ଭୁବନେଶ୍ୱର: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଭକ୍ତ ଚରଣ ଦାସ ନିଜର ନୂତନ ସାଂଗଠନିକ ଟିମ୍‌ ଘୋଷଣା କରିଛନ୍ତି। ଓଡ଼ିଶା କଂଗ୍ରେସ ଇତିହାସରେ ପ୍ରଥମ ଥର ପାଇଁ ୨୫୬ ଜଣ ସଦସ୍ୟଙ୍କୁ ନେଇ ଏକ ବିଶାଳ ‘ଜମ୍ବୋ ଟିମ୍’ ଗଠନ କରାଯାଇଛି। ତେବେ ଏତେ ବଡ଼ କମିଟି ଗଠନ ପଛର ପ୍ରକୃତ ଉଦ୍ଦେଶ୍ୟକୁ ନେଇ ଦଳୀୟ ନେତା ଓ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ନାନା ପ୍ରଶ୍ନ ଓ ଆଲୋଚନା ଆରମ୍ଭ ହୋଇଯାଇଛି। ଆଶ୍ଚର୍ଯ୍ୟର ବିଷୟ ହେଉଛି, ଏହି ଟିମ୍‌ରେ ଏପରି କିଛି ବ୍ୟକ୍ତିଙ୍କୁ ସ୍ଥାନ ମିଳିଛି ଯେଉଁମାନେ ଦୀର୍ଘ ଦିନରୁ ସକ୍ରିୟ ରାଜନୀତିରୁ ଦୂରରେ ଅଛନ୍ତି ଏବଂ କଂଗ୍ରେସ ଭବନକୁ ମଧ୍ୟ ଆସୁନାହାନ୍ତି।

ଏହି ନୂତନ ସାଂଗଠନିକ ଢାଞ୍ଚାରେ ପିସିସି ସଭାପତିଙ୍କ ଅଧ୍ୟକ୍ଷତାରେ ୪୦ ଜଣିଆ ‘ଉପଦେଷ୍ଟା କମିଟି’ ଗଠନ କରାଯାଇଛି। ତେବେ ଜାତୀୟ କଂଗ୍ରେସ ସମ୍ବିଧାନରେ ଏଭଳି କମିଟିର ସ୍ପଷ୍ଟ ପ୍ରାବଧାନ ନଥିବା ନେଇ ଦଳ ଭିତରେ ଚର୍ଚ୍ଚା ହେଉଛି। ପ୍ରମୁଖ ପଦବୀ ବଦଳରେ ଉପଦେଷ୍ଟା କମିଟିରେ ରଖାଯାଇଥିବାରୁ କେତେକ ବରିଷ୍ଠ ନେତା ଅସନ୍ତୋଷ ପ୍ରକାଶ କରିଛନ୍ତି। ଅନ୍ୟପଟେ, କାର୍ଯ୍ୟକାରୀ କମିଟିର ସଦସ୍ୟ ସଂଖ୍ୟା ୩୦ରୁ ବୃଦ୍ଧି କରାଯାଇ ୭୧ କରାଯାଇଛି।

ଏହି ବିବାଦ ଭିତରେ ପିସିସି ସଭାପତି ଭକ୍ତ ଚରଣ ଦାସ ସମସ୍ତଙ୍କୁ ମିଳିମିଶି କାମ କରିବାକୁ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି, “କଂଗ୍ରେସର କୌଣସି କମିଟିରେ ସ୍ଥାନ ପାଇବା ବଡ଼ କଥା। ପଦବୀକୁ ନେଇ କଳହ ନକରି ଦଳକୁ ମଜବୁତ୍‌ କରିବା ପାଇଁ ସମସ୍ତେ ଆଗେଇ ଆସନ୍ତୁ।”

ଅପରପକ୍ଷରେ, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ପ୍ରତିକ୍ରିୟା ରଖି କହିଛନ୍ତି ଯେ, କଂଗ୍ରେସ ଇତିହାସରେ ଏତେ ବଡ଼ କମିଟି କେବେ ଗଠନ ହୋଇନଥିଲା। ହାଇକମାଣ୍ଡ ସଭାପତିଙ୍କୁ ଟିମ୍‌ ବାଛିବା ପାଇଁ ସ୍ୱାଧୀନତା ଦିଅନ୍ତି; ତେଣୁ ଭଲ ଫଳାଫଳର ଶ୍ରେୟ ଯେମିତି ସଭାପତି ନିଅନ୍ତି, ଖରାପ ପ୍ରଦର୍ଶନ ପାଇଁ ମଧ୍ୟ ସେହିଭଳି ଉତ୍ତରଦାୟୀ ରହିବେ।