ଚେନ୍ନାଇ: ତାମିଲନାଡୁ ବିଧାନସଭାରେ ସୋମବାର ଶାସକ ଦଳ TVK ଓ ବିରୋଧୀ DMK ମଧ୍ୟରେ ତୀବ୍ର ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ମୁଖ୍ୟମନ୍ତ୍ରୀ ସି. ଜୋସେଫ୍ ବିଜୟ ପୂର୍ବତନ DMK ସରକାର ବିରୋଧରେ ଗୁରୁତର ଦୁର୍ନୀତି ଅଭିଯୋଗ ଆଣିଥିବା ବେଳେ ଏହାର ପ୍ରତିବାଦରେ DMK ବିଧାୟକମାନେ ବିଧାନସଭାରୁ କକ୍ଷତ୍ୟାଗ କରିଛନ୍ତି।
ଗୃହ ବିଭାଗର ଅନୁଦାନ ଦାବି ଉପରେ ଆଲୋଚନାର ଉତ୍ତର ଦେବା ସମୟରେ ବିଜୟ ନିଜ ଭାଷଣରେ DMK ସରକାର ସମୟର କଥିତ ଦୁର୍ନୀତିକୁ ନେଇ ତୀବ୍ର ଆକ୍ରମଣ କରିଥିଲେ। ସେ ଏନ୍ଫୋର୍ସମେଣ୍ଟ ଡାଇରେକ୍ଟୋରେଟ୍ (ED)ର ଦସ୍ତାବିଜ୍କୁ ଉଦ୍ଧୃତ କରି ଠିକାଦାରଙ୍କଠାରୁ ‘ପାର୍ଟି ଫଣ୍ଡ୍’ ନାମରେ ଟଙ୍କା ଆଦାୟ କରାଯାଉଥିବା ଅଭିଯୋଗ କରିଥିଲେ।
‘ସାଇଣ୍ଟିଫିକ୍ କରପ୍ସନ୍’ ଅଭିଯୋଗ
ବିଜୟଙ୍କ ଅଭିଯୋଗ ଅନୁସାରେ, ପୂର୍ବତନ DMK ସରକାର ସମୟରେ ମ୍ୟୁନିସିପାଲ୍ ଆଡମିନିଷ୍ଟ୍ରେସନ୍ ଓ ଜଳ ଯୋଗାଣ ବିଭାଗ ସମ୍ପର୍କିତ କାମରେ ଠିକାଦାରମାନଙ୍କଠାରୁ ପାର୍ଟି ଫଣ୍ଡ୍ ନାମରେ ଟଙ୍କା ନିଆଯାଉଥିଲା। ଏହାକୁ ସେ ‘ସାଇଣ୍ଟିଫିକ୍ କରପ୍ସନ୍’ ବୋଲି ଅଭିହିତ କରିଥିଲେ।
ସେହିପରି ସରକାରୀ ମଦ ବିକ୍ରୟ ସଂସ୍ଥା TASMAC ସମ୍ପର୍କିତ ମାମଲାରେ ମଧ୍ୟ ED ଦସ୍ତାବିଜ୍ରେ ଥିବା ତଥ୍ୟକୁ ଉଦ୍ଧୃତ କରିଥିଲେ ବିଜୟ। ପୂର୍ବତନ ମନ୍ତ୍ରୀ ଭି. ସେନ୍ଥିଲ୍ ବାଲାଜୀ ଓ ତାଙ୍କ ଭାଇ ଅଶୋକଙ୍କ ନାମ ମଧ୍ୟ ସେ ଉଲ୍ଲେଖ କରିଥିଲେ।
ବିଜୟ ଦାବି କରିଥିଲେ ଯେ, କେବଳ ଦୁଇଟି ବିଭାଗ ସମ୍ପର୍କିତ ଦସ୍ତାବିଜ୍ ଯାଞ୍ଚରୁ ଯଦି ଏତେ ତଥ୍ୟ ସାମ୍ନାକୁ ଆସୁଛି, ତେବେ ଅନ୍ୟ ଫାଇଲ୍ଗୁଡ଼ିକର ଯାଞ୍ଚ ହେଲେ ଆହୁରି ଅନେକ ତଥ୍ୟ ପ୍ରକାଶ ପାଇପାରେ।
ବିଧାନସଭାରେ ହଙ୍ଗାମା, DMKର କକ୍ଷତ୍ୟାଗ
ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପରେ DMK ବିଧାୟକମାନେ ତୀବ୍ର ପ୍ରତିବାଦ କରିଥିଲେ। ବିରୋଧୀ ଦଳ ନେତା ଉଦୟନିଧି ଷ୍ଟାଲିନଙ୍କ ନେତୃତ୍ୱରେ ବିଧାୟକମାନେ ନାରାବାଜି କରି ବାଚସ୍ପତିଙ୍କ ପୋଡିୟମ୍ ନିକଟକୁ ଯାଇଥିଲେ।
ବିଜୟଙ୍କ ଅଭିଯୋଗର ଜବାବ ଦେବାକୁ ଉଦୟନିଧିଙ୍କୁ ସୁଯୋଗ ଦେବା ପାଇଁ DMK ବିଧାୟକମାନେ ଦାବି କରିଥିଲେ। ବାଚସ୍ପତି ଜେ.ସି.ଡି. ପ୍ରଭାକର ଗୃହରେ ଶୃଙ୍ଖଳା ବଜାୟ ରଖିବାକୁ କହିବା ସହ ପରେ ସୁଯୋଗ ଦିଆଯିବ ବୋଲି ଆଶ୍ୱାସନ ଦେଇଥିଲେ। ତେବେ ପରିସ୍ଥିତି ଶାନ୍ତ ନହେବାରୁ DMK ବିଧାୟକମାନେ କକ୍ଷତ୍ୟାଗ କରିଥିଲେ।
ମହିଳାଙ୍କ ପ୍ରତି ଅପମାନଜନକ ମନ୍ତବ୍ୟକୁ ନେଇ ଚେତାବନୀ
ଭାଷଣର ଅନ୍ୟ ଏକ ଅଂଶରେ ବିଜୟ ମହିଳାଙ୍କ ବିରୋଧରେ ଅପମାନଜନକ, ଅଶାଳୀନ କିମ୍ବା ଦ୍ୱିଅର୍ଥବୋଧକ ମନ୍ତବ୍ୟକୁ ନେଇ ମଧ୍ୟ କଡ଼ା ଚେତାବନୀ ଦେଇଥିଲେ। ରାଜନୈତିକ ସମାଲୋଚନା ତୀବ୍ର ହୋଇପାରେ, କିନ୍ତୁ ଏହା ବ୍ୟକ୍ତିଗତ ଅପମାନ କିମ୍ବା ମହିଳାଙ୍କୁ ଟାର୍ଗେଟ୍ କରିବାରେ ପରିଣତ ହେବା ଉଚିତ୍ ନୁହେଁ ବୋଲି ସେ କହିଥିଲେ।
୧୯୮୯ରେ ତାମିଲନାଡୁ ବିଧାନସଭାରେ ଜୟଲଳିତାଙ୍କ ସହ ଘଟିଥିବା ଘଟଣାକୁ ମଧ୍ୟ ବିଜୟ ଉଲ୍ଲେଖ କରିଥିଲେ। ମହିଳାଙ୍କ ପ୍ରତି ଅପମାନଜନକ ଭାଷା ବ୍ୟବହାର ଗ୍ରହଣୀୟ ନୁହେଁ ଏବଂ ଏଭଳି ଘଟଣାରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ ସ୍ପଷ୍ଟ କରିଥିଲେ।




