ନୂଆଦିଲ୍ଲୀ: ଦିଲ୍ଲୀର ସତ୍ୟ ନିକେତନ ଅଞ୍ଚଳରେ ରବିବାର ଏକ ୫ ମହଲା PG କୋଠା ଭୁଶୁଡ଼ି ପଡ଼ିବାରୁ ବଡ଼ ଅଘଟଣ ଘଟିଛି। କୋଠାଟିରେ ପ୍ରାୟ ୪୦ରୁ ୫୦ ଜଣ ଛାତ୍ର ଥିବା ଆଶଙ୍କା କରାଯାଉଥିବା ବେଳେ ଅନେକ ଜଣ ଭଗ୍ନାବଶେଷ ତଳେ ଫସିଥିବା ଆଶଙ୍କା ରହିଛି। ଏପର୍ଯ୍ୟନ୍ତ ପ୍ରାୟ ୭ ଜଣଙ୍କୁ ଉଦ୍ଧାର କରାଯାଇଛି ଏବଂ ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି।
ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଉଦ୍ଧାର କାର୍ଯ୍ୟ
ଦୁର୍ଘଟଣାର ସୂଚନା ରବିବାର ଦିନ ପ୍ରାୟ ୧ଟା ୩୪ ମିନିଟ୍ରେ ସାଉଥ୍ କ୍ୟାମ୍ପସ୍ ଥାନାକୁ ମିଳିଥିଲା। ଏହାପରେ ଦିଲ୍ଲୀ ଅଗ୍ନିଶମ ବାହିନୀ, ପୁଲିସ, NDRF, ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ, MCD, CATS ଓ ସିଭିଲ୍ ଡିଫେନ୍ସ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି।
ଭଗ୍ନାବଶେଷ ହଟାଇ ଫସିଥିବା ଲୋକଙ୍କୁ ଖୋଜିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର ଅଭିଯାନ ଚାଲିଛି। ଘଟଣାସ୍ଥଳକୁ ଅନେକ ଅଗ୍ନିଶମ ଗାଡ଼ି ମଧ୍ୟ ପଠାଯାଇଛି।
AIIMSରେ ୩ ଜଣଙ୍କ ଅବସ୍ଥା ଗୁରୁତର
ଭଗ୍ନାବଶେଷ ତଳୁ ଉଦ୍ଧାର ହୋଇଥିବା ଲୋକଙ୍କୁ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଛି। AIIMS ଟ୍ରମା ସେଣ୍ଟରରେ ଭର୍ତ୍ତି ହୋଇଥିବା ୩ ଜଣଙ୍କ ଅବସ୍ଥା ଗୁରୁତର ଥିବା ହସ୍ପିଟାଲ ପକ୍ଷରୁ ସୂଚନା ମିଳିଛି।
ଉଦ୍ଧାରକାରୀ ଦଳ ଏବେ ବି ଭଗ୍ନାବଶେଷ ଭିତରୁ ଜୀବିତ ଲୋକଙ୍କୁ ଖୋଜୁଛନ୍ତି।
ଛାତ୍ରଙ୍କ PG ଥିଲା ‘ହୋଷ୍ଟେଲ ଡେଜ୍’
ସ୍ଥାନୀୟ ଲୋକଙ୍କ ସୂଚନା ଅନୁସାରେ, ଭୁଶୁଡ଼ିଥିବା କୋଠାଟି ଛାତ୍ରଙ୍କ ପାଇଁ ବ୍ୟବହୃତ ଏକ ବଏଜ୍ PG ଥିଲା। ଏହାର ନାମ ‘ହୋଷ୍ଟେଲ ଡେଜ୍’ ବୋଲି ଜଣାପଡ଼ିଛି।
ଦିଲ୍ଲୀ ବିଶ୍ୱବିଦ୍ୟାଳୟର ସାଉଥ୍ କ୍ୟାମ୍ପସ୍ ନିକଟରେ ଥିବା ସତ୍ୟ ନିକେତନ ଅଞ୍ଚଳରେ ବହୁ ସଂଖ୍ୟକ PG, ହଷ୍ଟେଲ ଓ ଖାଦ୍ୟ ଦୋକାନ ରହିଛି। ତେଣୁ ଘଟଣା ପରେ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଛି।
ଭୂତଳରେ ନିର୍ମାଣ କାମ ଚାଲିଥିବା ସୂଚନା
ପ୍ରାଥମିକ ସୂଚନା ଅନୁସାରେ, କୋଠାର ଭୂତଳରେ ନିର୍ମାଣ କାମ ଚାଲିଥିଲା। ତେବେ କୋଠା ଭୁଶୁଡ଼ିବାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଉଦ୍ଧାର ଅଭିଯାନ ଶେଷ ହେବା ପରେ ଘଟଣାର କାରଣ ନେଇ ତଦନ୍ତ କରାଯିବ।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଘଟଣାକୁ ନେଇ ଚିନ୍ତା ପ୍ରକାଶ କରିବା ସହ ଉଦ୍ଧାର କାର୍ଯ୍ୟ ଉପରେ ପ୍ରଶାସନ ନଜର ରଖିଥିବା କହିଛନ୍ତି।




