ନୂଆଦିଲ୍ଲୀ: ଦେଶର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (JNU)ରେ ପୁଣି ଏକ ସଙ୍ଗୀନ୍ ମାମଲା ସାମ୍ନାକୁ ଆସିଛି। ବିଶ୍ୱବିଦ୍ୟାଳୟର ଜଣେ ବରିଷ୍ଠ ପ୍ରଫେସରଙ୍କ ବିରୋଧରେ ଅନ୍ତତଃ ୧୦ ଜଣ ଛାତ୍ରଛାତ୍ରୀ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଏହି ଅଭିଯୋଗ ଗୁଡ଼ିକର ଗାମ୍ଭୀର୍ଯ୍ୟକୁ ଦୃଷ୍ଟିରେ ରଖି ବିଶ୍ୱବିଦ୍ୟାଳୟର ‘ଇଣ୍ଟରନାଲ୍ କମ୍ପ୍ଲେଣ୍ଟସ କମିଟି’ (ICC) ଘଟଣାର ଆନୁଷ୍ଠାନିକ ତଦନ୍ତ ଆରମ୍ଭ କରିଛି।
ମିଳିଥିବା ସୂଚନା ଅନୁଯାୟୀ, ଗୋଟିଏ ମାସ ପୂର୍ବରୁ ଆଇସିସି (ICC) ନିକଟରେ ଏହି ଅଭିଯୋଗଗୁଡ଼ିକ ଦାଖଲ କରାଯାଇଥିଲା।ସମ୍ପୃକ୍ତ ପ୍ରଫେସରଜଣକ କ୍ୟାମ୍ପସ ମଧ୍ୟରେ ଥିବା ନିଜ ସରକାରୀ ବାସଭବନକୁ ବିଭିନ୍ନ କାର୍ଯ୍ୟକ୍ରମ ବା ଆଲୋଚନା ନାଁରେ ଛାତ୍ରଛାତ୍ରୀଙ୍କୁ ଡାକୁଥିଲେ ଏବଂ ସେଠାରେ ସେମାନଙ୍କ ପ୍ରତି ଅଶାଳୀନ ଓ ଅପ୍ରୀତିକର ଯୌନ ପ୍ରସ୍ତାବ ଦେଉଥିଲେ ବୋଲି ଅଭିଯୋଗ ହୋଇଛି। ଏହା ବ୍ୟତୀତ ଶ୍ରେଣୀଗୃହରେ ପାଠପଢ଼ାଇବା ସମୟରେ ମଧ୍ୟ ସେ ଅଶ୍ଳୀଳ ଏବଂ ଅପଶବ୍ଦ କଟାକ୍ଷ କରୁଥିବା ନେଇ କେତେକ ଛାତ୍ରଛାତ୍ରୀ ଦାବି କରିଛନ୍ତି।
ପ୍ରଥମେ ଜଣେ ଛାତ୍ରୀଙ୍କ ପକ୍ଷରୁ ଅଭିଯୋଗ ଦାଖଲ ହେବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା।ଏହା ପରେ ବିଶ୍ୱବିଦ୍ୟାଳୟର କେତେକ ବରିଷ୍ଠ ଛାତ୍ରଛାତ୍ରୀ ଏବଂ ଗବେଷକମାନେ ଆଗେଇ ଆସି ଅଭିଯୋଗକାରୀଙ୍କୁ ସମର୍ଥନ ଜଣାଇଥିଲେ।ସେମାନେ ମଧ୍ୟ ଅତୀତରେ ସମ୍ପୃକ୍ତ ପ୍ରଫେସରଙ୍କ ଦ୍ୱାରା ସମାନ ଧରଣର ଦୁର୍ବ୍ୟବହାର ଓ ନିର୍ଯାତନାର ଶିକାର ହୋଇଥିବା ନେଇ ମୁହଁ ଖୋଲିଛନ୍ତି, ଯାହାଫଳରେ ଅଭିଯୋଗକାରୀଙ୍କ ସଂଖ୍ୟା ୧୦ରେ ପହଞ୍ଚିଛି।
ଆଇସିସି (ICC) ବର୍ତ୍ତମାନ ଏହି ଅଭିଯୋଗଗୁଡ଼ିକର ଯାଞ୍ଚ କରୁଛି ଏବଂ ଆବଶ୍ୟକୀୟ ତଥ୍ୟ ସଂଗ୍ରହ ପ୍ରକ୍ରିୟା ଜାରି ରଖିଛି।ତେବେ ଏହି ସମ୍ବେଦନଶୀଳ ମାମଲାକୁ ନେଇ ଜେଏନ୍ୟୁ ପ୍ରଶାସନ କିମ୍ବା କୁଳପତି (VC)ଙ୍କ କାର୍ଯ୍ୟାଳୟ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ବକ୍ତବ୍ୟ ଜାରି କରାଯାଇ ନାହିଁ।
ସେହିପରି ବିଶ୍ୱବିଦ୍ୟାଳୟର ଛାତ୍ର ସଂସଦ ପକ୍ଷରୁ ମଧ୍ୟ ଏହି ମାମଲାରେ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ସୂଚନା ବା ପ୍ରତିକ୍ରିୟା ଦିଆଯାଇ ନାହିଁ। ତଦନ୍ତ ପ୍ରକ୍ରିୟା ଶେଷ ହେବା ପରେ କମିଟିର ରିପୋର୍ଟ ଆଧାରରେ ପ୍ରଫେସରଙ୍କ ବିରୋଧରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଶା କରାଯାଉଛି।




