇବା ପାଇଁ ଯୋଜନା ରହିଛି।