ଭୁବନେଶ୍ୱର: ସମାବେଶୀ ଓ ସନ୍ତୁଳିତ ଅଭିବୃଦ୍ଧି ମାଧ୍ୟମରେ ଓଡ଼ିଶାକୁ ପୂର୍ବ ଭାରତର ଅର୍ଥନୈତିକ ନେତୃତ୍ୱ ନେବାକୁ ପ୍ରସ୍ତୁତ କରାଯାଉଛି। ଏ ଦିଗରେ ବ୍ୟାଙ୍କଗୁଡ଼ିକ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ସହ ସମନ୍ୱୟ ରଖି କାର୍ଯ୍ୟ କରିବା ଆବଶ୍ୟକ ବୋଲି ୧୮୪ତମ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି (SLBC) ବୈଠକରେ ଗୁରୁତ୍ୱ ଦିଆଯାଇଛି।
୧୮୪ତମ SLBC ବୈଠକ
ଜୁଲାଇ ୨୦୨୬ ତ୍ରୈମାସିକ ଶେଷ ପର୍ଯ୍ୟନ୍ତ ବ୍ୟାଙ୍କଗୁଡ଼ିକର କାର୍ଯ୍ୟଦକ୍ଷତା ସମୀକ୍ଷା ପାଇଁ ଶନିବାର ଭୁବନେଶ୍ୱରର ଏକ ହୋଟେଲରେ SLBCର ୧୮୪ତମ ବୈଠକ ଅନୁଷ୍ଠିତ ହୋଇଥିଲା। ଉନ୍ନୟନ କମିସନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଞ୍ଜନ କୁମାର ସିଂ ବୈଠକରେ ଅଧ୍ୟକ୍ଷତା କରିଥିଲେ।
ବୈଠକରେ ‘ବିକଶିତ ଓଡ଼ିଶା ୨୦୩୬’ ଏବଂ ‘ବିକଶିତ ଭାରତ ୨୦୪୭’ ଲକ୍ଷ୍ୟ ହାସଲ ପାଇଁ ସମସ୍ତ ବ୍ୟାଙ୍କ ସରକାରଙ୍କ ସହ ସହଯୋଗ କରିବାକୁ ଆହ୍ୱାନ ଦିଆଯାଇଥିଲା।
ଖଣିଜ ସମ୍ପଦ ଓ ଉପକୂଳରୁ ବିକାଶର ସୁଯୋଗ
ଦେଓରଞ୍ଜନ କୁମାର ସିଂ କହିଥିଲେ, ଲୌହ ଇସ୍ପାତ ଓ କ୍ରୋମାଇଟ୍ ଭଳି ଖଣିଜ ସମ୍ପଦ ଓଡ଼ିଶାର ଅର୍ଥନୀତିକୁ ମଜବୁତ କରୁଛି। ପ୍ରାୟ ୫୭୫ କିଲୋମିଟର ଦୀର୍ଘ ଉପକୂଳ ରାଜ୍ୟକୁ ପର୍ଯ୍ୟଟନ ଓ ବନ୍ଦର ଭିତ୍ତିକ ଶିଳ୍ପ ବିକାଶରେ ବଡ଼ ସୁଯୋଗ ଦେଉଛି।
ରାଜ୍ୟର ଯୁବପିଢ଼ିର ଦକ୍ଷତା ବିକାଶ ସହ ମାନବସମ୍ବଳକୁ ବିଭିନ୍ନ କ୍ଷେତ୍ରରେ ଉପଯୋଗ କରିବା ଉପରେ ସରକାର ଗୁରୁତ୍ୱ ଦେଉଥିବା ସେ କହିଥିଲେ। ଏଥିସହ ଓଡ଼ିଶାରେ ଜାତୀୟ ଓ ଅନ୍ତର୍ଜାତୀୟ ପୁଞ୍ଜିନିବେଶ ପାଇଁ ଆଗ୍ରହ ବଢ଼ୁଥିବାରୁ ଏହାକୁ ଅର୍ଥନୈତିକ ବିକାଶରେ ବିନିଯୋଗ କରିବାର ଆବଶ୍ୟକତା ରହିଛି।
ମହିଳା ଉଦ୍ୟୋଗୀଙ୍କୁ ଋଣ ସହାୟତା ଉପରେ ଗୁରୁତ୍ୱ
ବୈଠକରେ ମହିଳା ଉଦ୍ୟୋଗୀଙ୍କୁ ଅଧିକ ଋଣ ସୁବିଧା ଦେବା ସହ ସ୍ୱୟଂ ସହାୟକ ଗୋଷ୍ଠୀ (SHG)ଗୁଡ଼ିକୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (SME) ଦିଗରେ ଆଗେଇ ନେବା ଉପରେ ଗୁରୁତ୍ୱ ଦିଆଯାଇଥିଲା।
‘ଲକ୍ଷପତି ଦିଦି’ଙ୍କ ସଂଖ୍ୟା ବୃଦ୍ଧିକୁ ମଧ୍ୟ ରାଜ୍ୟର ଆର୍ଥିକ ସଶକ୍ତିକରଣର ଏକ ଉଲ୍ଲେଖନୀୟ ଉପଲବ୍ଧି ଭାବେ ଦର୍ଶାଯାଇଥିଲା।
କୃଷି, MSME ଓ ଅଗ୍ରାଧିକାର କ୍ଷେତ୍ରକୁ ଋଣ
୨୦୨୬-୨୭ ଆର୍ଥିକ ବର୍ଷର ବାର୍ଷିକ ଋଣ ଯୋଜନା ନେଇ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା। କୃଷି ଓ ଆନୁଷଙ୍ଗିକ କ୍ଷେତ୍ର, ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ସମେତ ଅନ୍ୟାନ୍ୟ ଅଗ୍ରାଧିକାର କ୍ଷେତ୍ରକୁ ଋଣ ପ୍ରଦାନରେ ପ୍ରାଥମିକତା ଦେବା ଉପରେ ଜୋର ଦିଆଯାଇଥିଲା।
ଭାରତ ସରକାରଙ୍କ ଆର୍ଥିକ ସେବା ବିଭାଗର ଯୁଗ୍ମ ସଚିବ ଶାଳିନୀ ପଣ୍ଡିତ ରାଜ୍ୟର କ୍ରେଡିଟ୍-ଡିପୋଜିଟ୍ (CD) ଅନୁପାତକୁ ଜାତୀୟ ହାର ସହ ସମକକ୍ଷ କରିବା ଦିଗରେ ଉନ୍ନତିର ଆବଶ୍ୟକତା ଉପରେ ଜୋର ଦେଇଥିଲେ। ରାଜ୍ୟରେ ଅଟଳ ପେନସନ୍ ଯୋଜନାର ସଫଳ ରୂପାୟଣକୁ ସେ ପ୍ରଶଂସା କରିଥିଲେ।




