ଭୁବନେଶ୍ୱର: ଓଡ଼ିଆ ଉଚ୍ଚାରଣ ସହ ସମନ୍ୱୟ ରଖି ସଂଶୋଧିତ କରାଯାଇଥିବା ସ୍ଥାନନାମର ଇଂରାଜୀ ବନାନକୁ ସରକାରୀ କାର୍ଯ୍ୟାଳୟ ଓ ପ୍ରତିଷ୍ଠାନରେ ସମାନ ଭାବେ ବ୍ୟବହାର କରିବାକୁ ଓଡ଼ିଶା ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ପତ୍ର ଲେଖି ସାଇନ୍ବୋର୍ଡ ଓ ନାମଫଳକରେ ସଂଶୋଧିତ ବନାନ ଲାଗୁ କରିବାକୁ କୁହାଯାଇଛି।
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ଏ ସମ୍ପର୍କରେ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ପୁରୁଣା ବନାନ ବଦଳାଇବାକୁ ନିର୍ଦ୍ଦେଶ
୨୦୨୬ ଜୁନ୍ ୨୨ରେ ପ୍ରକାଶିତ ଗେଜେଟ୍ ବିଜ୍ଞପ୍ତି ଅନୁସାରେ ସରକାରୀ କାର୍ଯ୍ୟାଳୟ ଓ ପ୍ରତିଷ୍ଠାନର ସାଇନ୍ବୋର୍ଡରେ ସଂଶୋଧିତ ବନାନ ଏକ ମାସ ମଧ୍ୟରେ ଲାଗୁ କରିବାକୁ ସମୟସୀମା ରହିଥିଲା। ବେସରକାରୀ ଓ ଅଣ-ସରକାରୀ ପ୍ରତିଷ୍ଠାନ ପାଇଁ ଛଅ ମାସର ସମୟ ଧାର୍ଯ୍ୟ କରାଯାଇଥିଲା।
ଇତିମଧ୍ୟରେ ବିଭିନ୍ନ ସ୍ଥାନରେ ସଂଶୋଧିତ ବନାନ ବ୍ୟବହାର ଆରମ୍ଭ ହୋଇଥିଲେ ମଧ୍ୟ କେତେକ ସରକାରୀ କାର୍ଯ୍ୟାଳୟର ସାଇନ୍ବୋର୍ଡରେ ପୁରୁଣା ବନାନ ରହିଥିବା ସରକାରଙ୍କ ନଜରକୁ ଆସିଛି। ତେଣୁ ଏସବୁକୁ ଯାଞ୍ଚ କରି ତୁରନ୍ତ ସଂଶୋଧିତ ବନାନ ବ୍ୟବହାର କରିବାକୁ କୁହାଯାଇଛି।
ଏହି ସ୍ଥାନନାମଗୁଡ଼ିକର ବନାନ ବଦଳିଛି
ସରକାରୀ ନିଷ୍ପତ୍ତି ଅନୁସାରେ ଇଂରାଜୀରେ Angulକୁ Anugola, Balasoreକୁ Baleshwar, Kendraparaକୁ Kendrapada ଏବଂ Cuttackକୁ Kataka ଭାବେ ଲେଖାଯାଉଛି।
ସେହିପରି Jeyporeକୁ Jayapur ଏବଂ Soroକୁ Sora ଭାବେ ବ୍ୟବହାର କରିବାକୁ ନିର୍ଦ୍ଦେଶ ରହିଛି।
ଏହି ପରିବର୍ତ୍ତନର ଉଦ୍ଦେଶ୍ୟ ହେଉଛି ଓଡ଼ିଆ ଉଚ୍ଚାରଣ ଓ ଭାଷାଗତ ପରମ୍ପରା ସହ ସ୍ଥାନନାମର ଇଂରାଜୀ ବନାନକୁ ସମନ୍ୱିତ କରିବା। ୨୦୨୬ ଜୁନ୍ରେ ସରକାର ୨୬ଟି ଜିଲ୍ଲାର ୬୪ଟି ସ୍ଥାନର ଇଂରାଜୀ ବନାନ ସଂଶୋଧନକୁ ଅନୁମୋଦନ କରିଥିଲେ।
୭ ଦିନ ମଧ୍ୟରେ ଅନୁପାଳନ ରିପୋର୍ଟ
ସମସ୍ତ ଜିଲ୍ଲାପାଳଙ୍କୁ ନିଜ ଜିଲ୍ଲାର ସରକାରୀ କାର୍ଯ୍ୟାଳୟ, ପ୍ରତିଷ୍ଠାନ ଓ ଅନ୍ୟାନ୍ୟ ସରକାରୀ ସାଇନ୍ବୋର୍ଡର ସମୀକ୍ଷା କରିବାକୁ କୁହାଯାଇଛି। ସଂଶୋଧିତ ବନାନର ସଠିକ୍ ଓ ସମାନ ବ୍ୟବହାର ସୁନିଶ୍ଚିତ କରିବା ସହ ଏନେଇ ଏକ ସପ୍ତାହ ମଧ୍ୟରେ ଅନୁପାଳନ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ରହିଛି।
ବେସରକାରୀ ଓ ଅଣ-ସରକାରୀ ପ୍ରତିଷ୍ଠାନଗୁଡ଼ିକୁ ମଧ୍ୟ ସଂଶୋଧିତ ବନାନକୁ ସକାରାତ୍ମକ ଭାବେ ଗ୍ରହଣ କରି ବ୍ୟବହାର କରିବାକୁ ପ୍ରୋତ୍ସାହିତ କରିବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି।




