ଆସନ୍ତା ପାର୍ବଣ ଋତୁ ପୂର୍ବରୁ ଗ୍ରାହକଙ୍କୁ ଲାଗିପାରେ ବଡ଼ ଝଟ୍କା। ଘରେ ଘରେ ମିଠା ଓ ଅନ୍ୟାନ୍ୟ ପ୍ୟାକେଜ୍ଡ ଖାଦ୍ୟର ଚାହିଦା ବଢ଼ିବାକୁ ଥିବା ବେଳେ ଏଥର ଗ୍ରାହକଙ୍କୁ ଅଧିକ ଟଙ୍କା ଗଣିବାକୁ ପଡ଼ିପାରେ। ଦେଶରେ ଚିନିର ମୂଲ୍ୟ କ୍ରମାଗତ ଭାବେ ବୃଦ୍ଧି ପାଉଥିବାରୁ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀଗୁଡ଼ିକର ଚିନ୍ତା ବଢ଼ିଯାଇଛି। ଏହାର ସିଧାସଳଖ ପ୍ରଭାବ ମିଠା ସମେତ ବିସ୍କୁଟ୍, କୁକି, ଚକୋଲେଟ୍ ଓ ବିଭିନ୍ନ ପାନୀୟ ଉତ୍ପାଦ ଉପରେ ପଡ଼ିବା ନିଶ୍ଚିତ ହୋଇଛି।
କଞ୍ଚାମାଲ ଖର୍ଚ୍ଚ ବୃଦ୍ଧି ପାଇଥିବାରୁ ଏହି ଅତିରିକ୍ତ ଭାର ଭରଣା କରିବା ପାଇଁ କମ୍ପାନୀଗୁଡ଼ିକ ଉତ୍ପାଦର ଦାମ ବଢ଼ାଇବା କିମ୍ବା ସମାନ ଦାମରେ ପ୍ୟାକେଟ୍ର ଓଜନ କମାଇବା (ଶ୍ରିଙ୍କଫ୍ଲେସନ୍) ଭଳି ପଦକ୍ଷେପ ନେବାକୁ ଯୋଜନା କରୁଛନ୍ତି। ବିକାଜୀ ଫୁଡ୍ସର ସିଏଫଓ ଋଷଭ ଜୈନଙ୍କ କହିବା ଅନୁସାରେ, ସରକାରୀ ପଦକ୍ଷେପ ସତ୍ତ୍ୱେ କିଛି ମାସ ପୂର୍ବ ତୁଳନାରେ ଚିନି କ୍ରୟ ଖର୍ଚ୍ଚ ପ୍ରାୟ ୨୦ ପ୍ରତିଶତ ଅଧିକ ରହିଛି। ଏଥିପାଇଁ କମ୍ପାନୀ ନିଜର ମିଠା ପୋର୍ଟଫୋଲିଓରେ ପ୍ରାୟ ୨ ପ୍ରତିଶତ ମୂଲ୍ୟ ବୃଦ୍ଧି କରୁଛି।
ଉପଭୋକ୍ତା ବ୍ୟାପାର ମନ୍ତ୍ରାଳୟର ତଥ୍ୟ ଅନୁସାରେ, ଜୁନ୍ ମାସରେ ସାରା ଦେଶରେ ଚିନିର ହାରାହାରି ଖୁଚୁରା ମୂଲ୍ୟ କିଲୋ ପ୍ରତି ୪୭ ଟଙ୍କା ଥିବା ବେଳେ ସେପ୍ଟେମ୍ବରରେ ଏହା ୬୨ ଟଙ୍କାରେ ପହଞ୍ଚିଛି। ସେହିପରି ହୋଲସେଲ୍ ଦର କ୍ୱିଣ୍ଟାଲ ପ୍ରତି ୪,୩୫୦ ଟଙ୍କାରୁ ବୃଦ୍ଧି ପାଇ ୫,୭୪୭ ଟଙ୍କା ହୋଇଛି। ଚିନି ସହ ଚା’ ଓ କଫି ଭଳି କଞ୍ଚାମାଲର ଦର ମଧ୍ୟ ବଢ଼ିଥିବାରୁ ପ୍ୟାକେଜ୍ଡ ଫୁଡ୍ର ଦାମରେ ଆଉ ୨ରୁ ୫ ପ୍ରତିଶତ ବୃଦ୍ଧି ଘଟିପାରେ।
ଚିନି ଦର ବୃଦ୍ଧି ପଛରେ ଉତ୍ପାଦନ ହ୍ରାସ ପାଇବା ସବୁଠାରୁ ବଡ଼ କାରଣ। ଚଳିତ ବର୍ଷ ଅକ୍ଟୋବରରୁ ସେପ୍ଟେମ୍ବର ମଧ୍ୟରେ ୩୪୩ ଲକ୍ଷ ମେଟ୍ରିକ୍ ଟନ୍ ଚିନି ଉତ୍ପାଦନ ନେଇ ଆକଳନ କରାଯାଇଥିବା ବେଳେ ପ୍ରକୃତରେ ପ୍ରାୟ ୩୦୬ ଲକ୍ଷ ମେଟ୍ରିକ୍ ଟନ୍ ଉତ୍ପାଦିତ ହୋଇଛି। ପୋକ ଆକ୍ରମଣ ଓ ଜଳମଗ୍ନତା ଯୋଗୁଁ ଆଖୁ ଚାଷ ଗମ୍ଭୀର ଭାବେ ପ୍ରଭାବିତ ହୋଇଛି। ଏହାସହ ଭାରତର ଚିନି ରିକଭରି ରେଟ୍ ୨୦୨୨ରେ ୧୦ ପ୍ରତିଶତ ଥିବା ବେଳେ ୨୦୨୬ରେ ଏହା ୯.୩ ପ୍ରତିଶତକୁ ହ୍ରାସ ପାଇଛି। ଯୋଗାଣ ବଜାୟ ରଖିବା ପାଇଁ ସରକାର ଦୀର୍ଘ ବର୍ଷ ପରେ ପ୍ରଥମ ଥର ପାଇଁ ଚିନି ଆମଦାନିକୁ ଅନୁମତି ଦେଇଛନ୍ତି।
ପାର୍ବଣ ଋତୁରେ ଅତିରିକ୍ତ ଖର୍ଚ୍ଚରୁ ବଞ୍ଚିବା ପାଇଁ ଗ୍ରାହକଙ୍କ ସାମ୍ନାରେ ଦୁଇଟି ବିକଳ୍ପ ରହିବ, ସମାନ ପରିମାଣର ସାମଗ୍ରୀ ପାଇଁ ଅଧିକ ଟଙ୍କା ଦେବା କିମ୍ବା ପୁରୁଣା ଦାମରେ ଛୋଟ ପ୍ୟାକେଟ୍ କିଣିବା। ଆଗାମୀ ଦିନରେ ଚିନି ଉତ୍ପାଦନ ବଢ଼ାଇବା ସହ ଉନ୍ନତମାନର ଆଖୁ ପ୍ରଜାତି ବ୍ୟବହାର ନକଲେ ଏହି ସମସ୍ୟା ଆହୁରି ଜଟିଳ ହୋଇପାରେ।




