ଭୁବନେଶ୍ୱର: ଜୁଭେନାଇଲ୍ ଜଷ୍ଟିସ୍‌ (ଶିଶୁମାନଙ୍କ ଯତ୍ନ ଓ ସୁରକ୍ଷା) ଆଇନ, ୨୦୧୫ର କାର୍ଯ୍ୟକାରିତାର ଏକ ଦଶନ୍ଧି ପୂରଣ ଅବସରରେ ଭୁବନେଶ୍ୱରରେ ରବିବାର ରାଜ୍ୟସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଛି। ‘ଜୁଭେନାଇଲ୍ ଜଷ୍ଟିସ୍ ଆଇନ, ୨୦୧୫: କାର୍ଯ୍ୟକାରିତାର ଏକ ଦଶନ୍ଧି ଏବଂ ଆଗାମୀ ପନ୍ଥା’ ଶୀର୍ଷକ ଏହି କାର୍ଯ୍ୟକ୍ରମରେ ଶିଶୁ ଅଧିକାର, ସୁରକ୍ଷା, ଥଇଥାନ, ପୋଷ୍ୟ ସନ୍ତାନ ଗ୍ରହଣ ଓ ଫୋଷ୍ଟର କେୟାର ଭଳି ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି।

ଏଥିରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ ହରିଶ ଟଣ୍ଡନ, ହାଇକୋର୍ଟ ଜୁଭେନାଇଲ୍ ଜଷ୍ଟିସ୍ କମିଟିର ଅଧ୍ୟକ୍ଷା ଜଷ୍ଟିସ୍‌ ସାବିତ୍ରୀ ରଥୋ, ମହିଳା ଓ ଶିଶୁ ବିକାଶ ବିଭାଗର କମିଶନର ତଥା ଶାସନ ସଚିବ ଡ. ମୃଣାଳିନୀ ଦର୍ସ୍ୱାଲ ଏବଂ ୟୁନିସେଫ୍ ଓଡ଼ିଶା ଫିଲ୍ଡ ଅଫିସ୍‌ ମୁଖ୍ୟ ପ୍ରଶାନ୍ତ ଦାଶଙ୍କ ସମେତ ବରିଷ୍ଠ ନ୍ୟାୟିକ ଓ ସରକାରୀ ଅଧିକାରୀ, ପୁଲିସ ଅଧିକାରୀ, ଶିଶୁ ଅଧିକାର ବିଶେଷଜ୍ଞ ଓ ସିଭିଲ୍‌ ସୋସାଇଟି ପ୍ରତିନିଧି ଯୋଗ ଦେଇଥିଲେ।

‘ନିବାରଣ’ ହେଉ ଜୁଭେନାଇଲ୍ ଜଷ୍ଟିସ୍‌ର କେନ୍ଦ୍ରବିନ୍ଦୁ

କାର୍ଯ୍ୟକ୍ରମରେ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ହରିଶ ଟଣ୍ଡନ କହିଥିଲେ ଯେ, ଜୁଭେନାଇଲ୍ ଜଷ୍ଟିସ୍‌ ବ୍ୟବସ୍ଥାର ମୁଖ୍ୟ ଲକ୍ଷ୍ୟ କେବଳ ଆଇନ ସହ ସଂଘର୍ଷରେ ଆସିଥିବା ଶିଶୁଙ୍କ ସହ ନ୍ୟାୟ କରିବା ନୁହେଁ, ବରଂ ସେଭଳି ପରିସ୍ଥିତି ଯେପରି ସୃଷ୍ଟି ନହୁଏ ତାହା ସୁନିଶ୍ଚିତ କରିବା।

ତୃଣମୂଳ ସ୍ତରରେ ଶିଶୁମାନଙ୍କ ସମ୍ମୁଖୀନ ହେଉଥିବା ଦୁର୍ବଳତା ଓ ବିପଦକୁ ଚିହ୍ନଟ କରି ସମାଧାନ କରିବା ଆବଶ୍ୟକ ବୋଲି ସେ ମତ ଦେଇଥିଲେ। ଏହାଦ୍ୱାରା ଶିଶୁମାନେ ଆଇନ ସହ ସଂଘର୍ଷରେ ଆସିବା କିମ୍ବା ଅନାବଶ୍ୟକ ଭାବେ ଆନୁଷ୍ଠାନିକ ଯତ୍ନ ବ୍ୟବସ୍ଥାରେ ପ୍ରବେଶ କରିବାରୁ ରୋକାଯାଇପାରିବ।

ଶିଶୁ ଅଧିକାର ଓ ଥଇଥାନ ଉପରେ ଗୁରୁତ୍ୱ

ଆଲୋଚନାଚକ୍ରରେ ଜୁଭେନାଇଲ୍ ଜଷ୍ଟିସ୍‌ ଆଇନର ଏକ ଦଶନ୍ଧିର କାର୍ଯ୍ୟକାରିତା ସମୀକ୍ଷା ସହ ଆଗାମୀ ଦିନରେ ଶିଶୁ ସୁରକ୍ଷା ବ୍ୟବସ୍ଥାକୁ କିପରି ଅଧିକ ସୁଦୃଢ଼ କରାଯିବ, ସେନେଇ ମଧ୍ୟ ଆଲୋଚନା ହୋଇଥିଲା।

ଶିଶୁଙ୍କ ସର୍ବୋତ୍ତମ ସ୍ୱାର୍ଥକୁ ପ୍ରାଥମିକତା ଦେବା ସହ ତାଙ୍କର ସୁରକ୍ଷା, ମର୍ଯ୍ୟାଦା, ପୁନର୍ବାସ ଓ ସାମାଜିକ ଥଇଥାନ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏଥିସହ ଆଇନ ସହ ସଂଘର୍ଷରେ ଆସୁଥିବା ଶିଶୁ ଓ ଯତ୍ନ ଓ ସୁରକ୍ଷା ଆବଶ୍ୟକ କରୁଥିବା ଶିଶୁଙ୍କ ପାଇଁ ଉପଯୁକ୍ତ ବ୍ୟବସ୍ଥା ଓ ସମନ୍ୱିତ ହସ୍ତକ୍ଷେପର ଆବଶ୍ୟକତା ଉପରେ ମତ ପ୍ରକାଶ ପାଇଥିଲା।

ପୋଷ୍ୟ ସନ୍ତାନ ଗ୍ରହଣ ଓ ଫୋଷ୍ଟର କେୟାରକୁ ଅଧିକ ଶିଶୁକୈନ୍ଦ୍ରିକ କରିବା ସହ ଶିଶୁ ସୁରକ୍ଷା ବ୍ୟବସ୍ଥାରେ ବିଭିନ୍ନ ସଂସ୍ଥା ମଧ୍ୟରେ ସମନ୍ୱୟ ବଢ଼ାଇବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା।

ଆଗାମୀ ଦିନ ପାଇଁ ସମନ୍ୱିତ ପଦକ୍ଷେପ

ଜୁଭେନାଇଲ୍ ଜଷ୍ଟିସ୍‌ ବ୍ୟବସ୍ଥାକୁ ଅଧିକ ପ୍ରଭାବଶାଳୀ କରିବା ପାଇଁ ନ୍ୟାୟପାଳିକା, ପୁଲିସ, ସରକାରୀ ବିଭାଗ, ଶିଶୁ ସୁରକ୍ଷା ସଂସ୍ଥା, ୟୁନିସେଫ୍‌ ଓ ସିଭିଲ୍‌ ସୋସାଇଟିର ସମନ୍ୱିତ ଭୂମିକା ଆବଶ୍ୟକ ବୋଲି ଆଲୋଚନାରେ ମତ ପ୍ରକାଶ ପାଇଥିଲା।

ଆଇନର ଏକ ଦଶନ୍ଧିର ଅଭିଜ୍ଞତାରୁ ଶିକ୍ଷା ନେଇ ଆଗାମୀ ଦିନରେ ଶିଶୁଙ୍କ ଅଧିକାର ଓ ସୁରକ୍ଷାକୁ ଆହୁରି ମଜବୁତ କରିବା ଦିଗରେ ପଦକ୍ଷେପ ନେବା ଉପରେ ଆଲୋଚନାଚକ୍ରରେ ଗୁରୁତ୍ୱ ଦିଆଯାଇଛି।