ସମ୍ବଲପୁର: ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକସ୍ଥିତ ଏନଏଲସି ଇଣ୍ଡିଆ ଲିମିଟେଡ (NLC) ଅଧୀନରେ ଥିବା ତଲାବିରା ୨ ଓ ୩ ଓପନ କାଷ୍ଟ ପ୍ରୋଜେକ୍ଟ ଷ୍ଟକୟାର୍ଡରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଛି। ନିଆଁର ପ୍ରକୋପ ଯୋଗୁଁ କୋଟି କୋଟି ଟଙ୍କାର ମୂଲ୍ୟବାନ କୋଇଲା ଜଳିପୋଡ଼ି ପାଉଁଶ ହୋଇଯାଉଥିବା ବେଳେ ବ୍ୟାପକ ରାଜସ୍ୱ ହାନି ହେବାର ଆଶଙ୍କା ଦେଖାଦେଇଛି। ତେବେ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ଗତ ୧୦ରୁ ୧୫ ଦିନ ହେଲା ଏହି ଅଗ୍ନିକାଣ୍ଡ ଜାରି ରହିଥିଲେ ହେଁ ଏହାକୁ ନିୟନ୍ତ୍ରଣ କରାଯାଇପାରି ନାହିଁ।

ଏହି ଘଟଣାରେ ଏନଏଲସି ଅଧିକାରୀଙ୍କ ଦାବି ଏବେ ଗଭୀର ବିବାଦ ସୃଷ୍ଟି କରିଛି। ନିଆଁ ଗତକାଲି ଲାଗିଥିଲା ଏବଂ ଏହାକୁ ସମ୍ପୂର୍ଣ୍ଣ ଭାବେ ଲିଭାଇ ଦିଆଯାଇଛି ବୋଲି କର୍ତ୍ତୃପକ୍ଷ କହୁଥିବା ବେଳେ, ଗ୍ରାଉଣ୍ଡ ଜିରୋର ଦୃଶ୍ୟ ସମ୍ପୂର୍ଣ୍ଣ ଭିନ୍ନ କାହାଣୀ ବର୍ଣ୍ଣନା କରୁଛି। ଷ୍ଟକୟାର୍ଡରେ ଏବେ ବି ନିଆଁ ଜଳୁଥିବା ବେଳେ ଅଗ୍ନିଶମ ବାହିନୀ ନିଆଁ ଲିଭାଇବାକୁ କ୍ରମାଗତ ଉଦ୍ୟମ ଜାରି ରଖିଛନ୍ତି।

ଷ୍ଟକୟାର୍ଡରେ କାର୍ଯ୍ୟରତ ଅପରେଟରମାନେ ମଧ୍ୟ ଅଧିକାରୀଙ୍କ ବୟାନକୁ ମିଥ୍ୟା ପ୍ରମାଣିତ କରିଛନ୍ତି। ଦୀର୍ଘ ଦିନ ହେଲା ନିଆଁ ଜଳୁଥିବା ସତ୍ତ୍ୱେ କର୍ତ୍ତୃପକ୍ଷ ଏହାକୁ କାହିଁକି ଲୁଚାଉଛନ୍ତି, ତାହାକୁ ନେଇ ସନ୍ଦେହ ଘନୀଭୂତ ହେବାରେ ଲାଗିଛି।

ଦୁର୍ନୀତି ନା ପ୍ରାକୃତିକ ଦୁର୍ଘଟଣା?

ବର୍ଷା ଋତୁ ସମୟରେ କୋଇଲା ଖଣିରେ ଏଭଳି ଭୟାବହ ନିଆଁ ଲାଗିବା ଘଟଣା ସାଧାରଣରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହା ଏକ ସାଧାରଣ ପ୍ରାକୃତିକ ଦୁର୍ଘଟଣା ନା କୋଇଲା ଚୋରିର ପ୍ରମାଣ ନଷ୍ଟ କରିବା ପାଇଁ ଏକ ମନୁଷ୍ୟକୃତ ସାଜିସ, ସେ ନେଇ ଶ୍ରମିକ ସଂଘ ସଭାପତି ବାବୁଲୁ ରାଉତ ଏବଂ ଅନ୍ୟ ଶ୍ରମିକମାନେ ପ୍ରଶ୍ନ ଉଠାଇଛନ୍ତି। ଷ୍ଟକୟାର୍ଡରେ ଥିବା କୋଇଲା ପରିମାଣ ସହିତ ଡେସପାଚ୍, ଜିପିଏସ୍, ଗେଟ୍ ରେକର୍ଡ ଏବଂ ଇଆରପି ତଥ୍ୟ ମେଳ ଖାଉଛି କି ନାହିଁ, ତାହାର ସୂକ୍ଷ୍ମ ତଦନ୍ତ ଆବଶ୍ୟକ ବୋଲି ଶ୍ରମିକ ନେତାମାନେ ଦାବି କରିଛନ୍ତି।

ଘଟଣାରୁ ସ୍ପଷ୍ଟ ହେଉଛି ଯେ ସୁରକ୍ଷା ଓ ଅଗ୍ନି ନିର୍ବାପକ ବ୍ୟବସ୍ଥାରେ ଚରମ ଅବହେଳା କରାଯାଇଛି। ଘଟଣାକୁ ଚାପି ଦେବା ପାଇଁ ଏନଏଲସି କର୍ତ୍ତୃପକ୍ଷ ଯେଉଁ ପ୍ରୟାସ କରୁଛନ୍ତି, ତାହା ଏକ ବଡ଼ ଦୁର୍ନୀତି ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ଜାତୀୟ ସମ୍ପତ୍ତିର ଏହି ବ୍ୟାପକ କ୍ଷତି ପାଇଁ ଦାୟୀ ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଏକ ସ୍ୱାଧୀନ, ବହୁବିଭାଗୀୟ ଏବଂ ସମୟବଦ୍ଧ ତଦନ୍ତ କରିବାକୁ ସ୍ଥାନୀୟ ଅଞ୍ଚଳରେ ଦାବି ଜୋର ଧରିଛି।