ଭୁବନେଶ୍ୱର: ଜମି କିସମ ପରିବର୍ତ୍ତନ ସମ୍ପର୍କିତ ମ୍ୟୁଟେସନ୍ ମାମଲାରେ ତଦନ୍ତ ରିପୋର୍ଟ ପ୍ରସ୍ତୁତ କରି ଉପରିସ୍ଥ ଅଧିକାରୀଙ୍କ ନିକଟକୁ ପଠାଇବା ପାଇଁ ୩୫ ହଜାର ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗରେ ପୁରୀ ଜିଲ୍ଲାର ଦୁଇ ରାଜସ୍ୱ ଅଧିକାରୀ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ସିଆଳା RI ସର୍କଲ୍ ଅଧୀନରେ କାର୍ଯ୍ୟରତ RI କଲ୍ୟାଣୀ ଜେନା ଓ ARI ପୂର୍ଣ୍ଣଚନ୍ଦ୍ର ବେହେରାଙ୍କୁ ଭିଜିଲାନ୍ସ ଧରିଛି।
ପୁରୀ ଜିଲ୍ଲା ପିପିଲି ତହସିଲ ଅଧୀନ ସିଆଳା RI ସର୍କଲ୍ରେ ଏହି ଘଟଣା ଘଟିଛି। ଅଭିଯୋଗ ଅନୁସାରେ, ଜଣେ ବ୍ୟକ୍ତି ନିଜ କୃଷିଜମିକୁ ଘରବାରି କିସମରେ ପରିବର୍ତ୍ତନ କରିବା ପାଇଁ ନିୟମ ଅନୁସାରେ ଆବେଦନ କରିଥିଲେ।
ରିପୋର୍ଟ ପଠାଇବାକୁ ଲାଞ୍ଚ ଦାବି
ଆବେଦନର ସ୍ଥିତି ଜାଣିବା ପାଇଁ ଆବେଦନକାରୀ RI କାର୍ଯ୍ୟାଳୟକୁ ଯାଇଥିବାବେଳେ, ତଦନ୍ତ ରିପୋର୍ଟ ପ୍ରସ୍ତୁତ କରି ମ୍ୟୁଟେସନ୍ ପ୍ରକ୍ରିୟା ଆଗକୁ ବଢ଼ାଇବା ପାଇଁ RI ଓ ARI ତାଙ୍କୁ ୩୫ ହଜାର ଟଙ୍କା ଦାବି କରିଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।
ଆବେଦନକାରୀ ଲାଞ୍ଚ ଦେବାକୁ ଅସମର୍ଥତା ପ୍ରକାଶ କରିବା ସହ ଅନୁରୋଧ କରିଥିଲେ ମଧ୍ୟ ଅଭିଯୁକ୍ତ ଦୁଇ ଅଧିକାରୀ ଟଙ୍କା ନଦେଲେ କାମ ଆଗକୁ ବଢ଼ାଇବେ ନାହିଁ ବୋଲି ଜିଦ୍ ଧରିଥିବା ଅଭିଯୋଗ ହୋଇଛି।
ଏନେଇ ଆବେଦନକାରୀ ଭିଜିଲାନ୍ସର ଦ୍ୱାରସ୍ଥ ହେବା ପରେ ଯୋଜନାବଦ୍ଧ ଭାବେ ଜାଲ ବିଛାଯାଇଥିଲା।
ଲାଞ୍ଚ ଟଙ୍କା ସହ ଧରାପଡ଼ିଲେ
ସୋମବାର ଭିଜିଲାନ୍ସ ଟିମ୍ ଜାଲ ବିଛାଇଥିବା ବେଳେ RI କଲ୍ୟାଣୀ ଜେନା ଓ ARI ପୂର୍ଣ୍ଣଚନ୍ଦ୍ର ବେହେରା ଅଭିଯୋଗକାରୀଙ୍କଠାରୁ ୩୫ ହଜାର ଟଙ୍କା ନେଉଥିବା ସମୟରେ ଧରାପଡ଼ିଥିଲେ। ସେମାନଙ୍କ ନିକଟରୁ ସମ୍ପୂର୍ଣ୍ଣ ଲାଞ୍ଚ ଟଙ୍କା ଜବତ କରାଯାଇଛି।
ଘଟଣା ପରେ ଅଭିଯୁକ୍ତ ଦୁଇ ଅଧିକାରୀଙ୍କ ବିରୋଧରେ ଭୁବନେଶ୍ୱର ଭିଜିଲାନ୍ସ ଥାନାରେ ମାମଲା ରୁଜୁ ହୋଇଛି। ଦୁର୍ନୀତି ନିବାରଣ ଆଇନ, ୨୦୧୮ର ଧାରା ୭ ଅନୁଯାୟୀ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି।
୩ଟି ସ୍ଥାନରେ ଚାଲିଛି ତଲାସି
ଲାଞ୍ଚ ମାମଲାର ତଦନ୍ତ ସହ ଅଭିଯୁକ୍ତ ଅଧିକାରୀଙ୍କ ଆୟଠାରୁ ଅଧିକ ସମ୍ପତ୍ତି ରହିଛି କି ନାହିଁ, ତାହା ଯାଞ୍ଚ ପାଇଁ ଭିଜିଲାନ୍ସ ପକ୍ଷରୁ ଏକାଧିକ ସ୍ଥାନରେ ଏକକାଳୀନ ତଲାସି ଚାଲିଛି।
ପୁରୀ ଜିଲ୍ଲାର ବ୍ରହ୍ମକୁମ୍ଡି (ଚାରିଛକ) ଓ ଅଚ୍ୟୁତପୁର (ଚନ୍ଦନପୁର) ସମେତ ଭୁବନେଶ୍ୱରର ରସୁଲଗଡ଼ସ୍ଥିତ ସମ୍ପତ୍ତିରେ ଯାଞ୍ଚ କରାଯାଉଛି। ଘଟଣାରେ ଭିଜିଲାନ୍ସର ପରବର୍ତ୍ତୀ ତଦନ୍ତ ଜାରି ରହିଛି।




