ରାଉରକେଲା: ପାନପୋଷ ସର୍କିଟ୍‌ ହାଉସ୍‌ରୁ ଅପରାଧୀଙ୍କ ଗିରଫ ଓ ବନ୍ଧୁକ-ଗୁଳି ଜବତ ଘଟଣାକୁ ନେଇ ଚର୍ଚ୍ଚାରେ ଥିବା ପ୍ରକାଶ ପାଶୱାନଙ୍କ ବିରୋଧରେ ଆଉ ଏକ ବଡ଼ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ହୋଇଛି। ଦୁର୍ଗାପୁର ସଂରକ୍ଷିତ ଜଙ୍ଗଲ ଜମିରେ ତାଙ୍କ ଦ୍ୱାରା ନିର୍ମିତ ଅଫିସ୍‌କୁ ଶନିବାର ବନବିଭାଗ ଜେସିବି ଲଗାଇ ଭାଙ୍ଗି ଦେଇଛି।

ପ୍ରଥମେ ଅଫିସ୍‌ରୁ ସାମଗ୍ରୀ ବାହାର କରାଗଲା

ଶନିବାର ପ୍ରାୟ ୧୧ଟାରେ ଅତିରିକ୍ତ ତହସିଲଦାର ସେବକ ଚନ୍ଦ୍ର ପ୍ରଧାନ, ରାଉରକେଲା ଏସିଏଫ୍‌ ଗଜେନ୍ଦ୍ର ପାଲ୍‌ ସିଂ ମାଥୁର ଓ ପାନପୋଷ ରେଞ୍ଜର ସୁଚିସ୍ମିତାଙ୍କ ଉପସ୍ଥିତିରେ ଅଫିସ୍‌ରୁ ବିଭିନ୍ନ ସାମଗ୍ରୀ ବାହାର କରାଯାଇଥିଲା।

ଏଥିରେ ଟେବୁଲ, ୫ଟି ଚେୟାର, ସୋଫା, ର୍ୟାକ୍‌, ଟ୍ରଲି ବ୍ୟାଗ୍‌, ୱାଇଫାଇ ମଡେମ୍‌ ଓ ବିଭିନ୍ନ ସାର୍ଟିଫିକେଟ୍‌ ରହିଥିଲା। ଅଫିସ୍‌ରୁ ଏକ ପ୍ଲାଷ୍ଟିକ୍‌ ବୋତଲରେ ମଦ, କିଛି ଆଶାୟୀଙ୍କ ରିଜ୍ୟୁମ୍‌ ଏବଂ ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠିର ଫର୍ମ ମଧ୍ୟ ମିଳିଥିବା ଜଣାପଡ଼ିଛି।

ସାମଗ୍ରୀ ବାହାର କରିବା ପରେ ଜେସିବି ଲଗାଇ ଅଫିସ୍‌ଟିକୁ ଭାଙ୍ଗି ଦିଆଯାଇଥିଲା। ଅଫିସ୍‌ର ସାମଗ୍ରୀ ବନବିଭାଗ ହେପାଜତକୁ ନେଇଥିବା ବେଳେ କାଗଜପତ୍ର ରଘୁନାଥପାଲି ପୁଲିସ ଜବତ କରିଥିବା ସୂଚନା ମିଳିଛି।

କମ୍ୟୁନିଟି ସେଣ୍ଟର ପାଇଁ ମିଳିଥିଲା ଜମି

ବନବିଭାଗର ସୂଚନା ଅନୁସାରେ, ୨୦୨୨ରେ ପ୍ରକାଶ ପାଶୱାନଙ୍କୁ କମ୍ୟୁନିଟି ସେଣ୍ଟର ନିର୍ମାଣ ପାଇଁ ୨.୪୭ ଡିସିମିଲ୍‌ ଜମି ଦିଆଯାଇଥିଲା। ତେବେ ୨୦୨୪ରେ ସେ ସାଂସଦଙ୍କ ପ୍ରତିନିଧି ହେବା ପରେ ଉକ୍ତ ସ୍ଥାନରେ ଅଫିସ୍‌ ନିର୍ମାଣ କରିଥିବା ଅଭିଯୋଗ ହୋଇଥିଲା।

ବନବିଭାଗର ଅଭିଯୋଗ ଅନୁସାରେ, ଅନୁମୋଦିତ ଉଦ୍ଦେଶ୍ୟ ବାହାରେ ଜମି ବ୍ୟବହାର କରି ନିର୍ମାଣ କରାଯାଇଥିବାରୁ ଏହାକୁ ବେଆଇନ ଦଖଲ ଭାବେ ବିବେଚନା କରାଯାଇଥିଲା।

ଅଗଷ୍ଟ ୨୮ରେ ଅଫିସ୍‌ ସିଲ୍‌, ନୋଟିସ୍‌ ଜାରି

ବେଆଇନ ନିର୍ମାଣ ଅଭିଯୋଗରେ ବନବିଭାଗର ସ୍ୱତନ୍ତ୍ର ଟିମ୍‌ ଅଗଷ୍ଟ ୨୮ରେ ଅଫିସ୍‌ଟିକୁ ସିଲ୍‌ କରିଥିଲା। ଏହାସହ ପ୍ରକାଶ ପାଶୱାନଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରି ଅଗଷ୍ଟ ୩୧ ସୁଦ୍ଧା ହାଜର ହୋଇ ନିଜ ପକ୍ଷ ରଖିବାକୁ କୁହାଯାଇଥିଲା।

ତେବେ ନିର୍ଦ୍ଧାରିତ ସମୟ ମଧ୍ୟରେ ପାଶୱାନଙ୍କ ପକ୍ଷରୁ କୌଣସି ଉତ୍ତର ମିଳିନଥିବାରୁ ଶନିବାର ଅଫିସ୍‌ ଭଙ୍ଗାଯାଇଥିବା ବନବିଭାଗ ପକ୍ଷରୁ କୁହାଯାଇଛି।

ସର୍କିଟ୍‌ ହାଉସ୍‌ ମାମଲାରେ ଜେଲ୍‌ରେ ପାଶୱାନ

ଅନ୍ୟପକ୍ଷରେ ପାନପୋଷ ସର୍କିଟ୍‌ ହାଉସ୍‌ ମାମଲାରେ ପ୍ରକାଶ ପାଶୱାନଙ୍କୁ ଅଗଷ୍ଟ ୨୬ରେ ଗିରଫ କରାଯାଇଥିଲା। ସର୍କିଟ୍‌ ହାଉସ୍‌ରୁ ଅପରାଧୀଙ୍କ ଗିରଫ ଓ ଅସ୍ତ୍ରଶସ୍ତ୍ର ଜବତ ଘଟଣାର ତଦନ୍ତରେ ପାଶୱାନଙ୍କ ଭୂମିକାକୁ ନେଇ ପୁଲିସ ତଦନ୍ତ ଜାରି ରଖିଛି।