ଶ୍ରୀନଗର: ଜାମ୍ମୁ-କାଶ୍ମୀରର ବେମିନାସ୍ଥିତ ଶେର-ଇ-କାଶ୍ମୀର ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସେସ (SKIMS) ମେଡିକାଲ କଲେଜର ଇଣ୍ଟର୍ନ ଡାକ୍ତରମାନେ ସେମାନଙ୍କ ମାସିକ ଷ୍ଟାଇପେଣ୍ଡ ବୃଦ୍ଧି ଦାବିରେ ଆମରଣ ଅନଶନ ଆରମ୍ଭ କରିଛନ୍ତି। ଦୀର୍ଘ ଦିନରୁ ଚାଲିଆସୁଥିବା ବିକ୍ଷୋଭକୁ ଆହୁରି ତୀବ୍ର କରିବା ପାଇଁ ୨୦୨୧ ବ୍ୟାଚର MBBS ଇଣ୍ଟର୍ନମାନେ ସୋମବାରଠାରୁ ଏହି ଅନଶନ ଆରମ୍ଭ କରିଛନ୍ତି। ପ୍ରଶାସନ ପକ୍ଷରୁ ଦାବି ପୂରଣ ନେଇ କୌଣସି ଆନୁଷ୍ଠାନିକ ଲିଖିତ ଆଦେଶ ପ୍ରକାଶ ନପାଇବାରୁ ସେମାନେ ଏହି କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି।

ଇଣ୍ଟର୍ନମାନଙ୍କ ଦ୍ୱାରା ଜାରି କରାଯାଇଥିବା ଏକ ବିବୃତ୍ତିରେ କୁହାଯାଇଛି ଯେ, ପ୍ରଶାସନ ସହିତ ବାରମ୍ବାର ଆଲୋଚନା ଓ ପ୍ରତିଶ୍ରୁତି ସତ୍ତ୍ୱେ କୌଣସି ସରକାରୀ ଆଦେଶ ଜାରି ହୋଇନାହିଁ। ଫଳରେ ଆଲୋଚନା ବିଫଳ ହେବାରୁ ସେମାନେ ଆନ୍ଦୋଳନକୁ ତୀବ୍ର କରିବାକୁ ବାଧ୍ୟ ହୋଇଛନ୍ତି। “ଲିଖିତ ଆଦେଶ ନାହିଁ – ତେଣୁ ଆନ୍ଦୋଳନ ପ୍ରତ୍ୟାହାର ନାହିଁ” (No Written Order — No End to the Protest) ବୋଲି ଆନ୍ଦୋଳନରତ ଡାକ୍ତରମାନେ ସ୍ପଷ୍ଟ କରିଛନ୍ତି। ଦାବିଗୁଡ଼ିକ ଉପରେ ଏକ ଆନୁଷ୍ଠାନିକ ଆଦେଶ ପ୍ରକାଶ ନପାଇବା ପର୍ଯ୍ୟନ୍ତ ଏହି ଆମରଣ ଅନଶନ ଜାରି ରହିବ।

ଡାକ୍ତରୀ ଇଣ୍ଟର୍ନମାନଙ୍କ ଅନୁସାରେ, ଏହି ଦାବି ସେମାନଙ୍କ ନ୍ୟାୟ, ସମ୍ମାନ ଏବଂ କଠିନ ପରିଶ୍ରମର ଉଚିତ୍ ପ୍ରାପ୍ୟ ସହ ଜଡ଼ିତ। ସେମାନେ ସମ୍ପୃକ୍ତ କର୍ତ୍ତୃପକ୍ଷ ଓ ପ୍ରଶାସନକୁ ଏହି ସମସ୍ୟାର ତୁରନ୍ତ ସମାଧାନ ପାଇଁ ଲିଖିତ ନିର୍ଦ୍ଦେଶନାମା ଜାରି କରିବାକୁ ନିବେଦନ କରିଛନ୍ତି।

ସୂଚନାଯୋଗ୍ୟ, ଜାମ୍ମୁ-କାଶ୍ମୀରର MBBS ଏବଂ BDS ଇଣ୍ଟର୍ନମାନେ ସେମାନଙ୍କ ମାସିକ ଷ୍ଟାଇପେଣ୍ଡକୁ ୩୦,୦୦୦ ଟଙ୍କାକୁ ବୃଦ୍ଧି କରିବା ଦାବିରେ ଆନ୍ଦୋଳନ ଚଳାଇଛନ୍ତି। ବର୍ତ୍ତମାନ ସେମାନଙ୍କୁ ମାସିକ ମାତ୍ର ୧୨,୩୦୦ ଟଙ୍କା ଷ୍ଟାଇପେଣ୍ଡ ମିଳୁଛି। ୨୦୧୯ ମସିହା ପରଠାରୁ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ଓ ଜୀବନଧାରଣ ଖର୍ଚ୍ଚ ବହୁ ପରିମାଣରେ ବୃଦ୍ଧି ପାଇଥିଲେ ବି ଷ୍ଟାଇପେଣ୍ଡ ବୃଦ୍ଧି କରାଯାଇନାହିଁ। ତେଣୁ କେବଳ ମୌଖିକ ଆଶ୍ୱାସନା ଆଧାରରେ ଆନ୍ଦୋଳନ ପ୍ରତ୍ୟାହାର କରାଯିବ ନାହିଁ ବୋଲି ଇଣ୍ଟର୍ନମାନେ ଜିଦ୍ ଧରିଛନ୍ତି।