ନୂଆଦିଲ୍ଲୀ: ୨୦୨୯ ସୁଦ୍ଧା ଭାରତକୁ ନିଶାମୁକ୍ତ କରିବା ପାଇଁ କେନ୍ଦ୍ର ସରକାର ଏକ ସ୍ପଷ୍ଟ ରୋଡମ୍ୟାପ୍ ପ୍ରସ୍ତୁତ କରିଛନ୍ତି। ରବିବାର ଗୋଆରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ସେ ନିଶାଦ୍ରବ୍ୟ ବିରୋଧୀ ଲଢ଼େଇକୁ ଜାତୀୟ ସୁରକ୍ଷାର ଏକ ପ୍ରମୁଖ ପ୍ରାଥମିକତା ବୋଲି କହିଛନ୍ତି।
ଶାହ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲକ୍ଷ୍ୟ ହେଉଛି ନିଶାମୁକ୍ତ ଯୁବଶକ୍ତି ମାଧ୍ୟମରେ ୨୦୪୭ ସୁଦ୍ଧା ‘ବିକଶିତ ଭାରତ’ର ସ୍ୱପ୍ନ ପୂରଣ କରିବା। ନିଶା ବିରୋଧୀ ଅଭିଯାନ ଏବେ ବିଭିନ୍ନ ଏଜେନ୍ସିର ପୃଥକ୍ ପଦକ୍ଷେପରେ ସୀମିତ ନରହି ଏକ ସମନ୍ୱିତ ଜାତୀୟ ଅଭିଯାନରେ ପରିଣତ ହୋଇଛି।
ନିଶା ଚୋରାଚାଲାଣ ନେଟୱର୍କ ଭାଙ୍ଗିବାକୁ ଜୋର
ଗୃହମନ୍ତ୍ରୀଙ୍କ କହିବାନୁସାରେ, ୨୦୧୪ ପୂର୍ବରୁ ନିଶାଦ୍ରବ୍ୟ ବିରୋଧୀ କାର୍ଯ୍ୟାନୁଷ୍ଠାନ ଅଧିକାଂଶ ସମୟରେ ଛୋଟ ଛୋଟ ୟୁନିଟ୍ ଓ ଏଜେନ୍ସି ସ୍ତରରେ ପୃଥକ୍ ଭାବେ ଚାଲୁଥିଲା। ଏବେ ନିଶା କାରବାରର ସମ୍ପୂର୍ଣ୍ଣ ନେଟୱର୍କକୁ ଚିହ୍ନଟ କରି ମୂଳରୁ ଧ୍ୱଂସ କରିବା ଉପରେ ଗୁରୁତ୍ୱ ଦିଆଯାଉଛି।
ଏଥିପାଇଁ NCORD, ରାଜ୍ୟ ଆଣ୍ଟି-ନାର୍କୋଟିକ୍ସ ଟାସ୍କ ଫୋର୍ସ, ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (NCB) ଓ ଅନ୍ୟାନ୍ୟ ଏଜେନ୍ସି ମଧ୍ୟରେ ସମନ୍ୱୟ ବଢ଼ାଯାଇଛି। ‘ମାନସ୍’ ହେଲ୍ପଲାଇନ୍କୁ ମଧ୍ୟ ଏହି ଅଭିଯାନରେ ଅଧିକ ସକ୍ରିୟ କରାଯାଇଛି।
‘ରିଭର୍ସ ଇନଭେଷ୍ଟିଗେସନ୍’ ଉପରେ ଗୁରୁତ୍ୱ
ନିଶା କାରବାରର ମୂଳ ଉତ୍ସ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ସରକାର ‘ବଟମ୍-ଟୁ-ଟପ୍’ ଓ ‘ଟପ୍-ଟୁ-ବଟମ୍’ ଭିତ୍ତିକ ତଦନ୍ତ ପଦ୍ଧତି ଆପଣାଇଛି। ଅର୍ଥାତ୍, ଛୋଟ ପରିମାଣର ନିଶାଦ୍ରବ୍ୟ ଜବତ ଘଟଣାରୁ ତଦନ୍ତକୁ ପଛକୁ ନେଇ ଏହାର ମୂଳ ଯୋଗାଣକାରୀଙ୍କ ପାଖରେ ପହଞ୍ଚିବା ସହ ବଡ଼ ଚାଲାଣରୁ ଆଗକୁ ବଢ଼ି ଏହାର ଗ୍ରାହକ ଓ ବିତରଣ ନେଟୱର୍କକୁ ଚିହ୍ନଟ କରାଯିବ।
ଏଥିସହ ନିଶା ଅପରାଧୀଙ୍କ ତଥ୍ୟ ପାଇଁ NIDAN ଡାଟାବେସ୍ ଏବଂ ଦେଶବ୍ୟାପୀ ଡ୍ରଗ୍ ହଟସ୍ପଟ୍ ଓ ଚୋରାଚାଲାଣ ମାର୍ଗର ଡାଟା ମ୍ୟାପିଂ କରାଯାଇଛି।
୨୦୪୭ର ଲକ୍ଷ୍ୟ ସହ ଯୋଡ଼ିଲେ ନିଶାମୁକ୍ତ ଭାରତ
ଶାହ କହିଛନ୍ତି, ନକ୍ସଲବାଦ ଓ ଆତଙ୍କବାଦ ବିରୋଧରେ ଯେଉଁ ଢାଞ୍ଚାରେ ସରକାର କାର୍ଯ୍ୟ କରିଛି, ସେହିପରି ଦୃଢ଼ତାର ସହ ନିଶା କାରବାର ବିରୋଧରେ ମଧ୍ୟ ଲଢ଼େଇ ଜାରି ରହିବ।
ତାଙ୍କ ଦାବି ଅନୁସାରେ, ପାଞ୍ଚ ଦଶନ୍ଧି ଧରି ଚାଲିଥିବା ନକ୍ସଲବାଦ ଏବେ ଅତୀତର ବିଷୟ ହୋଇଛି। ସେହିଭଳି ନିଶା କାରବାରର ମୁକାବିଲା କରିବାକୁ ସରକାର ପ୍ରତିବଦ୍ଧ ବୋଲି ସେ କହିଛନ୍ତି।
ଏହି ଲକ୍ଷ୍ୟ ପୂରଣ ହେଲେ ନିଶାମୁକ୍ତ ଯୁବଶକ୍ତି ଦେଶର ବିକାଶରେ ବଡ଼ ଭୂମିକା ନେବ ଏବଂ ୨୦୪୭ର ‘ବିକଶିତ ଭାରତ’ ଲକ୍ଷ୍ୟକୁ ଆଗକୁ ନେବ ବୋଲି ଗୃହମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି।




